ଭୁବନେଶ୍ୱର: ମହିଳା ଟ୍ରାଫିକ କନେଷ୍ଟବଳ ହତ୍ୟା ମାମଲାରେ କ୍ରାଇମ୍ସିନ୍ ରିକ୍ରିଏସନ୍ ହେଉଥିବା ବେଳେ ମାଟିରୁ ବାହାରିଲା ଶୁଭମିତ୍ରାଙ୍କ ଶବ। ଜେସିବି ସାହାଯ୍ୟରେ ମାଟି ଖୋଳି ବାହାର କରାଗଲା ମୃତଦେହ। ଶବ କେଉଁଠି ପୋତିଛି ତାହାର ଡୋମା ଦେଖାଇଥିଲା ଅଭିଯୁକ୍ତ ଦୀପକ। ସିମେଣ୍ଟ୍ ଅଖାରେ ବନ୍ଧା ହୋଇଥିବା ମୃତଦେହ ଉଦ୍ଧାର କରାଯାଇଛି।
ତେବେ ଶୁଭମିତ୍ରାଙ୍କ ମୃତଦେହ ପୋତା ଯାଇଥିବା ସ୍ଥାନକୁ ଅଭିଯୁକ୍ତ ଦୀପକ ରାଉତକୁ ନେଇଥିଲା ପୁଲିସ। ଗିରଫ ଅଭିଯୁକ୍ତ ଦୀପକ ରାଉତକୁ ଭୁବନେଶ୍ବରରୁ କେନ୍ଦୁଝର ନିଆଯାଇଥିଲା। ପ୍ରଥମେ ଘଟଗାଁ ଥାନାକୁ ନିଆଯିବା ପରେ କ୍ରାଇମ୍ସ୍ପଟ୍କୁ ନେଇଥିଲା ପୁଲିସ। ଘଟଗାଁରେ ମୃତଦେହ ପୋତିଥିବା ସ୍ଥାନରେ କ୍ରାଇମସିନ ରିକ୍ରିଏସନ କଲା ପୋଲିସ। ଏହି ସମୟରେ ମାଟି ତଳୁ ଗଳିତ ମୃତଦେହ ଉଦ୍ଧାର କରାଯାଇଛି ।
ମହିଳା ଟ୍ରାଫିକ କନେଷ୍ଟବଳଙ୍କ ନିଖୋଜ ନେଇ ସେପ୍ଟେମ୍ବର ୭ରେ ଅଭିଯୋଗ ହୋଇଥିଲା । ପୁଲିସ ମାମଲାକୁ ଗୁରୁତର ସହ ଗ୍ରହଣ କରି ତଦନ୍ତ ସମୟରେ କଲ୍ ଡିଟେଲ୍ସରୁ ଅଭିଯୁକ୍ତ ପ୍ରେମିକ କନେଷ୍ଟବଳଙ୍କ ବାବଦରେ ଜାଣିବାକୁ ପାଇଥିଲା। ତାଙ୍କୁ ମାରାଥନ ଜେରା କରିବା ପରେ ସେ ପୁଲିସ ଆଗରେ ସବୁ ସତ ମାନିଯାଇଥିବା କୁହାଯାଉଛି। ଶୁଭମିତ୍ରାଙ୍କୁ ହତ୍ୟା କରି କେନ୍ଦୁଝର ଘଟଗାଁରେ ମାଟି ତଳେ ପୋତିଦେଇଥିବା ନେଇ ପୁଲିସ ଆଗରେ କହିଥିଲା ଅଭିଯୁକ୍ତ ଦୀପକ ରାଉତ। ଭୁବନେଶ୍ବରରେ ଏକ କାର୍ ଭିତରେ ପ୍ରଥମେ ତଣ୍ଟି ଚିପି ହତ୍ୟା କରିଥିଲା । ଆଉ ତା’ପରେ କାର୍ ଯୋଗେ ମୃତଦେହକୁ କେନ୍ଦୁଝର ନେଇଯାଇଥିଲା ଦୀପକ।
କନେଷ୍ଟବଳ ଦୀପକ ରାଉତଙ୍କ ସହ ଶୁଭମିତ୍ରାଙ୍କ କୋର୍ଟ ମ୍ୟାରେଜ ହୋଇଥିଲା। ମହିଳା କନେଷ୍ଟବଳଙ୍କ ନିକଟରୁ ୧୦ ଲକ୍ଷ ନେଇଥିଲା ଅଭିଯୁକ୍ତ ଦୀପକ। ଟଙ୍କାକୁ ନେଇ ଉଭୟଙ୍କ ମଧ୍ୟରେ ବିବାଦ ଥିଲା । ଟଙ୍କାକୁ ନେଇ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଏସ୍. ଦେବଦତ୍ତ ସିଂ। ଅଭିଯୁକ୍ତ ଦୀପକର ପଲିଗ୍ରାଫ ଟେଷ୍ଟ ହୋଇଛି । ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡ଼ିବ।