ଭୁବନେଶ୍ୱର: ବେଆଇନ ନିଶା କାରବାର ବିରୋଧରେ ଅପରେସନ୍ ପ୍ରହାର ଜାରି ରହିଛି । ୧୮ତମ ଦିନ ସୁଦ୍ଧା ମୋଟ ୧ କୋଟି ୬୦ ଲକ୍ଷ ଟଙ୍କାର ବେଆଇନ ସାମଗ୍ରୀ ଜବତ କରାଯାଇଛି । ସର୍ବମୋଟ ୨୫୪ ଟି ମାମଲା ରୁଜୁ କରାଯିବା ସହ ବେଆଇନ କାର୍ଯ୍ୟରେ ଜଡିତ ଥିବା ୧୫୩ ଜଣକୁ ଗିରଫ କରାଯାଇଛି I
ସୂଚାନ ଅନୁଯାୟୀ, ନିଶା କାରବାର ରୋକିବା ଦିଗରେ ପୋଲିସକୁ ସଫଳତା ମିଳିଛି । ଏନଫୋର୍ସମେଣ୍ଟ ଦଳ ୧୦, ୬୦୬ ଲିଟର ଆଇଡି ଲିକର, ୬୦୩ ଲିଟର ଡ୍ୟୁଟି-ପେଡ୍ ଲିକର, ୧୧ ଲିଟର ନକଲି ମଦ ଜବତ କରିଛନ୍ତି I ସେହିପରି ବେଆଇନ ମଦ ପ୍ରସ୍ତୁତି ପାଇଁ ଥିବା ୧, ୦୭, ୫୨୩ ଲିଟର ପୋଚ ନଷ୍ଟ କରାଯାଇଛି । ଏଥିସହିତ ବେଆଇନ ପରିବହନରେ ବ୍ୟବହୃତ ୨୦ଟି ଗାଡ଼ିକୁ ମଧ୍ୟ ଜବତ କରାଯାଇଛି I ଏଥିରେ ୧୩ଟି ଏନଡିପିଏସ୍ ମାମଲା ରୁଜୁ କରିବା ସହ ୧୬୩ କିଲୋଗ୍ରାମ ଗଞ୍ଜେଇ ଏବଂ ୨୪୫ ଗ୍ରାମ ହେରୋଇନ ଜବତ କରାଯାଇଛି I
ଏହି ବିଶେଷ ଅଭିଯାନ ଜରିଆରେ ନିୟମିତ ଚଢ଼ାଉ ଜାରି ରଖି ବେଆଇନ ମଦ ଓ ଚୋରା ଚାଲାଣରେ ଜଡିତ ନେଟୱର୍କକୁ ଭାଙ୍ଗିବାକୁ ବିଭାଗ ଲକ୍ଷ୍ୟ ରଖିଛି I