ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମଦିନରେ ରାଜ୍ୟରେ ରେକର୍ଡ ସଂଖ୍ୟକ ବୃକ୍ଷ ରୋପଣ କରାଯାଇଛି । ଏକ୍ ପେଡ୍ ମା କେ ନାମ୍ ୨.୦ ଅଭିଯାନରେ ରାଜ୍ୟ ସରକାର ଅଦ୍ଭୁତପୂର୍ବ ସଫଳତା ହାସଲ କରିଛନ୍ତି । ରାଜ୍ୟ ବ୍ୟାପୀ କୋଟିଏରୁ ଉର୍ଦ୍ଧ୍ୱ ଚାରା ରୋପଣ କରାଯାଇଛି । ଗୁରୁବାର ଅପରାହ୍ନ ୨ଟା ୧୬ମିନିଟ୍ ସୁଦ୍ଧା ରାଜ୍ୟବ୍ୟାପୀ ୧,୦୦,୨୧,୨୩୬ ଚାରା ରୋପଣ ସଫଳ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏଥିରେ ସାମିଲ ହୋଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଆନ୍ତରିକ କୃତଜ୍ଞତା ଏବଂ ଅଭିନନ୍ଦନ ଜଣାଇଛନ୍ତି ।
ରାଜ୍ୟ ସରକାର ମୋଦୀଙ୍କ ୭୫ତମ ଜନ୍ମଦିନରେ ୭୫ ଲକ୍ଷ ଚାରା ରୋପଣ ପାଇଁ ଆହ୍ୱାନ କରିଥିଲେ । ପ୍ରତ୍ୟେକ ଜିଲ୍ଲାରେ ଲୋକେ ଏଥିରେ ସ୍ୱତଃପ୍ରତଭାବେ ସାମିଲ ହୋଇଥିବା ଦେଖିବାକୁ ମିଳିଛି । ଶିକ୍ଷାନୁଷ୍ଠାନଠାରୁ ଆରମ୍ଭ କରି ବିଭିନ୍ନ ସ୍ୱାସ୍ଥ୍ୟ କେନ୍ଦ୍ର, ସାମାଜିକ ଅନୁଷ୍ଠାନ ଗୁଡ଼ିକରେ ବୃକ୍ଷ ରୋପଣ କରାଯାଇଛି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମ ସମସ୍ତଙ୍କ ପ୍ରିୟ ଯଶସ୍ଵୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କ ୭୫ ତମ ଜନ୍ମଦିନରେ ଆମେ ଯେଉଁ ୭୫ ଲକ୍ଷ ଗଛ ଲଗାଇବାର ସଂକଳ୍ପ କରିଥିଲେ ସେଥିରେ ସଫଳ ହୋଇଛନ୍ତି। ସାମୂହିକ ପ୍ରୟାସରେ ଜନ୍ମଦାତ୍ରୀ ମାତା ଓ ଧରିତ୍ରୀ ମାତା ପ୍ରତି ଆମେ ଆମର ମୌଳିକ ଦାୟିତ୍ୱ ବିଷୟରେ ସଚେତନ ହୋଇପାରିଛୁ ଏବଂ ଏହାକୁ ଏକ ଜନ ଆନ୍ଦୋଳନରେ ପରିଣତ କରିପାରିଛୁ। ଏଥିପାଇଁ ସମସ୍ତଙ୍କୁ ଆନ୍ତରିକ ଧନ୍ୟବାଦ । ଆଜି ଯେଉଁ ଗଛଗୁଡ଼ିକ ଲାଗିଛି - ପ୍ରତ୍ୟେକଟି ଗଛ ଏକ ସବୁଜ ସୁନ୍ଦର ଓଡ଼ିଶା ପାଇଁ ଆମ ସଂକଳ୍ପର ବାର୍ତ୍ତାବହ, ପ୍ରତ୍ୟେକଟି ଗଛ ଓଡ଼ିଶା ପାଇଁ ମୋଦୀଜୀଙ୍କ ସ୍ନେହ, ଶ୍ରଦ୍ଧା ଏବଂ ଓଡ଼ିଶାର ବିକାଶ ପାଇଁ ତାଙ୍କର ପ୍ରତିବଦ୍ଧତା ପ୍ରତି ଗୋଟିଏ ଗୋଟିଏ ଧନ୍ୟବାଦ । ଆଜିର ଏ ଅଭିଯାନ ପରିବେଶ ପାଇଁ ଆମର ସାରା ସମାଜକୁ ଏକଜୁଟ୍ କରିଛି। ଆଗାମୀ ଦିନରେ ଏ ଅଭିଯାନ ଆହୁରି ବ୍ୟାପକ ହେବ। ପରିବେଶ ଉପରେ ଏହାର ସକାରାତ୍ମକ ପ୍ରଭାବ ପଡ଼ିବ ଓ ଆମ ଭବିଷ୍ୟତ ପିଢିର ସୁରକ୍ଷା ପାଇଁ ମୋଦୀଜୀଙ୍କ ନେତୃତ୍ୱ ଓ ସଂକଳ୍ପ ତଥା ଆମ ଦାୟିତ୍ୱର ପରିଚୟ ବହନ କରିବ।