ନୂଆଦିଲ୍ଲୀ: ଏସିଆ କପ୍-୨୦୨୫ରେ ସୁପର-୪ର ଚିତ୍ର ସ୍ପଷ୍ଟ ହୋଇ ଯାଇଛି । ଟୁର୍ଣ୍ଣାମେଣ୍ଟରେ ଗୋଟିଏ ଲିଗ୍ ମ୍ୟାଚ୍ ବାକି ଥିଲେ ମଧ୍ୟ ସୁପର-୪କୁ ଚାରୋଟି ଦଳ ପହଞ୍ଚି ସାରିଥିବା ବେଳେ ଚାରୋଟି ଦଳ ଏସିଆ କପରୁ ବିଦାୟ ନେଇଛନ୍ତି । ଚତୁର୍ଥ ଦଳ ଭାବେ ବାଂଲାଦେଶ ସୁପର-୪ରେ ପ୍ରବେଶ କରିଥିବା ବେଳେ ଆଫଗାନିସ୍ତାନ ବିଦାୟ ନେଇଛି ।
ଗ୍ରୁପ ଏରୁ ଭାରତ ଓ ପାକିସ୍ତାନ ପୂର୍ବରୁ ଯୋଗ୍ୟତା ଆର୍ଜନ କରି ସାରିଛନ୍ତି । ତେବେ ଗ୍ରୁପ ବିରେ କେଉଁ ଦୁଇ ଦଳ ପରବର୍ତ୍ତୀ ପର୍ଯ୍ୟାୟକୁ ଯିବେ ତାହା ଶ୍ରୀଲଙ୍କା ଓ ଆଫଗାନିସ୍ତାନ ମ୍ୟାଚର ଫଳାଫଳ ଉପରେ ନିର୍ଭର ଥିଲା । ଆଉ ଆଫଗାନିସ୍ତାନର ପରାଜୟ ସହ ଶ୍ରୀଲଙ୍କା ଓ ବାଂଲାଦେଶ ସୁପର-୪ ପାଇଁ ଟିକେଟ୍ କାଟିଛନ୍ତି । ଏହି ପରି ଗ୍ରୁପ ଏରୁ ୟୁଏଇ ଓ ଓମାନ ବାହାରି ଥିବା ବେଳେ ଗ୍ରୁପ ବିରୁ ହଂକଂ ଓ ଆଫଗାନିସ୍ତାନର ଅଭିଯାନ ସମାପ୍ତ ହୋଇଛି ।
ଓମାନର ଭାରତ ବିପକ୍ଷରେ ଗୋଟିଏ ମ୍ୟାଚ୍ ଖେଳିବା ବାକି ରହିଛି, ମାତ୍ର ଏହି ମ୍ୟାଚର ଫଳାଫଳର କୌଣସି ମହତ୍ୱ ଆଉ ନାହିଁ । ଇଣ୍ଡିଆ ଗ୍ରୁପ ଏରେ ଶୀର୍ଷରେ ଥିବା ବେଳେ ଓମାନକୁ ଦେଖିଲେ ଦଳ ଏକ ନମ୍ବର ସ୍ଥାନରେ ହିଁ ରହିବ । ଦ୍ୱିତୀୟ ସ୍ଥାନରେ ରହିଛି ପାକିସ୍ତାନ । ଗ୍ରୁପ ବିରେ ଶ୍ରୀଲଙ୍କା ସମସ୍ତ ୩ ମ୍ୟାଚ୍ ଜିତି ଶୀର୍ଷରେ ରହିଥିବା ବେଳେ ବାଂଲାଦେଶ ଦୁଇଟି ବିଜୟ ସହ ଦ୍ୱିତୀୟରେ ରହିଛି । ସେପ୍ଟେମ୍ବର ୨୦ରୁ ସୁପର-୪ ପର୍ଯ୍ୟାୟ ଆରମ୍ଭ ହେବ ।
ପ୍ରଥମ ସୁପର ୪ ମ୍ୟାଚ୍ ଶ୍ରୀଲଙ୍କା ଏବଂ ବାଂଲାଦେଶ ମଧ୍ୟରେ ସେପ୍ଟେମ୍ବର ୨୦ ତାରିଖ ଶନିବାର ଦିନ ଖେଳାଯିବ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରବର୍ତ୍ତୀ ମ୍ୟାଚ୍ ରବିବାର ସେପ୍ଟେମ୍ବର ୨୧ ତାରିଖରେ ଖେଳାଯିବ। ସୁପର ୪ ପର୍ଯ୍ୟାୟ ସମସ୍ତ ଦଳ ତିନୋଟି ଲେଖାଏଁ ମ୍ୟାଚ୍ ଖେଳିବେ।
Also read: ଶ୍ରୀଲଙ୍କାର ବିଜୟରେ ସୁପର-୪ରେ ପହଞ୍ଚିଲା ବାଂଲାଦେଶ, ଆଫଗାନିସ୍ତାନର ଅଭିଯାନ ଶେଷ