ନୂଆଦିଲ୍ଲୀ: ଭାରତ ଓ ଓମାନ ମଧ୍ୟରେ ଆଜି ଖେଳାଯିବା ଏସିଆ କପ୍ ୨୦୨୫ରେ ଶେଷ ଲିଗ୍ ପର୍ଯ୍ୟାୟ ମ୍ୟାଚ୍ । ଏହି ମ୍ୟାଚ୍ ପାଇଁ ସୁନୀଲ ଗାଭାସ୍କରଙ୍କ କହିବା କଥା ଯଶପ୍ରୀତ ବୁମରାଙ୍କୁ ବିଶ୍ରାମ ଦିଆଯାଉ । କେବଳ ଆଜିର ମ୍ୟାଚ୍ ନୁହେଁ ବରଂ ପାକିସ୍ତାନ ବିପକ୍ଷରେ ସେପ୍ଟେମ୍ବର ୨୧ରେ ଖେଳା ଯିବାକୁ ଥିବା ମୁକାବିଲାରେ ମଧ୍ୟ ବୁମରାଙ୍କୁ ବିଶ୍ରାମ ଦିଆଯାଉ । ବୁମରା ପାକିସ୍ତାନ ବିପକ୍ଷ ଗ୍ରୁପ ଷ୍ଟେଜ ମ୍ୟାଚରେ ଦମଦାର ବୋଲିଂ କରିଥିଲେ । ପାକିସ୍ତାନର ବ୍ୟାଟିଂ କ୍ରମ ଦେଖିଲେ ଲାଗୁଛି ଟିମ୍ ଇଣ୍ଡିଆ ବୁମରାଙ୍କ ବିନା ମଧ୍ୟ ମ୍ୟାଚ୍ ଜିତି ପାରିବ । ଏହା ବ୍ୟତୀତ ଗାଭାସ୍କର ଏସିଆ କପ୍ ଫାଇନାଲକୁ ନେଇ ମଧ୍ୟ ବଡ ଭବିଷ୍ୟତବାଣୀ କରିଛନ୍ତି ।
ଗାଭାସ୍କର କହିଛନ୍ତି, ଆଜିର ଓମାନ ବିପକ୍ଷ ମ୍ୟାଚରେ ଭାରତ ଟସ୍ ଜିତିଲେ ପ୍ରଥମେ ବ୍ୟାଟିଂ କରିବା ଉଚିତ୍ । କାରଣ ଏ ପର୍ଯ୍ୟନ୍ତ ପୂରା ବ୍ୟାଟିଂ କ୍ରମର ପରୀକ୍ଷା ହୋଇ ନାହିଁ । ସୂର୍ଯ୍ୟକୁମାର ଯାଦବଙ୍କୁ ଆଜିର ମ୍ୟାଚରେ ନମ୍ବର ୩ରେ ତିଳକ ବର୍ମାଙ୍କୁ ସୁଯୋଗ ଦେବା ଉଚିତ୍ । ସଞ୍ଜୁ ସାମସନଙ୍କୁ ମଧ୍ୟ ବ୍ୟାଟିଂରେ ସୁଯୋଗ ଦିଆଯାଉ । ଏମିତି ହେଲେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ସହ ଶ୍ରୀଲଙ୍କା ଓ ବାଂଲାଦେଶ ମୁକାବିଲା ପୂର୍ବରୁ ଭାରତକୁ ଭଲ ଅଭ୍ୟାସ୍ ମିଳି ପାରିବ । ବୋଲିଂ ତୁଳନାରେ ଏବ ବ୍ୟାଟିଂକୁ ପରଖିବାର ସମୟ ଆସିଛି ।
ଗାଭାସ୍କର ଫାଇନାଲକୁ ନେଇ ବଡ ଭବିଷ୍ୟତବାଣୀ କରିଛନ୍ତି । ସେ କହିଛନ୍ତି, ମୋର କହିବା କଥା ବୁମରାଙ୍କୁ ବିଶ୍ରାମ ଦିଆଯାଉ । ଏପରିକି ପାକିସ୍ତାନ ବିପକ୍ଷରେ ବି ବିଶ୍ରାମ ଦିଆଯାଉ । ଯଦ୍ୱାରା ସେପ୍ଟେମ୍ବର ୨୮ ତାରିଖ ଶ୍ରୀଲଙ୍କା ବିପକ୍ଷରେ ହେବାକୁ ଥିବା ବଡ ମ୍ୟାଚ୍ ପାଇଁ ବୁମରା ଉପଲବ୍ଧ ରହି ପାରିବେ । ଏମିତି ହେଲେ ବେଞ୍ଚରେ ବସିଥିବା ଖେଳାଳିଙ୍କୁ ମଧ୍ୟ ସୁଯୋଗ ମିଳି ପାରିବ ।
Also read:ବୁମରାଙ୍କ ସ୍ଥାନରେ କିଏ ? ଓମାନ ବିପକ୍ଷ ମ୍ୟାଚରେ ଏମିତି ହୋଇପାରେ ଭାରତର ପ୍ଲେଇଙ୍ଗ ଇଲେଭେନ