ଭାରତର ଉପକୂଳ ସୁରକ୍ଷାକୁ ସୁଦୃଢ କରିବାକୁ ଭାରତୀୟ ତଟରକ୍ଷୀ ବାହିନୀରେ ସାମିଲ ହେଲା ଅତ୍ୟାଧୁନିକ ପାଟ୍ରୋଲିଂ ଜାହାଜ ଅଦମ୍ୟ । ଶୁକ୍ରବାର ଏହାର ଉଦ୍ଘାଟନ କରାଯାଇଛି। ପ୍ରତିରକ୍ଷା ଓ ସଶସ୍ତ୍ର ବାହିନୀର ଯୁଗ୍ମ ସଚିବ ସତ୍ୟଜିତ ମହାନ୍ତି ଆନୁଷ୍ଠାନିକ ଭାବେ ଏହି ଜାହାଜର ଉଦ୍ଘାଟନ କରିଥିଲେ । ‘ମେକ୍ ଇନ୍ ଇଣ୍ଡିଆ’ ଅନ୍ତର୍ଗତ ଯୋଜନାରେ ଏହି ଦ୍ରୁତ ପାଟ୍ରୋଲିଂ ଜାହାଜ ପାରାଦ୍ବୀପ ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇବ। ଦ୍ରୁତ ପାଟ୍ରୋଲିଂ ଜାହାଜ 'ଅଦମ୍ୟ'କୁ ଗୋଆ ସିପ୍ୟାର୍ଡରେ ନିର୍ମାଣ କରାଯାଇଛି। ଆତ୍ମନିର୍ଭର ଭାରତର ଏକ ଉପଯୁକ୍ତ ଉଦାହରଣ ହେଉଛି ଏହି ଜାହାଜ। ୬୦ ପ୍ରତିଶତ ସ୍ବଦେଶୀ ଜ୍ଞାନକୌଶଳର ବ୍ୟବହାର କରି ଏହି ଜାହାଜର ନିର୍ମାଣ କରାଯାଇଛି। ଏହା ପାରାଦ୍ବୀପ ଉପକୂଳରେ ସୁରକ୍ଷା ବଢାଇବା ପାଇଁ ନିୟୋଜିତ ହେବ। ଏହି ଜାହାଜରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର, ଯୋଗାଯୋଗ ପ୍ରଣାଳୀ ଏବଂ ଆଧୁନିକ ପର୍ଯ୍ୟବେକ୍ଷଣ ପ୍ରଯୁକ୍ତିବିଦ୍ୟା ଭଳି ଅତ୍ୟାଧୁନିକ ଜ୍ଞାନକୌଶଳର ବ୍ୟବହାର କରାଯାଇଛି ।
ପାରାଦ୍ବୀପ ବନ୍ଦର ଅଧିକାରୀ କହିଛନ୍ତି, "ପାରାଦ୍ବୀପ ବନ୍ଦରରେ ଏହି ଦ୍ରୁତ ପାଟ୍ରୋଲିଂ ଜାହାଜ ନିୟୋଜନର ମୁଖ୍ୟ କାରଣ ହେଉଛି, ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା, ଅନୁପ୍ରବେଶକାରୀଙ୍କୁ ଚିହ୍ନଟ କରିବା ସହିତ ସମୁଦ୍ର ମଧ୍ୟରେ ଫସିରହିଥିବା ଜାହାଜ କିମ୍ବା କୌଣସି ଦୁର୍ଘଟଣା ଘଟିଲେ ତୁରନ୍ତ ଉଦ୍ଧାରକାର୍ଯ୍ୟ ତ୍ବରାନ୍ବିତ କରିବା । ଏହା ସହିତ ଜାହାଜର ଅତିଶକ୍ତିଶାଳୀ ଇଞ୍ଜିନ କ୍ଷମତା ଯୋଗୁଁ ଏହା ପ୍ରତିଘଣ୍ଟା ୨୮ ନଟସ୍ ବା ୫୦କିମି ପ୍ରତିଘଣ୍ଟା ବେଗ ହାସଲ କରିପାରେ ।"
ଦ୍ରୁତ ପାଟ୍ରୋଲିଂ ଜାହାଜ 'ଅଦମ୍ୟ'
- ଏହାର ୫୧ ମିଟର ଦୈର୍ଘ୍ୟ ବିଶିଷ୍ଟ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଜାହାଜ
- ଜାହାଜ ନିର୍ମାଣରେ ୬୦ ପ୍ରତିଶତ ସ୍ବଦେଶୀ ଜ୍ଞାନକୌଶଳର ବ୍ୟବହାର ହୋଇଛି
- ୨ଟି ଶକ୍ତିଶାଳୀ ୩୦୦୦କିଲୋୱାଟ କ୍ଷମତା ବିଶିଷ୍ଟ ଡିଜେଲ ଇଞ୍ଜିନ ଦ୍ବାରା ୨୮ ନଟସ୍ ବେଗ ହାସଲ କରିବାର କ୍ଷମତା
- ଜାହାଜର କ୍ଷମତା ୩୨୦ ଟନ
- ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ
ଭାରତର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ରକୁ ସୁରକ୍ଷା:
ଏହି ଜାହାଜର କମାଣ୍ଡାଣ୍ଟ ଦାୟିତ୍ବରେ ଅନୁରାଗ ପାଣ୍ଡେ ରହିବେ । ଏହା ସହିତ ୫ଜଣ ଅଧିକାରୀ ଓ ୩୪ ଜଣ ଅନ୍ୟ କର୍ମଚାରୀମାନେ ଜାହାଜରେ ନିୟୋଜିତ ହେବେ । ଏହା ଭାରତୀୟ ତଟରକ୍ଷୀ ବାହିନୀକୁ ସାମୁଦ୍ରିକ ଆଇନ ପ୍ରବର୍ତ୍ତନ, ଉପକୂଳ ପର୍ଯ୍ୟବେକ୍ଷଣ, ସନ୍ଧାନ ଏବଂ ଉଦ୍ଧାର କାର୍ଯ୍ୟ ତଥା ଭାରତର ସ୍ୱତନ୍ତ୍ର ଅର୍ଥନୈତିକ କ୍ଷେତ୍ର ବା EEZର ସୁରକ୍ଷା ଦାୟିତ୍ବ ଗ୍ରହଣ କରିବ ବୋଲି ଅଧିକାରୀ କହିଛନ୍ତି ।