ନୂଆଦିଲ୍ଲୀ: ଆସନ୍ତାକାଲି କେନ୍ଦ୍ର ସରକାର ସଂସଦରେ ନାରୀଶକ୍ତି ବନ୍ଦନ ଅଧିନିୟମ ଏବଂ ସୀମା ନିର୍ଦ୍ଧାରଣ ବିଧେୟକ ଆଗତ କରିବାକୁ ପ୍ରସ୍ତୁତ ହେଉଛନ୍ତି । ଏହାକୁ ଜୋରଦାର ବିରୋଧ କରିବ ବିରୋଧୀ । ଆଜି ନୂଆଦିଲ୍ଲୀରେ ଇଣ୍ଡି ମେଣ୍ଟର ବୈଠକରେ ପରେ ଏହି ସୂଚନା ଦେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ । ମହିଳା ସରଂକ୍ଷଣ ବିଲ୍ ସପକ୍ଷରେ ବିରୋଧୀ, କିନ୍ତୁ ଏହି ବିଲ୍କୁ ଯେଭଳି ଭାବେ ଉପସ୍ଥାପନ କରାଯାଇଛି ସେ ସମ୍ପର୍କରେ ଦଳଗୁଡ଼ିକର ଆପତ୍ତି ଜଣାଇଥିବା କହିଛନ୍ତି ଖଡ଼ଗେ ।
ବିରୋଧୀ ଦଳର ପ୍ରମୁଖ ନେତାମାନେ ମହିଳା ସଂରକ୍ଷଣ ଏବଂ ସୀମା ନିର୍ଦ୍ଧାରଣ ବିଲ୍ ଉପରେ ଏକ ସାଧାରଣ ରଣନୀତି ଉପରେ ଆଲୋଚନା କରିବା ପାଇଁ ଖଡ଼ଗେଙ୍କ ବାସଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ବୈଠକରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ, କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ବେଣୁଗୋପାଳ ଏବଂ ଜୟରାମ ରମେଶ, ଡିଏମକେ ନେତା ଟି.ଆର. ବାଲୁ, ତୃଣମୂଳ କଂଗ୍ରେସ ସାଂସଦ ସାଗରିକା ଘୋଷ, ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ, ଶିବସେନା (ଉବାଥା)ର ସଞ୍ଜୟ ରାଉତ ଏବଂ ଅରବିନ୍ଦ ସାୱନ୍ତ, ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଶରଦଚନ୍ଦ୍ର ପାୱାର) ସାଂସଦ ସୁପ୍ରିୟା ସୁଲେ, ଆମ ଆଦମୀ ପାର୍ଟି (ଆପ) ସାଂସଦ ସଞ୍ଜୟ ସିଂହ ଏବଂ ଅନ୍ୟାନ୍ୟ ବିରୋଧୀ ନେତାମାନେ ଉପସ୍ଥିତ ଥିଲେ। ସମାଜବାଦୀ ପାର୍ଟି (ସପା) ଅଧ୍ୟକ୍ଷ ଅଖିଳେଶ ଯାଦବ ଭର୍ଚୁଆଲି ବୈଠକରେ ଅଂଶଗ୍ରହଣ କରିଥିଲେ। ବୈଠକରେ ବିଲ୍ ବିରୋଧରେ ଯିବାକୁ ଏକମତ ପ୍ରକାଶ ପାଇଥିବା ଦେଖାଯାଇଥିଲା ।
ବୈଠକ ପରେ ଖଡ଼ଗେ କହିଛନ୍ତି ଯେ ଆମେ ମହିଳା ସଂରକ୍ଷଣ ବିରୋଧରେ ନାହୁଁ, କିନ୍ତୁ ସରକାରଙ୍କ ବିଲ୍ ଆଣିବାର ପଦ୍ଧତିକୁ ଆମେ ବିରୋଧ କରୁଛୁ, ଯାହା ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ। ସରକାରଙ୍କୁ ବିରୋଧ କରିବାକୁ ଆମେ ଏକଜୁଟ୍ ଅଛୁ, ଆମେ ସୀମା ନିର୍ଦ୍ଧାରଣ ବିଲ୍କୁ ବିରୋଧ କରିବାକୁ ନିଷ୍ପତ୍ତି ନେଇଛୁ।"
ସେହିପରି ଜୟରାମ ରମେଶ କହିଛନ୍ତି ଯେ ବିରୋଧୀ ଦଳଗୁଡ଼ିକ ଚାହାଁନ୍ତି ଯେ ମହିଳା ସଂରକ୍ଷଣ ୨୦୨୯ରୁ ଲାଗୁ ହେଉ, କିନ୍ତୁ ସେମାନେ ସୀମା ନିର୍ଦ୍ଧାରଣ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିରୋଧ କରିବେ । ବୈଠକରେ ଉପସ୍ଥିତ ବିରୋଧୀ ଦଳଗୁଡ଼ିକ ମଧ୍ୟ କହିଛନ୍ତି ଯେ ସେମାନେ ମହିଳା ସଂରକ୍ଷଣ ସପକ୍ଷରେ ଅଛନ୍ତି, କିନ୍ତୁ ମିଳିତ ଭାବରେ ସୀମା ନିର୍ଦ୍ଧାରଣ ବିଲ୍କୁ ବିରୋଧ କରିବେ। ବିରୋଧୀ ଦଳମାନଙ୍କ ସହିତ ବୈଠକ ପୂର୍ବରୁ, ବରିଷ୍ଠ କଂଗ୍ରେସ ନେତାମାନେ ଏହି ବିଲ୍ ଉପରେ ପୃଥକ ଆଲୋଚନା କରିଥିଲେ।
ଲୋକସଭା ଏବଂ ରାଜ୍ୟ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ ଲାଗୁ କରିବା ପାଇଁ ଗୁରୁବାର ସଂସଦରେ ଏକ ବିଲ୍ ଆଗତ କରାଯିବ । ଯେଉଁଥିରେ ନିମ୍ନ ସଦନରେ ସଦସ୍ୟଙ୍କ ସଂଖ୍ୟା ବର୍ତ୍ତମାନର ୫୪୩ ରୁ ୮୫୦ କୁ ବୃଦ୍ଧି କରିବାର ପ୍ରସ୍ତାବ ରହିଛି । ସରକାର ଏକ ସୀମା ନିର୍ଦ୍ଧାରଣ କମିଶନ ଏବଂ ସମ୍ବନ୍ଧିତ କେନ୍ଦ୍ର ଶାସିତ ଅଞ୍ଚଳ ଆଇନ (ସଂଶୋଧନ ବିଲ୍), ୨୦୨୬ ପ୍ରତିଷ୍ଠା ପାଇଁ ଏକ ବିଲ୍ ଆଗତ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି।