ଦୁବାଇ: ବହୁ ନାଟକୀୟ ଡ୍ରାମା ପରେ ଏସିଆ କପ୍ ୨୦୨୫ର ପାକିସ୍ତାନ ଓ ୟୁଏଇ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍ ଖେଳା ଯାଇଛି । ମ୍ୟାଚରେ ପାକିସ୍ତାନ ୪୧ ରନରେ ୟୁଏଇକୁ ହରାଇ ଗ୍ରୁପ ଏରୁ ଦ୍ୱିତୀୟ ଦଳ ଭାବେ ସୁପର-୪ରେ ପ୍ରବେଶ କରିଛି । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୟୁଏଇ ସମ୍ମୁଖରେ ୧୪୭ ରନର ବିଜୟ ଲକ୍ଷ୍ୟ ରଖିଥିଲା । ଜବାବରେ ୟୁଏଇ ୧୭.୪ ଓଭରରେ ୧୦୫ ରନରେ ଅଲଆଉଟ ହୋଇଛି । ପାକିସ୍ତାନ ଏବେ ସୁପର-୪ରେ ଭାରତ ସହ ମୁକାବିଲା କରିବ । ଏହି ମ୍ୟାଚ୍ ସେପ୍ଟେମ୍ବର ୨୧ ରବିବାର ଦିନ ଦୁବାଇରେ ଖେଳାଯିବ । ଭାରତ ଗ୍ରୁପ ପର୍ଯ୍ୟାୟରେ ଖେଳା ଯାଇଥିବା ମ୍ୟାଚରେ ପାକିସ୍ତାନକୁ ୭ ୱିକେଟରେ ଧୂଳି ଚଟାଇଥିଲା । ପ୍ରଥମରୁ ସୁପର-୪ରେ ପ୍ରବେଶ କରି ସାରିଥିବା ଭାରତ ସେପ୍ଟେମ୍ବର ୧୯ରେ ଓମାନ ବିପକ୍ଷରେ ଖେଳିବ ।
୧୪୭ ରନର ବିଜୟ ଲକ୍ଷ୍ୟ ପିଛା କରିଥିବା ୟୁଏଇର ଆରମ୍ଭ କିଛି ଖାସ୍ ନ ଥିଲା । ଆଲିଶାନ ଶରାଫୁ(୨୧) ଓ ଅଧିନାୟକ ମହମ୍ମଦ ୱାସିମ(୧୪) କିଛି ଭଲ ସଟ୍ ଖେଳିଥିଲେ । ମାତ୍ର ବଡ ଇନିଂସ ଖେଳି ପାରି ନ ଥିଲେ । ୟୁଏଇ ପାଇଁ ସର୍ବାଧିକ ରନ ଆକାଶ ଚୋପ୍ରା ୩୫ ବଲରୁ ୩୦ ରନ କରିଥିଲେ । ଏଥିରେ ଗୋଟିଏ ଚୌକା ଓ ଗୋଟିଏ ଛକା ସାମିଲ । ଧ୍ରୁବ ପରାଶର ୨୩ ବଲରୁ ୨୦ ରନର ଯୋଗଦାନ ଦେଇଥିଲେ । ସେ ରାହୁଲଙ୍କ ସହ ତୃତୀୟ ୱିକେଟ ପାଇଁ ୪୮ ରନ ଯୋଡିଥିଲେ । ହେଲେ ଦଳ ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୭.୪ ଓଭରରେ ୧୦୫ ରନରେ ଅଲଆଉଟ୍ ହୋଇଛି । ପାକିସ୍ତାନ ପାଇଁ ଶାହୀନ ଆଫ୍ରିଦି, ହାରିସ ରଉଫ, ଅବରାର ଅହମ୍ମଦ ଦୁଇଟି ଲେଖାଏଁ ୱିକେଟ୍ ନେଇଥିବା ବେଳେ ସଇମ ଆୟୁବ ଓ ସଲମାନଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି ।
