ନୂଆଦିଲ୍ଲୀ: ଲୋକସଭାରେ ମହିଳା ସଂରକ୍ଷଣ ସଂଶୋଧନ ବିଲ୍ ଅର୍ଥାତ ୧୩୧ତମ ସମ୍ବିଧାନ ବିଧେୟକ ଉପରେ ଦୁଇ ଦିନ ଧରି ଲଗାତାର ଆଲୋଚନା ପରେ ଶୁକ୍ରବାର ଭୋଟିଂରେ ବିଧେୟକ ପାରିତ ହୋଇ ପାରିନି । ଏହି ବିଧେୟକ ସପକ୍ଷରେ ୨୯୮ ସାଂସଦ ଭୋଟ୍ ଦେଇଥିବା ବେଳେ ବିରୋଧରେ ଦେଇଛନ୍ତି ୨୩୦ ସାଂସଦ । ମତଦାନରେ ମୋଟ୍ ୫୨୮ ସାଂସଦ ଅଂଶଗ୍ରହଣ କରିଥିଲେ । ସାଂସଦଙ୍କ ଏହି ସଂଖ୍ୟା ହିସାବରେ ବିଧେୟକ ଗୃହୀତ ପାଇଁ ୩୨୬ ଭୋଟ୍ ଆବଶ୍ୟକ ଥିଲା । ହେଲେ ବିଲ୍ ସପକ୍ଷରେ ଆବଶ୍ୟକ ଭୋଟ୍ ମିଳିନି । ଦୁଇ ତୃତୀୟାଂଶ ସମର୍ଥନ ନ ମିଳିବାରୁ ବିଲ୍ କାଟ୍ ଖାଇଛି ।
ବିଲ୍ ସପକ୍ଷରେ ପଡିଥିବା ଭୋଟ୍ ଉପରେ ନଜର ପକାଇଲେ ଶାସକ ଏନଡିଏକୁ ଅଧିକ ୫ ଭୋଟ୍ ମିଳିଛି । ଶାସକ ଦଳ ପାଖରେ ମୋଟ୍ ୨୯୩ ସାଂସଦଙ୍କ ସମର୍ଥନ ଥିବା ବେଳେ ୫ ଭୋଟ୍ ଅଧିକ ମିଳିଥିଲେ ମଧ୍ୟ ବିରୋଧୀର ବଡ ବଡ ଦଳ ଏକଜୁଟ ହୋଇ ଏହି ବିଧେୟକକୁ ପାରିତ ହେବାକୁ ଦେଇ ନାହାନ୍ତି । ଦୁଇ ତୃତୀୟାଂଶ ସମର୍ଥନ ନ ମିଳିବାରୁ ୧୩୧ତମ ସମ୍ବିଧାନ ସଂଶୋଧନ ବିଧେୟକ ଲୋକସଭାରେ କାଟ୍ ଖାଇଛି ।
ଫଳରେ ସରକାର ଏହି ଆଇନ ପ୍ରତ୍ୟାହାର କରି ନେଇଛନ୍ତି । ସରକାର ଏହି ବିଧେୟକ ସହିତ ସୀମା ନିର୍ଦ୍ଧାରଣ ବିଧେୟକ ୨୦୨୬ ଓ ସଂଘ ରାଜ୍ୟ ବିଧି(ସଂଶୋଧନ) ବିଧେୟକ, ୨୦୨୬ ଉପରେ ଆଲୋଚନା ହେବା ପାଇଁ ସରକାର ପ୍ରସ୍ତୁତ ଥିଲେ । ହେଲେ ମହିଳା ସଂରକ୍ଷଣ ବିଧେୟକ କାଟ୍ ଖାଇବା ପରେ ସରକାର ସମସ୍ତ ବିଧେୟକକୁ ପ୍ରତ୍ୟାହାର କରି ନେଇଛନ୍ତି ।
ସଂସଦୀୟ କାର୍ଯ୍ୟ ମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି, ସମ୍ବିଧାନ ସଂଶୋଧନ ବିଧେୟକ ପାରିତ ନ ହେବା ପରେ ଏବେ ବାକି ବିଧେୟକକୁ ଆଗକୁ ଆଉ ବଢାଯିବ ନାହିଁ । ବିରୋଧୀ ଏମିତି କାର୍ଯ୍ୟ କରି ମହିଳା ବିରୋଧୀ ବୋଲି ଦର୍ଶାଇଛନ୍ତି ।