ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ଖରାପ ସଂପର୍କ କ୍ରୀଡା ଜଗତରେ ମଧ୍ୟ ଦେଖିବାକୁ ମିଳିଛି । ହେଲେ ସରକାର ଖେଳାଳିଙ୍କ କ୍ୟାରିୟରକୁ ଦୃଷ୍ଟିରେ ରଖି ନେଇଛନ୍ତି ଯେ, ବହୁ ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ସହିତ ମ୍ୟାଚ୍ ବହିଷ୍କାର କରାଯିବ ନାହିଁ । ଗୋଟିଏ ପଟେ ଏସିଆ କପରେ ଦୁଇ ଦଳ ମୁକାବିଲା କରୁଥିବା ବେଳେ ଆଜି ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପର ଜାଭେଲି ଥ୍ରୋର ଫାଇନାଲ୍ ମୁକାବିଲା ଖେଳାଯିବ । ଏଥିରେ ମୁହାଁମୁହିଁ ହେବେ ଭାରତର ତାରକା ଖେଳାଳି ନୀରଜ ଚୋପ୍ରା ଓ ପାକିସ୍ତାନର ଅରଶଦ ନଦୀମ ।
ଆଜି ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପର ଜାଭେଲିନ ଥ୍ରୋର ଫାଇନାଲ୍ ମୁକାବିଲା ଖେଳାଯିବ । ଟୋକିଓରେ ଖେଳା ଯାଉଥିବା ଫାଇନାଲରେ ନୀରଜ ଚୋପ୍ରା ଦମଦାର ଭାଲା ଫିଙ୍ଗି ପ୍ରଥମ ପ୍ରୟାସରେ ଫାଇନାଲରେ ପ୍ରବେଶ କରିଥିଲେ । ଗ୍ରୁପ ଏରେ ସାମିଲ ନୀରଜ ଚୋପ୍ରା ପ୍ରଥମ ପ୍ରୟାସରେ ୮୪.୮୫ ମିଟର ଦୂର ଭାଲା ଫିଙ୍ଗି କ୍ୱାଲିଫାଏ କରିଥିଲେ । ପାକିସ୍ତାନର ଅରଶଦ ନଦୀମ ଗ୍ରୁପ ବିରେ ଥିଲେ ।
ଯୋଗ୍ୟତା ପର୍ଯ୍ୟାୟ ରାଉଣ୍ଡରେ ଅରଶଦ ପ୍ରଥମ ପ୍ରୟାସରେ ୭୬.୯୯ ମିଟର ପର୍ଯ୍ୟନ୍ତ ଭାଲା ଫିଙ୍ଗି ପାରିଥିଲେ । ମାତ୍ର ଅନ୍ତିମ ପ୍ରୟାସରେ ସେ ୮୫.୨୮ ମିଟର ପର୍ଯ୍ୟନ୍ତ ଭାଲା ଫିଙ୍ଗି ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ । ଏହା ପରେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସ ଫାଇନାଲ ପରେ ନୀରଜ ଓ ଅରଶଦ ପ୍ରଥମ ଥର ମୁହାଁମୁହିଁ ହେବାକୁ ଯାଉଛନ୍ତି ।
ଭାରତର ସଚିନ ଯାଦବ ମଧ୍ୟ ଫାଇନାଲରେ ପ୍ରବେଶ କରିଛନ୍ତି । ସେ ୮୩.୬୭ ମିଟର ପର୍ଯ୍ୟନ୍ତ ଭାଲା ଫିଙ୍ଗି ଫାଇନାଲରେ ସ୍ଥାନ ପାଇଥିଲେ । ଟପ୍ ୧୨ରେ ଜର୍ମାନୀର ଜୁଲିୟନ ୱେବର ମଧ୍ୟ ଅଛନ୍ତି । ସେ ଚଳିତ ବର୍ଷ ୯୧.୫୧ ମିଟର ପର୍ଯ୍ୟନ୍ତ ଭାଲା ଫିଙ୍ଗି ରେକର୍ଡ କରିଥିଲେ ।
ଟୋକିଓରେ ଖେଳା ଯାଉଥିବା ଫାଇନାଲ୍ ମ୍ୟାଚ୍ ଗୁରୁବାର ଭାରତୀୟ ସମୟ ଅପରାହ୍ଣ ୪ଟାରେ ଆରମ୍ଭ ହେବ । ଭାରତରେ ନୀରଜ ଚୋପ୍ରାଙ୍କ ମ୍ୟାଚକୁ ନେଇ ବହୁତ ଉତ୍ସାହ ରହିଛି । ଫାଇନାଲର ସିଧା ପ୍ରସାରଣ ଷ୍ଟାରସ୍ପୋର୍ଟ୍ସ ନେଟୱର୍କରେ ହେବ । ଲାଇଭ ଷ୍ଟ୍ରିମିଂ ଜିଓହଟଷ୍ଟାର ଆପରେ ହେବ ।
Also read: ୭୦ ମିନିଟରେ ଭାଙ୍ଗିଗଲା ଗର୍ବ: ଆତ୍ମସମର୍ପଣ କଲା ପାକିସ୍ତାନ, ବିଶ୍ବସ୍ତରରେ ହେଲା ଅପଦସ୍ତ