ଭୁବନେଶ୍ୱର: ନିଜ ଜିଲ୍ଲାରେ ଆଉ ଶିକ୍ଷକଙ୍କୁ ମିଳିବନି ନିଯୁକ୍ତି । ଓଡ଼ିଶା ସରକାର ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ବଦଳି ଓ ନିଯୁକ୍ତି ପାଇଁ ନୂଆ ନୀତି ପ୍ରସ୍ତୁତ କରିଛନ୍ତି । ସାଧାରଣ ପ୍ରଶାସନ ବିଭାଗ ନିୟମ ଅନୁସାରେ, ବାର୍ଷିକ ବଦଳି ଏପ୍ରିଲ ୧୫ ତାରିଖରୁ ଜୁନ୍ ୧୫ ମଧ୍ୟରେ ହେବ । ନିଜ ଜିଲ୍ଲାରେ ନିଯୁକ୍ତି ଦିଆଯିବ ନାହିଁ ଯଦି ବି ପାଇଲେ ତେବେ ନିଜ ବ୍ଲକରେ ରହିବାକୁ ଅନୁମତି ଦିଆଯିବ ନାହିଁ ବୋଲି ସୂଚନା ରହିଛି ।
ସେହିପରି, ଜିଲ୍ଲା କ୍ୟାଡର କୌଣସି ଅଧିକାରୀ କିମ୍ବା କର୍ମଚାରୀ ଗୋଟିଏ ସ୍ଥାନରେ ଅତିକମରେ ୩ ବର୍ଷ କାମ କରିବା ପରେ ବଦଳି ପାଇଁ ଯୋଗ୍ୟ ହେବେ, କିନ୍ତୁ ୬ ବର୍ଷରୁ ଅଧିକ ରହିପାରିବେ ନାହିଁ । ଅବିଭକ୍ତ କେବିକେ, ଗଜପତି, କନ୍ଧମାଳ କିମ୍ବା ବୌଦ୍ଧ ଜିଲ୍ଲାରେ ୫ ବର୍ଷ ପୂରଣ କରିଥିଲେ ଅନ୍ୟ ଜିଲ୍ଲାକୁ ବଦଳି ହୋଇପାରିବେ । ଅନ୍ୟ ଜିଲ୍ଲାରେ ୧୦ ବର୍ଷ କାମ କରିଥିବା ଶିକ୍ଷକମାନେ କେବିକେ, ଗଜପତି, କନ୍ଧମାଳ ଓ ବୌଦ୍ଧ ଜିଲ୍ଲାଗୁଡ଼ିକରେ ନିଯୁକ୍ତ ହେବେ ।
ଅବସର ଗ୍ରହଣ କରିବାକୁ ଦୁଇ ବର୍ଷ ଥିବା ଅଧିକାରୀଙ୍କୁ ଯେଉଁଠାରେ ଅଛନ୍ତି ସେଠାରେ ରଖିବା କିମ୍ବା ସେମାନେ ନିଜ ଜିଲ୍ଲାକୁ ବଦଳି ହୋଇପାରିବେ। ଯଦି ସ୍ବାମୀ-ସ୍ତ୍ରୀ ସରକାରୀ କର୍ମଚାରୀ ହୋଇଥାନ୍ତି ତାହା ହେଲେ ସେମାନଙ୍କୁ ନିକଟସ୍ଥ କିମ୍ବା ପାଖ ଅଞ୍ଚଳରେ ନିଯୁକ୍ତି ଦିଆଯାଇପାରିବ। କମିଟି ମାଧ୍ୟମରେ ବଦଳି ଓ ନିଯୁକ୍ତି ପ୍ରକ୍ରିୟାରେ ସ୍ବଚ୍ଛତା ଆଣିବାକୁ ବିଭାଗ ନିଷ୍ପତ୍ତ ନେଇଛି ।