ଡୁଙ୍ଗୁରିପାଲି: ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ଅନ୍ତର୍ଗତ ବୈଦୁପାଲି ଛକ ନିକଟରେ ଏକ ସିରିଜ ଦୁର୍ଘଟଣା ଘଟିଛି । ଦ୍ରୁତ ଗତିରେ ଆସୁଥିବା ଏକ ବୋଲେରୋ ଗାଡ଼ି ପ୍ରଥମେ ଏକ କାର ଓ ପରେ ଏକ ବାଇକକୁ ଧକ୍କା ଦେଇଛି । ଫଳରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ବାଇକ ଚାଳକ ସୁନାପାଲି ଗ୍ରାମର ବିନୋଦ ପ୍ରଧାନ ।
ମିଳିଥିବା ସୂଚନା ଅନୁସାରେ, ସୋମବାର ଅପରାହ୍ନରେ ବଲାଙ୍ଗିର ପଟୁ ଏକ ବୋଲେରୋ ଗାଡ଼ି ଦ୍ରୁତ ଗତିରେ ଆସୁଥିଲା । ବୈଦୁପାଲି ଛକ ନିକଟରେ ଏକ କାରକୁ ଓଭରଟେକ୍ କରିବାକୁ ଯାଇ ଧକ୍କା ଦେଇଥିଲା । ପରେ ବିପରୀତ ଦିଗରୁ ଆସୁଥିବା ବାଇକ୍ କୁ ପିଟି ଘୋଷାଡ଼ି ଜମି ଭିତରକୁ ନେଇଥିବା ବେଳେ ବାଇକ ଚାଳକ ଛିଟିକି ପଡ଼ିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡୁଙ୍ଗୁରିପାଲି ଅଗ୍ନିଶମ ବାହିନୀ ଉଦ୍ଧାର କରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ତାଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ହେବାରୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଖବର ପାଇ ଡୁଙ୍ଗୁରିପାଲି ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।