ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନେପାଳର ଅନ୍ତରୀଣ ସରକାରର ପ୍ରଧାନମନ୍ତ୍ରୀ ସୁଶୀଳା କାର୍କିଙ୍କ ସହ ଫୋନରେ କଥା ହୋଇଛନ୍ତି । ନିକଟରେ ଘଟିଥିବା ଦୁଃଖଦ ଘଟଣା ଉପରେ ଦୁଃଖ ବ୍ୟକ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ ନେପାଳରେ ଶାନ୍ତି ଓ ସ୍ଥିରତା କାଏମ ରଖିବା ପାଇଁ ଭାରତର ଅତୁଟ ସମର୍ଥନର ଭରସା ଦେଇଛନ୍ତି । ଏହା ସହ ନେପାଳର ରାଷ୍ଟ୍ରୀୟ ଦିବସ ଅବସରରେ ସୁଶୀଳା କାର୍କି ଓ ନେପାଳବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ପିଏମ ମୋଦୀ ।
ଗତ ଶନିବାର ମଣିପୁରର ରାଜଧାନୀ ଇମ୍ଫାଲରେ ଏକ ଜନସଭାକୁ ସମ୍ବୋଧିତ କରି ପିଏମ ମୋଦୀ ସୁଶୀଳା କାର୍କିଙ୍କ ନିଯୁକ୍ତିକୁ ମହିଳା ସଶକ୍ତିକରଣର ଏକ ଚମତ୍କାର ଉଦାହରଣ ଦର୍ଶାଇଥିଲେ । ସେ କହିଥିଲେ ଭାରତ ଓ ନେପାଳର ଇତିହାସ, ଆସ୍ଥା ଓ ସାଂସ୍କୃତିକ ସଂପର୍କ ଗଭୀର ରହିଛି । ମୋଦୀ ଜୋର ଦେଇ କହିଥିଲେ ଯେ, ମୁଁ ୧୪୦ କୋଟି ଭାରତୀୟଙ୍କ ପକ୍ଷରୁ କାର୍କିଙ୍କୁ ଶୁଭେଚ୍ଛା ଜଣାଉଛି । ମୋତେ ବିଶ୍ୱାସ ଯେ, ସେ ନେପାଳରେ ଶାନ୍ତି, ସ୍ଥିରତା ଓ ସମୃଦ୍ଧିର ମାର୍ଗ ପ୍ରଶସ୍ତ କରିବେ । ନେପାଳର ପୂର୍ବତନ ପ୍ରଧାନ ବିଚାରପତି ସୁଶୀଳା କାର୍କି ଗତ ସପ୍ତାହରେ ଦେଶର ପ୍ରଥମ ମହିଳା ଅନ୍ତରୀଣ ପ୍ରଧାନମନ୍ତ୍ରୀ ହୋଇଛନ୍ତି ।
କାର୍କିଙ୍କ ନିଯୁକ୍ତିରେ ଅନେକ ଦିନ ଧରି ନେପାଳରେ ଚାଲିଥିବା ରାଜନୈତିକ ଅସ୍ଥିରତା ଓ ହିଂସାକାଣ୍ଡ ଉପରେ ପୂର୍ଣ୍ଣଛେଦ ପକାଇଥିଲା । ଦୁର୍ନୀତି ଏବଂ ସାମାଜିକ ଗଣମାଧ୍ୟମ ଉପରେ କଟକଣା ବିରୋଧରେ ଦେଶବ୍ୟାପୀ ଉଗ୍ର ଆନ୍ଦୋଳନ ପରେ ପୂର୍ବତନ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଇସ୍ତଫା ଦେବାକୁ ପଡିଥିଲା । କାର୍କିଙ୍କୁ ରାଷ୍ଟ୍ରପତି ରାମଚନ୍ଦ୍ର ପୋଡେଲ, ଶୀର୍ଷ ସୈନ୍ୟ ଅଧିକାରୀ ଓ ଯୁବ ପ୍ରଦର୍ଶନକାରୀଙ୍କ ଏକ ବୈଠକ ପରେ ଅନ୍ତରୀଣ ସରକାରର ନେତୃତ୍ୱ ପ୍ରଦାନ କରାଯାଇଥିଲା ।
Also read: ରାହୁଲ ଗାନ୍ଧୀଙ୍କ ଅଭିଯୋଗ ଉପରେ ଇସିଆଇଙ୍କ ଜବାବ- ଭୋଟ୍ ଅନଲାଇନରେ ଡିଲିଟ୍ ହୁଏ ନାହିଁ