ଏହା ପୂର୍ବରୁ ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ହରାଇ ୧୪୬ ରନ କରିଥିଲା । ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ପାକିସ୍ତାନର ଆରମ୍ଭ ନୈରାଶ୍ୟଜନକ ଥିଲା । ସଇମ ଆୟୁବ ନିଜର ଖରାପ ଫର୍ମ ବଜାୟ ରଖି ପ୍ରଥମ ଓଭରରେ ପୁଣି ଖାତା ନ ଖୋଲି ଆଉଟ୍ ହୋଇଥିଲେ । ସାହିବଜାଦା ଫରହାନ(୫) ନିରାଶ କରିଥିଲେ । ଏହା ପରେ ଫଖର ଜମାନ ଓ ସଲମାନ ଆଗା ଭଲ ଭ୍ୟାଟିଂ କରି ତୃତୀୟ ୱିକେଟ୍ ପାଇଁ ୬୧ ରନ ଯୋଡିତିଲେ । ସଲମାନ ଆଗା ୨୭ ବଲରୁ ୧୭ ରନ କରି ଆଉଟ୍ ହୋଇଥିଲେ । ଫଖର ଜମାନ ୩୬ ବଲରୁ ୫୦ ରନର ଦମଦାର ଇନିଂସ ଖେଳିଥିଲେ । ହସନ ନୱାଜ ୩ ରନ ଓ ଖୁସଦିଲ ଶାହ ୫ ରନ କରିଥିଲେ ଏବଂ ଦଳର ଛଅ ଜଣ ଖେଳାଳି ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । କିନ୍ତୁ ଶେଷ ଆଡକୁ ଶାହିନ ଶାହ ଆଫ୍ରିଦି ପାକିସ୍ତାନ ଇଜ୍ଜତ ରଖିବା ସହ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ । ସେ ୧୪ ବଲରୁ ୨୯ ରନର ବିସ୍ଫୋରକ ଇନିଂସ ଖେଳିଥିଲେ । ମହମ୍ମଦ ହାରିସ ଓ୪ ବଲରୁ ୧୮ ରନ କରିଥିଲେ । ୟୁଏଇ ପକ୍ଷରୁ ଜୁନୈଦ ସିଦ୍ଦିକି ସର୍ବାଧିକ ୪ ୱିକେଟ୍ ଅକ୍ତିକାର କରିଥିଲେ ।
ସୂଚନାଯୋଗ୍ୟ, ପାକିସ୍ତାନ ବନାମ ୟୁଏଇ ମ୍ୟାଚ୍ ଏକ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା । ପାକିସ୍ତାନ ଦଳ ନିର୍ଦ୍ଧାରିତ ସମୟରେ ହୋଟେଲରୁ ବାହାରି ନ ଥିଲା । ଯାହା ପରେ ପାକିସ୍ତାନ ଏସିଆ କପ୍ ବୟକଟ ଚର୍ଚ୍ଚା ଜୋର ଧରିଥିଲା । ହେଲେ ପାକିସ୍ତାନ ଦଳ ୟୁଏଇ ବିପକ୍ଷ ମ୍ୟାଚ୍ ଖେଳିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲା । ପାକିସ୍ତାନ ଭାରତ ବିପକ୍ଷ ମ୍ୟାଚରେ ନୋ ହ୍ୟାଣ୍ଡସେକ ବିବାଦ ପରେ ବୟକଟ୍ ଧମକ ଦେଇଥିଲା । ପାକିସ୍ତାନ ମ୍ୟାଚ୍ ରେଫରୀ ଆଣ୍ଡି ପାଇକ୍ରାଫ୍ଟଙ୍କୁ ଏସିଆ କପରୁ ହଟାଇବା ପାଇଁ ଦାବି କରିଥିଲା । ହେଲେ ଆଇସିସି ପାକିସ୍ତାନର ଦାବିକୁ ଅଗ୍ରାହ୍ୟ କରି ଦେଇଥିଲା । ପାଇକ୍ରାଫ୍ଟ ପାକିସ୍ତାନ ବନାମ ୟୁଏଇ ମ୍ୟାଚରେ ମ୍ୟାଚ୍ ରେଫରୀ ଥିଲେ ।