ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ମ୍ୟାଚ୍ ପରେ ଦେଖାଦେଇଥିବା "ହ୍ୟାଣ୍ଡସେକ ବିବାଦ" ଥମିବାର ନାଁ ନେଉନି। ୟୁଏଇ ବିପକ୍ଷ ମ୍ୟାଚ୍ ପୂର୍ବରୁ ପିସିବି ନିଜ ଦଳକୁ ଖେଳିବାକୁ ମନା କରିଥିଲା। ଏପରିକି ଖେଳାଳିଙ୍କୁ ଷ୍ଟାଡିୟମ ପଠାଇ ନ ଥିଲା। ବିବାଦ କାରଣରୁ ମ୍ୟାଚ୍ ଗୋଟିଏ ଘଣ୍ଟା ବିଳମ୍ବରେ ଆରମ୍ଭ ହୋଇଥିଲା। ଏବେ ପାକିସ୍ତାନ କ୍ରିକେଟ୍ ବୋର୍ଡ ଅଧ୍ୟକ୍ଷ ମୋହସିନ୍ ରାଜା ନକଭି କହିଛନ୍ତି ଆଣ୍ଡି ପାଇକ୍ରଫ୍ଟ ଏହି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ତଥାପି ପୂର୍ବତନ ବୋର୍ଡ ଅଧ୍ୟକ୍ଷ ନଜମ ସେଟ୍ଟି ଭାରତୀୟ ଦଳକୁ ଟାର୍ଗେଟ କରି ବୟାନ ଦେଇଛନ୍ତି।
ପାକିସ୍ତାନ ବନାମ ୟୁଏଇ ମ୍ୟାଚ୍ ପୂର୍ବରୁ, ମୋହସିନ୍ ନକଭି, ନଜମ୍ ସେଟ୍ଟି ଏବଂ ରମିଜ୍ ରାଜା ଏକ ସାମ୍ବାଦିକ ସମ୍ମିଳନୀ କରିଥିଲେ। ପୂର୍ବତନ ବୋର୍ଡ ଅଧ୍ୟକ୍ଷ ନଜମ୍ ସେଟ୍ଟି କହିଛନ୍ତି, ଆମେ ସବୁବେଳେ କହିଆସିଛୁ ଯେ ରାଜନୀତିକୁ ଖେଳ ସହିତ ମିଶାଇବା ଉଚିତ୍ ନୁହେଁ। ମୁଁ ଯେତେବେଳେ ଅଧ୍ୟକ୍ଷ ଥିଲି ସେତେବେଳେ ଆମେ ସମାନ ମନୋଭାବ ବଜାୟ ରଖିଥିଲୁ ଏବଂ ଏବେ ମଧ୍ୟ ସମାନ ମନୋଭାବ ବଜାୟ ରଖିଛୁ।
ନଜାମ ସେଟ୍ଟି ନିଜ ବୟାନରେ ଭାରତକୁ ନେଇ କହିଛନ୍ତି, "ସେମାନେ ରାଜନୀତି କରିଥିଲେ, କିନ୍ତୁ ଆମେ କରିନଥିଲୁ। ଆମେ ଖେଳୁଆଡ଼ ମନୋଭାବକୁ ସମ୍ମାନ କରିଥିଲୁ। ଆମେ କ୍ଷମା ମାଗିଲୁ, ଏବଂ ସେମାନେ କ୍ଷମା ମାଗିଲେ। ମୁଁ ଭାବୁଛି କ୍ରିକେଟର ବିଜୟ ହୋଇଛି ଏବଂ ଅନ୍ତର୍ଜାତୀୟ କ୍ରିକେଟରେ ଲୋକମାନେ ଆମର ମନୋଭାବକୁ ପ୍ରଶଂସା କରିବେ। ଭାରତର ମନୋଭାବ ପ୍ରତି ବିଶ୍ୱସ୍ତରରେ ପ୍ରତିକ୍ରିୟା ଆପଣ ଦେଖିପାରିବେ।
ସେପ୍ଟେମ୍ବର ୧୪ ରେ ପାକିସ୍ତାନ ବିପକ୍ଷରେ ୭ ୱିକେଟରେ ବିଜୟ ପରେ ଯେବେଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବଙ୍କୁ ହ୍ୟାଣ୍ଡସେକ ବିଷୟରେ ପଚରାଯାଇଥିଲା, ସେ କହିଥିଲେ ଯେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ସହିଦ ହୋଇଥିବା ନିର୍ଦ୍ଦୋଷ ଲୋକ ଏବଂ ସୈନିକଙ୍କ ସମ୍ମାନାର୍ଥେ ଦଳ ଏପରି କରିଛି। ସେ ଏହା ମଧ୍ୟ କହିଥିଲେ ଯେ ହାତ ମିଳାଇବା ନିଷ୍ପତ୍ତି ଏକ ଦଳଗତ ନିଷ୍ପତ୍ତି ଥିଲା। ଟସ୍ ସମୟରେ ବି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ପାକିସ୍ତାନର ଅଧିନାୟକ ସଲମାନ ଅଲୀ ଆଗାଙ୍କ ସହ ହାତ ମିଳାଇ ନ ଥିଲେ।
Also read: ଭାରତ-ପାକିସ୍ତାନ ଖେଳାଳି ପୁଣି ଥରେ ହେବେ ମୁହାଁମୁହିଁ ! ହଙ୍ଗାମା ପରେ ଗୋଟିଏ ମଇଦାନରେ ଆସିବେ ନଜର