ନୂଆଦିଲ୍ଲୀ: ଆମେରିକାର ପୂର୍ବତନ ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଜନ୍ ବୋଲ୍ଟନ୍ ଭାରତ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିବା ପାଇଁ ପୁଣିଥରେ ଟ୍ରମ୍ପ ପ୍ରଶାସନକୁ ଟାର୍ଗେଟ କରିଛନ୍ତି। ପୂର୍ବତନ ଟ୍ରମ୍ପ ସହଯୋଗୀ ବୋଲ୍ଟନ୍ କହିଛନ୍ତି ଯେ ଶୁଳ୍କ ନୀତି ହେଉଛି ଆମେରିକାର ବଡ଼ ତ୍ରୁଟି। ଆମେ ଶୁଳ୍କ ହ୍ରାସ କରୁଥିବା ଏବଂ ବାଣିଜ୍ୟ ଚୁକ୍ତି ଆଲୋଚନା ପାଇଁ ଦ୍ୱାର ଖୋଲା ରଖୁଥିବା ଦିଗ ପ୍ରତି ପ୍ରାଥମିକତା ଦେବା ଉଚିତ।
ଜନ୍ ବୋଲ୍ଟନ୍ କହିଛନ୍ତି, " ଟାରିଫ କମ କରିବା ଓ ଆଗକୁ ଆଲୋଚନା ପାଇଁ ରାସ୍ତା ଖୋଲା ରଖୁଥିବା ଚୁକ୍ତି କରିବା ହିଁ ଉଭୟ ପକ୍ଷ ପାଇଁ ଶ୍ରେୟସ୍କର। ଆମର ଧ୍ୟାନ ଶୁଳ୍କ ଉପରେ ସହମତି ତିଆରି କରିବା ଏବଂ ସେହି ଆଧାରରେ ଆଗକୁ ବଢ଼ିବା ଉପରେ ରହିବା ଉଚିତ। ରାଷ୍ଟ୍ରପତି ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଡାକି ସମ୍ପର୍କ ଉନ୍ନତ କରିବା ବିଷୟରେ ଆଲୋଚନା କରିବା ଉଚିତ। କ୍ୱାଡ୍ ଶିଖର ସମ୍ମିଳନୀ ପାଇଁ ଟ୍ରମ୍ପଙ୍କୁ ଭାରତ ଗସ୍ତ କରିବା ଉଚିତ।"
ଟ୍ରମ୍ପ କହିଛନ୍ତି ଯେ ଭାରତ ରୁଷଠାରୁ ତେଲ କିଣୁଥିବାରୁ ଏହା ଉପରେ ଅତିରିକ୍ତ ୨୫ ତିଶତ ଶୁଳ୍କ ଲାଗୁ କରାଯାଇଛି। ଏହା ଉପରେ ବୋଲ୍ଟନ୍ କହିଛନ୍ତି, ରୁଷ ଉପରେ କୌଣସି ସିଧାସଳଖ ଶୁଳ୍କ ଲାଗୁ କରାଯାଇନାହିଁ। ଭାରତଠାରୁ ଆହୁରି ଅଧିକ ତେଲ କିଣୁଥିବା ଚୀନ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ। କେବଳ ରୁଷ ସହିତ ଐତିହାସିକ ସଂପର୍କ ପାଇଁ ହିଁ ଟ୍ରମ୍ପ ପ୍ରଶାସନ ଉଦ୍ଦେଶ୍ୟମୂଳକ ଭାବେ ଭାରତ ଉପରେ ଟାରିଫ ଲଗାଇଥିବା କହିଛନ୍ତି ଆମେରିକାର ପୂର୍ବତନ ଏନଏସଏ।
ସେ କହିଛନ୍ତି, ଆମେରିକାକୁ ରୁଷଠୁ ତେଲ ଏବଂ ଗ୍ୟାସ କ୍ରୟ ହ୍ରାସ କରିବାକୁ ପଡିବ। ଭାରତକୁ ଆର୍ଥିକ ଭାବରେ କ୍ଷତି ନକରି ଏହା କରିବାର ଅନେକ ଉପାୟ ଅଛି। ସେ ପରାମର୍ଶ ଦେଇଛନ୍ତି ଯେ ଉଭୟ ପକ୍ଷ ଶୁଳ୍କ ହ୍ରାସ କରିବା ଏବଂ ବିଶ୍ୱାସ ପୁନଃନିର୍ମାଣ ପାଇଁ ଆଲୋଚନା ପୁଣି ଆରମ୍ଭ କରିବା ଉଚିତ। ଦୁଇ ଦେଶ ମଧ୍ୟରେ ସହଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ନେତାଙ୍କ ମଧ୍ୟରେ ବ୍ୟକ୍ତିଗତ ସମ୍ପର୍କ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଟ୍ରମ୍ପ୍ କ୍ୱାଡ୍ ଶିଖର ସମ୍ମିଳନୀ ପାଇଁ ଭାରତ ଗସ୍ତ କରିବା ଉଚିତ
ଟାଇମ୍ସ ଅଫ୍ ଇଣ୍ଡିଆ ସହିତ ଏକ ସାକ୍ଷାତକାରରେ ଜନ୍ ବୋଲ୍ଟନ୍ କହିଛନ୍ତି, "ଯଦି ଦୁଇ ନେତା ଏହି ବିଷୟରେ ପୁଣି ଥରେ କଥା ହେବାକୁ ଯାଉଛନ୍ତି, ତେବେ ଏହା ଏକ ଭଲ ସଙ୍କେତ।" ବୋଲ୍ଟନ୍ କ୍ୱାଡ୍ ମାଧ୍ୟମରେ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସହଯୋଗର ଗୁରୁତ୍ୱ ଉପରେ ଗୁରୁତ୍ୱାରୋପ କରିଛନ୍ତି। ତେଣୁ ଟ୍ରମ୍ପ କ୍ୱାଡ୍ ସମ୍ମିଳନୀ ପାଇଁ ଭାରତ ଗସ୍ତ କରିବା ଉଚିତ।
ଉଲ୍ଲେଖନୀୟ ପାକିସ୍ତାନ ସମ୍ପ୍ରତି ଅପରେସନ୍ ସିନ୍ଦୁର ସମୟରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା ସମ୍ପର୍କରେ ଟ୍ରମ୍ପଙ୍କ ଦାବିର ପର୍ଦ୍ଦାଫାସ କରିଛି। ଏହା ଉପରେ ବୋଲ୍ଟନ୍ କହିଛନ୍ତି, "ଟ୍ରମ୍ପ ପ୍ରାୟତଃ ଅନ୍ତର୍ଜାତୀୟ ବିକାଶ ଏବଂ ନୋବେଲ୍ ଶାନ୍ତି ପୁରସ୍କାର ପାଇବା ଉଦ୍ଦେଶ୍ୟରେ ସବୁ ଶ୍ରେୟ ନେବାକୁ ଚେଷ୍ଟା କରନ୍ତି। ଟ୍ରମ୍ପଙ୍କ ବୟାନ ପ୍ରମାଣ କରେ ଯେ ସେ ଭାରତ ବିଷୟରେ କେତେ କମ ଜାଣନ୍ତି।
Also read: ଇଟାଲୀର ପିଏମ ଜର୍ଜିଆ ମେଲୋନୀ ପିଏମ ମୋଦୀଙ୍କୁ ଜଣାଇଲେ ଜନ୍ମଦିନର ଶୁଭେଚ୍ଛା, ଜାଣନ୍ତୁ କଣ କହିଲେ