ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମଙ୍ଗଳବାର ନୀତିଶ ରାଜ୍ୟପାଳଙ୍କୁ ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି। ଏହାପରେ ସେ ନିଜର ସୋସିଆଲ ମିଡିଆ ହ୍ୟାଣ୍ଡେଲ 'ଏକ୍ସ' (X) ରେ ଏକ ଭାବୁକ ପୋଷ୍ଟ ଲେଖି କହିଛନ୍ତି ଯେ, "ଏବେ ନୂଆ ସରକାର ଏଠାରୁ କାମ ବୁଝିବେ। ନୂଆ ସରକାରଙ୍କୁ ମୋର ସମ୍ପୂର୍ଣ୍ଣ ସହଯୋଗ ଓ ମାର୍ଗଦର୍ଶନ ରହିବ। ଆଗକୁ ମଧ୍ୟ ବହୁତ ଭଲ କାମ ହେବ ଏବଂ ବିହାର ବହୁତ ଆଗକୁ ବଢ଼ିବ।"
ନୀତିଶ କୁମାର ପ୍ରାୟ ୨୦ ବର୍ଷ ଧରି ବିହାରର ମୁଖ୍ୟମନ୍ତ୍ରୀ ରହିଥିଲେ। ଏହି ସମୟ ମଧ୍ୟରେ ତାଙ୍କ ଶାସନକାଳରେ ଅନେକ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରୀ ହୋଇଛି। ମଙ୍ଗଳବାର ନୀତିଶଙ୍କ ଇସ୍ତଫା ସହିତ ବିହାର ରାଜନୀତିରୁ ଏକ ପ୍ରକାର 'ନୀତିଶ ଯୁଗ'ର ଅନ୍ତ ଘଟିଛି। ଏବେ ୨୦ ବର୍ଷ ପରେ ବିହାରକୁ ଜଣେ ନୂଆ ମୁଖ୍ୟମନ୍ତ୍ରୀ ମିଳିବେ। ନୀତିଶ ତାଙ୍କ ପୋଷ୍ଟରେ ଲେଖିଛନ୍ତି, "ଆପଣ ଜାଣନ୍ତି ଯେ ୨୪ ନଭେମ୍ବର ୨୦୦୫ରେ ରାଜ୍ୟରେ ପ୍ରଥମ ଥର ପାଇଁ NDA ସରକାର ଗଠନ ହୋଇଥିଲା। ସେବେଠାରୁ ରାଜ୍ୟରେ ଆଇନର ଶାସନ ଚାଲିଛି ଏବଂ ଆମେ କ୍ରମାଗତ ଭାବେ ବିକାଶ କାର୍ଯ୍ୟରେ ନିୟୋଜିତ ଅଛୁ।"
ସରକାର ସବୁ ବର୍ଗର ବିକାଶ କରିଛନ୍ତି
ନୀତିଶ ଆହୁରି ଲେଖିଛନ୍ତି, ସରକାର ଆରମ୍ଭରୁ ହିଁ ସମସ୍ତ ବର୍ଗର ବିକାଶ କରିଛନ୍ତି - ସେ ହିନ୍ଦୁ ହେଉ, ମୁସଲିମ ହେଉ, ଉଚ୍ଚ ଜାତି, ପଛୁଆ ବର୍ଗ, ଅତି ପଛୁଆ ବର୍ଗ, ଦଳିତ କିମ୍ବା ମହାଦଳିତ - ସମସ୍ତଙ୍କ ପାଇଁ କାମ କରାଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ରାସ୍ତା, ବିଦ୍ୟୁତ ଓ କୃଷି ପରି ପ୍ରତିଟି କ୍ଷେତ୍ରରେ ବିକାଶ ହୋଇଛି। ମହିଳା ଏବଂ ଯୁବକମାନଙ୍କ ପାଇଁ ମଧ୍ୟ ଅନେକ ପଦକ୍ଷେପ ନିଆଯାଇଛି। ଆଗାମୀ ପାଞ୍ଚ ବର୍ଷ ଅର୍ଥାତ୍ ୨୦୨୫ ରୁ ୨୦୩୦ ପାଇଁ '୭ ନିଶ୍ଚୟ-୩' ଯୋଜନା ପ୍ରସ୍ତୁତ କରାଯାଇଛି, ଯାହାଦ୍ୱାରା ବିହାର ଆହୁରି ଆଗକୁ ଯିବ।
ଦେଶର ଶୀର୍ଷ ରାଜ୍ୟ ମଧ୍ୟରେ ସାମିଲ ହେବ ବିହାର
ନୀତିଶ କହିଛନ୍ତି ଯେ, ବିହାରର ବିକାଶରେ କେନ୍ଦ୍ର ସରକାରଙ୍କ ସମ୍ପୂର୍ଣ୍ଣ ସହଯୋଗ ମିଳୁଛି। ଏଥିପାଇଁ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ କହିଛନ୍ତି, "ମୁଁ ସ୍ଥିର କରିଥିଲି ଯେ ଏବେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିଦେବି, ତେଣୁ ଆଜି ମନ୍ତ୍ରିମଣ୍ଡଳ ବୈଠକ ପରେ ରାଜ୍ୟପାଳଙ୍କୁ ଇସ୍ତଫା ଦେଇଛି। ଏବେ ନୂଆ ସରକାର କାମ କରିବେ। ସମସ୍ତଙ୍କୁ ବହୁତ ବହୁତ ଧନ୍ୟବାଦ ଏବଂ ଶୁଭକାମନା।"
ନୂଆ ସରକାର ଗଠନ ପାଇଁ ତତ୍ପରତା
ବିହାରରେ ନୂଆ ସରକାର ଗଠନ ପାଇଁ ରାଜନୈତିକ ହଲଚଲ ଜୋର ଧରିଛି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିତିନ ନବୀନଙ୍କ ସହ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ଶିବରାଜ ସିଂ ଚୌହାନ ଏବଂ ବିନୋଦ ତାୱଡେଙ୍କ ସମେତ ଅନ୍ୟ ନେତାମାନେ ନୂଆ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବେ। ଏହି ନେତାମାନେ ନୀତିଶ କୁମାରଙ୍କୁ ଭେଟି ବିଜେପିର ଆଧିକାରିକ ନିଷ୍ପତ୍ତି ବିଷୟରେ ଜଣାଇଛନ୍ତି। ଖୁବଶୀଘ୍ର ବିହାରର ଭବିଷ୍ୟତ ଶାସନ ଗାଦିରେ କିଏ ବସିବେ, ତାହାର ଚିତ୍ର ସ୍ପଷ୍ଟ ହୋଇଯିବ।