ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱର ଟ୍ରାଫିକ୍ ପୋଲିସର ମହିଳା ଟ୍ରାଫିକ କନଷ୍ଟେବଳ ନିଖୋଜ ଘଟଣାରେ ଚକିତ କରିଦେବା ଭଳି ସୂଚନା ସାମ୍ନାକୁ ଆସିଛି । କନଷ୍ଟେବଳ ଶୁଭମିତ୍ରା ସାହୁଙ୍କୁ ପୁରୁଷ ବନ୍ଧୁ ଦୀପକ ରାଉତ ତଣ୍ଟି ଚିପି ହତ୍ୟା କରିଥିବା କମିଶନରେଟ୍ ପୋଲିସ ନିକଟରେ ସ୍ୱୀକାର କରିଛି । ସେ କମିଶନରେଟ୍ ପୋଲିସରେ କିରାଣୀଭାବେ କାର୍ୟ୍ୟ କରନ୍ତି । ତାକୁ ବର୍ତ୍ତମାନ ପୋଲିସ ହେପାଜତରେ ରଖାଯାଇଛି ।
ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପିଚୁକୁଲି ଗ୍ରାମର ଶୁଭମିତ୍ରା ସାହୁ ଭୁବନେଶ୍ୱରର କ୍ୟାପିଟାଲ ଥାନା ସୂର୍ୟ୍ୟନଗର ଅଞ୍ଚଳରେ ରହୁଥିଲେ । ସେ ଟ୍ରାଫିକ୍ କନଷ୍ଟେବଳଭାବେ କାର୍ୟ୍ୟରତ ଥିଲେ । ଗତ ୬ ତାରିଖରୁ ଘରୁ ଡ୍ୟୁଟି ପାଇଁ ବାହାରି ଆସିଥିଲେ । କିନ୍ତୁ ଡ୍ୟୁଟି ସମୟ ସରିବା ପରେ ଶୁଭମିତ୍ରା ଆଉ ଘରକୁ ଫେରି ନ ଥିଲେ । ଏହା ପରେ ପରିବାର ଲୋକେ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ । କିନ୍ତୁ ସେପଟେ ପୁରୁଷ ବନ୍ଧୁ ରାଜଭବନ ନିକଟରେ ଦୀପକ ଶୁଭମିତ୍ରାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା । ପରେ ରାଜଭବନ ଡିସ୍ପେନସରୀକୁ ନେଇକି ଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ ଦୀପକ ଶୁଭମିତ୍ରାଙ୍କ ମୃତଦେହକୁ ଏକ କାରରେ କେନ୍ଦୁଝର ଘଟଗାଁକୁ ନେଇକି ଯାଇଥିଲା । ସେଠାରେ ଏକ ଜଙ୍ଗଲରେ ପୋତି ଦେଇଥିଲା ବୋଲି ଜଣାପଡ଼ିଛି ।
ଟଙ୍କା ପାଇଁ ହତ୍ୟା !
୨୦୨୪ ଜୁଲାଇ ୭ ତାରିଖରେ, ଶୁଭମିତ୍ରା ସାହୁ ଏବଂ ଦୀପକ ରାଉତ କୋର୍ଟରେ ବିବାହ କରିଥିଲେ । ଦୀପକଙ୍କର ଏହା ହେଉଛି ଦ୍ୱିତୀୟ ବିବାହ । ପୂର୍ବରୁ ତାଙ୍କ ପ୍ରଥମ ପତ୍ନୀଙ୍କର ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା । ପତ୍ନୀଙ୍କ ନାମରେ କରିଥିବା ବୀମାରେ ଦୀପକଙ୍କୁ କୋଟିଏ ଟଙ୍କା ବୀମା ରାଶି ମିଳିଥିଲା । ଏହା ପରେ ଶୁଭମିତ୍ରାଙ୍କ ସହିତ ସମ୍ପର୍କ ରଖିଥିଲେ । ୨୦ ଲକ୍ଷ ଟଙ୍କା ପାଇଁ ଶୁଭମିତ୍ରାଙ୍କୁ ଦୀପକ ହତ୍ୟା କରିଥିବା ଅନୁମାନ କରାଯାଉଛି ।
ସେପଟେ ଦୀପକକୁ କମିଶନରେଟ୍ ପୋଲିସ ନିଜ ହେପାଜତକୁ ନେଇ କ୍ରାଇମ ସ୍ପଟକୁ ଯାଇଛି । ହତ୍ୟାରେ ବ୍ୟବହୃତ ହୋଇଥିବା କାରକୁ ମଧ୍ୟ ଜବତ କରାଯାଇଛି । ତେବେ ପୋଲିସ ଏଯାଏଁ ଶୁଭମିତ୍ରାଙ୍କୁ ମୃତ ଶରୀରକୁ ଉଦ୍ଧାର କରି ନାହିଁ । କମିଶନରେଟ୍ ପୋଲିସର ଏକ ୧୫ ଜଣିଆ ଟିମ୍ କେନ୍ଦୁଝର ଅଭିମୁଖେ ଯାଇଛନ୍ତି । ମୃତ ଦେହ ଉଦ୍ଧାର ହେବା ପରେ ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହେବ ।