ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ ଉପରେ ଭୋଟ୍ ଚୋରି ନେଇ ଘନ ଘନ ଆକ୍ରମଣ କରି ଚାଲିଛନ୍ତି କଂଗ୍ରେସ ତଥା ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ । ଏହି କ୍ରମରେ ଇସିଆଇଙ୍କ ବିରୋଧରେ ଆଉ ଏକ ସଙ୍ଗୀନ ଅଭିଯୋଗ ଆଣିଛନ୍ତି ନିର୍ବାଚନ ଆୟୋଗ । ଭୋଟରକୁ ବେଆଇନ ଭାବେ ଡିଲିଟ୍ କରିବା ଏବଂ ଯୋଡିବାର ଅଭିଯୋଗ କରିଛନ୍ତି ରାହୁଲ । ସେ କର୍ଣ୍ଣାଟକର ଆଲନ୍ଦ ସିଟ ଏବଂ ମହାରାଷ୍ଟ୍ରର ରାଜୁରା ବିଧାନସଭା ଆସନର ଉଦାହରଣ ଦେଇଛନ୍ତି ।
ରାହୁଲ କହିଛନ୍ତି, ଆଲନ୍ଦରେ ୬ ହଜାରରୁ ଅଧିକ ଭୋଟ୍ କାଟି ଦିଆଯାଇଛି । ଏହା ବ୍ୟତୀତ ରାଜୁରାରେ ୬ ହଜାର ୮୦୦ରୁ ଅଧିକ ଭୋଟକୁ ବେଆଇନ ଭାବେ ଯୋଡା ଯାଇଛି । ରାହୁଲ ଗାନ୍ଧୀ ନିଜର ଅଭିଯୋଗ ଉପରେ ଜବାବ ଦେବାକୁ ନିର୍ବାଚନ ଆୟୋଗଙ୍କୁ ଗୋଟିଏ ସପ୍ତାହର ସମୟ ଦେଇଛନ୍ତି । କେବଳ ଏତିକି ନୁହେଁ ତାଙ୍କୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ମଧ୍ୟ ଭିତିରିଆ ସାହାଯ୍ୟ ମିଳୁଛି ।
ଋାହୁଲ କହିଛନ୍ତି, ତାଙ୍କୁ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭିତିରିଆ ସାହାଯ୍ୟ ମିଳିବା ଆରମ୍ଭ ହୋଇ ଯାଇଛି । ପ୍ରଥମେ ଏମିତି ହେଉ ନ ଥିଲା, ମାତ୍ର ଏବେ ଖବର ଆସୁଛି । ଏହି ଧାରା ଏବେ ଆଉ ଅଟକିବ ନାହିଁ । କାରଣ ହିନ୍ଦୁସ୍ଥାନର ଜନତା ଏହାକୁ ସ୍ୱୀକାର କରିବେ ନାହିଁ । ଥରୁଟିଏ ଦେଶର ଜନତା ଜାଣିବେ ଯେ, ଭୋଟ୍ ଚୋରି କେମିତି ହେଉଛି, ଏହା ପରେ ଇସିଆଇର ଖେଳ ଖତମ । ଅଦାଲତ ଯିବାର ପ୍ରଶ୍ନ ଉପରେ ରାହୁଲ ଗାନ୍ଧୀ କହିଛନ୍ତି, ମୋର କାମ ବିରୋଧୀ ଦଳ ନେତା ଭାବେ କାମ କରିବା । ସରକାରଙ୍କ ଉପରେ ଚାପ ପକାଇବା ମୋର କାମ । ମାତ୍ର ହିନ୍ଦୁସ୍ଥାନର ଗଣତନ୍ତ୍ରକୁ ରକ୍ଷା କରିବା ମୋର କାମ ନୁହେଁ । ତଥାପି ମୁଁ ଗଣତନ୍ତ୍ରକୁ ବଞ୍ଚାଇବା କାମ କରୁଛି । ମୋର ଚିନ୍ତା ଏହା ଯେ, ଜଣେ ଦେଶଭକ୍ତ ଏବଂ ଉତ୍ତମ ନାଗରିକ ଭାବେ କାମ କରିବା ।
ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ଯଦି ଭାରତର ସଂସ୍ଥା କିଛି କରିବାକୁ ଚାହିଁବେ ତ ସେମାନେ କରି ପାରିବେ । ସେମାନଙ୍କ ମଧ୍ୟରୁ ବହୁତ କିଛି ଲୋକ ଅଛନ୍ତି, ଯେଉଁମାନେ ବାସ୍ତବରେ ଗଣତନ୍ତ୍ର ବଞ୍ଚାଇବାକୁ ଚାହାନ୍ତି । ସେମାନେ ମୋତେ ସୂଚନା ଦେଉଛନ୍ତି । ଆଶ୍ଚର୍ଯ୍ୟକର କଥା ଗତ ୧୦ରୁ ୧୫ ବର୍ଷ ହେବ ଭୋଟ୍ ଚୋରି ହେଉଛି । ଭାରତର ଗଣତନ୍ତ୍ର ହାଇଜ୍ୟାକ ହୋଇ ଯାଇଛି । ଏହାକୁ ଦେଶର ଜନତା ବଞ୍ଚାଇ ପାରିବେ ବୋଲି ରାହୁଲ କହିଛନ୍ତି ।
Also read: ପାକିସ୍ତାନ-ସାଉଦି ଆରବ ପ୍ରତିରକ୍ଷା ଚୁକ୍ତି ଉପରେ ବୈଦେଶିକ ମନ୍ତ୍ରଣାଳୟର ପ୍ରତିକ୍ରିୟା