ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ ଅଣସ୍ୱୀକୃତିପ୍ରାପ୍ତ ପଞ୍ଜିକୃତ ଦଳ ବିରୁଦ୍ଧରେ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ନିର୍ବାଚନ ଆୟୋଗ ୪୭୪ଟି ରାଜନୈତିକ ଦଳର ପଞ୍ଜିକରଣ ବାତିଲ କରିଛନ୍ତି ।
ଜନପ୍ରତିନିଧିତ୍ୱ ଆଇନ, ୧୯୫୧ ଅନୁଯାୟୀ, ଯେକୌଣସି ପଞ୍ଜିକୃତ ଦଳକୁ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିବାକୁ ପଡିବ । ଯଦି ଲଗାତାର ୬ ବର୍ଷ ପାଇଁ ନିର୍ବାଚନରୁ ଦୂରେଇ ରୁହନ୍ତି, ତେବେ ଏଗୁଡ଼ିକର ପଞ୍ଜିକରଣ ବାତିଲ କରାଯାଇଥାଏ । ଅଗଷ୍ଟ ୯ ତାରିଖରେ ମଧ୍ୟ ନିର୍ବାଚନ ଆୟୋଗ ୩୩୪ଟି ଦଳର ପଞ୍ଜିକରଣ ରଦ୍ଦ କରିଥିଲେ । ମୋଟ ୮୦୮ ଟି ଦଳର ପଞ୍ଜିକରଣ ବାତିଲ କରାଯାଇଛି । ୨୩ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଥିବା ଦଳ ଗୁଡ଼ିକ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଉତ୍ତର ପ୍ରଦେଶରୁ ସର୍ବାଧିକ ୧୨୧ ଟି ଦଳ ପଞ୍ଜିକୃତ ହୋଇଥିଲା । ସେହିପରି ବିହାରରୁ ୧୫ଟି, ହରିୟାଣାରୁ ୧୭ ଟି ଏବଂ ମଧ୍ୟପ୍ରଦେଶରୁ ୨୩ ଟି, ମହାରାଷ୍ଟ୍ରର ୪୪ ଟି ଓ ପଞ୍ଜାବର ୨୧ ଟି ଦଳର ପଞ୍ଜିକରଣ ଶେଷ ହୋଇଛି ।
ଏହା ବ୍ୟତୀତ, ୩୫୯ ଟି ରାଜନୈତିକ ଦଳ ଏବେ ମଧ୍ୟ ତାଲିକାରେ ରହିଛନ୍ତି । ଯେଉଁମାନଙ୍କ ବିରୁଦ୍ଧରେ ଆଗାମୀ ଦିନରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେମାନେ ଗତ ତିନି ବର୍ଷ ଧରି ସେମାନଙ୍କର ଆର୍ଥିକ ଅଡିଟ୍ ବିଷୟରେ ସୂଚନା ଦେଇନାହାଁନ୍ତି ।
ଗୋଟିଏ ପଞ୍ଜିକୃତ ରାଜନୈତିକ ଦଳକୁ ଟିକସ ଛାଡ଼ ସମେତ ଅନେକ ରିହାତି ମିଳିଥାଏ। କିନ୍ତୁ ଗତ ୬ ବର୍ଷ ଧରି ନିର୍ବାଚନ ନ ଲଢ଼ିବା ପରେ ମଧ୍ୟ ଯେଉଁ ଦଳଗୁଡ଼ିକ ଏପରି ରିହାତିର ସୁଯୋଗ ନେଉଥିଲେ ସେମାନଙ୍କ ବିରୁଦ୍ଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।