ଭୁବନେଶ୍ଵର: ଓଡ଼ିଆ ଚଳଚ୍ଚିତ୍ର ‘ଲହରୀ’ ମୁକ୍ତିଲାଭ କରିବା ସହ ଦର୍ଶକ ଓ ସମାଲୋଚକଙ୍କ ପ୍ରଶଂସା ସାଉଁଟିବାରେ ଲାଗିଛି। ସଫଳତାର ସହ ପ୍ରଦର୍ଶନ ଜାରି ରଖିଥିବା ବେଳେ ଏ ଭିତରେ ଏକ ଖୁସି ଖବର ଆସିଛି। ଷଷ୍ଠ ମୁମ୍ବାଇ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ପାଇଁ ‘ଲହରୀ’ମନୋନୀତ ହୋଇଛି। ଆସନ୍ତା ୨୫ ତାରିଖରେ ପୁନେ ସ୍ଥିତ ନ୍ୟାସନାଲ୍ ଫିଲ୍ମ ଆର୍କାଇସରେ ପ୍ରଦର୍ଶିତ ହେବ। ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ତରଫରୁ ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ସହାୟତାରେ ଆୟୋଜିତ ଏହି ଅନ୍ତର୍ଜାତୀୟ ମହୋତ୍ସବ ପାଇଁ ଓଡ଼ିଆ ଚଳଚ୍ଚିତ୍ର ଲହରୀ ମନୋନୀତ ହେବା ନେଇ ପ୍ରଯୋଜିକା ଝିଲିକ୍ ଭଟ୍ଟାଚାର୍ଯ୍ୟ ଓ ନିର୍ଦ୍ଦେଶକ ଅମର୍ତ୍ତ୍ୟ ଭଟ୍ଟାଚାର୍ଯ୍ୟ ଖୁସିବ୍ୟକ୍ତ କରିଛନ୍ତି।
ପୂର୍ବରୁ ଚଳଚ୍ଚିତ୍ରଟି କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ, ମେଲବର୍ଣ୍ଣ ଚଳଚ୍ଚିତ୍ର ମହୋତ୍ସବ, ଆଇଜଲାଣ୍ଡ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ ଓ ତସ୍ବିର୍ ଚଳଚ୍ଚିତ୍ର ମହୋତ୍ସବରେ ପୁରସ୍କୃତ ହେବା ସହ ପ୍ରଶଂସା ଲାଭ କରିଛି। ମୁମ୍ବାଇରେ ହେବାକୁ ଥିବା ପ୍ରଦର୍ଶନୀରେ ଚଳଚ୍ଚିତ୍ରର ପ୍ରଯୋଜିକା ଓ ନିର୍ଦ୍ଦେଶକ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ ସୂଚନା ମିଳିଛି। ସଂସ୍କୃତି, ପରମ୍ପରା ଓ ପର୍ଯ୍ୟଟନ ବିକାଶ ସାଙ୍ଗକୁ ସାମାଜିକ ଜୀବନରେ ମୂଳ ତତ୍ୱ ସହ ଯୋଡି ରଖିବା ଏବଂ ବାପା-ପୁଅର ସମ୍ପର୍କ ଉପରେ ଆଧାରିତ ହୋଇଛି ଏହାର କାହାଣୀ ।
ସିନେମାର ବିଭିନ୍ନ ଭୂମିକାରେ ଚୌଧୁରୀ ଜୟପ୍ରକାଶ ଦାସ, ଚୌଧୁରୀ ବିକାଶ ଦାସ, ଦୀପନ୍ବିତ ଦାଶ ମହାପାତ୍ର, ସୁଶାନ୍ତ ମିଶ୍ର, ପ୍ରସନ୍ନଜିତ୍, ସ୍ବସ୍ତିକ ଚୌଧୁରୀ, ସନ୍ଦୀପ ବଳ, ଅଭିନେତ୍ରୀ ଅଙ୍କିତା, ସ୍ମୃତି ମହଲା ପ୍ରମୁଖ ଅଭିନୟ କରିଛନ୍ତି। ପରିଚିତ ତାରକା ଦେବଶିଷ ପାତ୍ର, ହର ରଥ, ଝିଲିକ୍ ପ୍ରମୁଖ ଅତିଥି କଳାକାର ଭୂମିକାରେ ଥିବା ବେଳେ ଲୋକପ୍ରିୟ ଅଭିନେତା ବାବୁସାନ୍ ମହାନ୍ତି ଏକ ଗୁରୁତ୍ୱପୂର୍ଣ ଭୂମିକାରେ ଦେଖା ଦେଇଛନ୍ତି ।