କଟକ: ଡିଜେ ଗାଡ଼ି ଢାଞ୍ଚାକୁ ନେଇ ରାଜ୍ୟ ପରିବହନ ପ୍ରାଧିକରଣ କଟକଣା ଲଗାଇଛି । ବିନା ଅନୁମତିରେ ଡିଜେ ଗାଡ଼ିର ଢାଞ୍ଚା ପରିବର୍ତ୍ତନ ଉପରେ ଏସଟିଏ କଟକଣା ଲଗାଇଛି । ନିର୍ଦ୍ଧାରିତ ଆକାର, ଶବ୍ଦ ଏବଂ ଅତି ଉଜ୍ଜ୍ୱଳ ଆଲୋକକୁ ବଦଳାଇଲେ ଆର୍ଥିକ ତଣ୍ଡ ଗଣିବା ସହିତ ପଞ୍ଜୀକରଣ ଓ ଫିଟନେସ୍ ରଦ୍ଦ କରାଯିବ ବୋଲି ଏସଟିଏ ଚେତାବନୀ ଦେଇଛି ।
ଡିଜେ ଗାଡ଼ିର ଅନୁମୋଦିତ ଲମ୍ବ, ପ୍ରସ୍ଥ, ଉଚ୍ଚତା ଏବଂ ପଛପଟ ଓଭରହ୍ୟାଙ୍ଗଠାରୁ ଅଧିକ ଗଠନମୂଳକ ପରିବର୍ତ୍ତନ, ଯାହା ଯାନର ଗତିବିଧି ଏବଂ ସୁରକ୍ଷିତ ରାସ୍ତା ବ୍ୟବହାରକୁ ଗୁରୁତର ଭାବରେ ବିପଦରେ ପକାଇଥାଏ । ଡିଜେ ଯାନରେ ତୀବ୍ର ଆଲୋକ ବ୍ୟବସ୍ଥା, ବିଶେଷକରି ରାତି ସମୟରେ ଟ୍ରାଫିକ୍ ବ୍ୟବସ୍ଥା ଉପରେ ପ୍ରଭାବ ପକାଇଥାଏ । ଯାହା ଦ୍ୱାରା ଗାଡ଼ି ମୁହାଁମୁହିଁ ଧକ୍କାର ଆଶଙ୍କା ବୃଦ୍ଧି କରୁଛି । ଅତ୍ୟଧିକ ଉଚ୍ଚ ସ୍ୱରରେ ଗୀତ ବାଜିବା, ଆମ୍ପ୍ଲିଫାୟର୍, ଲେଜର୍ ଲାଇଟ୍ ଇତ୍ୟାଦି ଢାଞ୍ଚା ସଡ଼କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରୁଛି ।
ଜନସାଧାରଣଙ୍କ ସୁରକ୍ଷା ଏଭଳି ଅସୁରକ୍ଷିତ ଡିଜେ ଗାଡ଼ି ଉପରେ ଏସଟିଏ କଟକଣା ଜାରି କରିଛି । ଏଥିପାଇଁ ସର୍କୁଲାର ଜାରି ରହିଛି । ପାର୍ବଣ ଋତୁରେ ଯେପରି ଏଭଳି ବେଆଇନ ଯାନକୁ ବ୍ୟବହାର ନ କରାଯାଏ ସେଥିପାଇଁ ସେଥିପ୍ରତି ଦୃଷ୍ଟି ଦେବାକୁ ପୋଲିସ ବିଭାଗକୁ କୁହାଯାଇଛି । ଯେଉଁମାନେ ନିୟମ ଉଲ୍ଲଂଘନ କରୁଛନ୍ତି, ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆରଟିଓକୁ ମଧ୍ୟ ଏସଟିଏ ଅନୁରୋଧ କରିଛି ।
Also read: ମୋଦୀଙ୍କ ଜନ୍ମ ଦିନ ଉପଲକ୍ଷେ ବୃକ୍ଷ ରୋପଣ କଲେ ମୁଖ୍ୟମନ୍ତ୍ରୀ