କନ୍ଧମାଳ: କନ୍ଧମାଳ ଜିଲ୍ଲାର କଳିଙ୍ଗା ଘାଟିରେ ବଡ଼ଧରଣର ଭୂସ୍ଖଳନ ହୋଇଛି । ପାହାଡ଼ରୁ ମାଟି ଅତଡ଼ା ଖସି ସମ୍ପୂର୍ଣ୍ଣ ରାସ୍ତା ଅବରୋଧ ହୋଇଛି । କନ୍ଧମାଳରୁ ଗଞ୍ଜାମକୁ ଯୋଗାଯୋଗ ସଂପୂର୍ଣ୍ଣ ଠପ୍ ହୋଇଯାଇଛି ।
ଲଗାଣ ବର୍ଷା ଯୋଗୁଁ ମଙ୍ଗଳବାର ଅପରାହ୍ନ ପ୍ରାୟ ୩ଟାରେ କଳିଙ୍ଗା ଘାଟିର ଅନ୍ଧାରକୋଟ ନିକଟରେ ଭୂସ୍ଖଳନ ହୋଇଥିଲା । ପାହାଡ଼ରୁ ମାଟି ଅତଡ଼ା ଖସିଥିଲା । ଫଳରେ ୧୫୭ ନମ୍ବର ବିଜୟୱାଡ଼ା-ରାଞ୍ଚି ଜାତୀୟ ରାଜପଥରେ ଉପରେ ଶହ ଶହ ସଂଖ୍ୟାରେ ଗାଡ଼ି ଅଟକି ରହିଛି । ଏହି ରାସ୍ତା ଦେଇ କନ୍ଧମାଳ, ବୌଦ୍ଧ, ସୁବର୍ଣ୍ଣପୁର ବଲାଙ୍ଗୀର, ବରଗଡ଼, ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର ଲୋକେ ଯାତାୟତ କରିଥାନ୍ତି । ଖାଲି ସେତିକି ନୁହେଁ ଛତିଶଗଡ଼ ଓ ଆନ୍ଧ୍ରପ୍ରଦେଶର ଲୋକେ ମଧ୍ୟ ପ୍ରଭାବିତ ହୋଇଛନ୍ତି ।
ସେପଟେ ଭୂସ୍ଖଳନ ପରେ ଜାତୀୟ ରାଜପଥ ପ୍ରାଧିକରଣ ଟିମ୍ ପହଁଚିଛନ୍ତି । ବର୍ଷା ଛାଡ଼ିବା ପରେ ମରାମତି କାମ ଆରମ୍ଭ ହେବ ବୋଲି ଏସ୍ଡିଓ ସୂଚନା ଦେଇଛନ୍ତି । ପ୍ରଥମେ ଗାଡ଼ି ଯିବା ଆସିବା ପାଇଁ ମରାମତି କରାଯିବ ଏବଂ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ମରାମତି ହେବ ।