ଭୁବନେଶ୍ୱର: କିଲର କନେଷ୍ଟବଳ ଦୀପକ ରାଉତ ନିଲମ୍ବିତ ହୋଇଛନ୍ତି । ଶୁଭମିତ୍ରା ସାହୁ ହତ୍ୟା ମାମଲାରେ ଗିରଫ ପରେ ଡିସିପି ତାଙ୍କୁ ନିଲମ୍ବନ କରିଛନ୍ତି । ଦୀପକକୁ କ୍ୟାପିଟାଲ ଥାନା ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଏହାରି ଭିତରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି । ରାଜଧାନୀର ଭିଭିଆଇପି ଅଞ୍ଚଳ କୁହାଯାଉଥିବା ତଥା କଡ଼ା ସୁରକ୍ଷା ବଳୟରେ ଥିବା ରାଜଭବନ ଛକ ନିକଟରେ ଶୁଭମିତ୍ରାଙ୍କୁ ତାଙ୍କ ସ୍ବାମୀ ତଥା କମିସନରେଟ୍ ପୁଲିସର କିରାଣି ଦୀପକ ରାଉତ ତଣ୍ଟି ଚିପି ମାରି ଦେଇଥିଲା। ପରେ ମୃତଦେହକୁ କାର୍ରେ ରଖି ସିପି ଅଫିସକୁ ନେଇଥିଲା । ସେଠାରେ କାର ପାର୍କିଂରେ ରଖି ପାଖାପାଖି ଘଣ୍ଟେ ରୁ ଦେଢ ଘଣ୍ଟା ଯାଏଁ ରଖି ଅଫିସରେ ଡ୍ୟୁଟି କରିଥିଲା ଦୀପକ। ଏହାପରେ କେନ୍ଦୁଝର କେନ୍ଦୁଝର ଜିଲ୍ଲା ଘଟଗାଁ ଅଞ୍ଚଳରେ ନେଇ ସେଠାରେ ପୋତି ଦେଇଥିଲା ।
ହତ୍ୟା ଅଭିଯୁକ୍ତ ଦୀପକ ଓ ତାର ସହଯୋଗୀକୁ ପୁଲିସ ଗିରଫ କରିବା ପରେ ଏହି ଲୋମହର୍ଷଣକାରୀ ହତ୍ୟା ଘଟଣା ପଦାକୁ ଆସିଛି। ଗତ ୬ ତାରିଖ ସନ୍ଧ୍ୟାରେ ଭିଭିଆଇପି ଅଞ୍ଚଳରେ ଏହି ହତ୍ୟାକାଣ୍ଡ ହୋଇଥିଲା ବେଳେ କମିସନରେଟ୍ ପୁଲିସ ଏହାର ସାମାନ୍ୟତମ ଟେର୍ ସୁଦ୍ଧା ପାଇ ନଥିଲା। ରାଜଭବନ, ମୁଖ୍ୟମନ୍ତ୍ରୀଙ୍କ ବାସଭବନଠାରୁ ଆରମ୍ଭ କରି ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀଙ୍କ ଘର ସମ୍ମୁଖରେ ଜଣେ ମହିଳା ପୁଲିସଙ୍କୁ ଏଭଳି ବୀଭତ୍ସ ଭାବେ ହତ୍ୟା କରାଯିବା ଘଟଣା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।