ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ପଳାତକ ଲଳିତ ମୋଦୀଙ୍କ ଭାଇ ସମୀର ମୋଦୀଙ୍କୁ ଗିରଫ କରିଛି । ସମୀରଙ୍କୁ ବଲାତ୍କାର ଅଭିଯୋଗରେ ନ୍ୟୁ ଫ୍ରେଣ୍ଡସ କଲୋନୀ ଥାନା ପୋଲିସ ଗୁରୁବାର ଗିରଫ କରିଛି । ଗଣମାଧ୍ୟମ ଅନୁଯାୟୀ ଦିଲ୍ଲୀ ପୋଲିସ ସମୀର ମୋଦୀଙ୍କୁ ଏକ ପୁରୁଣା ବଳାତ୍କାର ମାମଲାରେ ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ ଗିରଫ କରିଛି ।
ସୂଚନା ଅନୁଯାୟୀ, ଆଇପିଏଲର ପୂର୍ବତନ କମିଶନର ଲଳିତ ମୋଦୀଙ୍କ ଭାଇ ସମୀର ମୋଦୀଙ୍କ ଉପରେ ୨୦୧୯ରେ ଏକ ଦୁଷ୍କର୍ମ ମାମଲା ଥିଲା । ଏହାକୁ ନେଇ ବିଗତ ଦିନରେ ଏଫଆଇଆର ରୁଜୁ ହୋଇଥିଲା । ସମୀର ମୋଦୀ ଲଣ୍ଡନରୁ ଆସି ଦିଲ୍ଲୀ ଆଇଜିଆଇ ବିମାନ ବନ୍ଦରରେ ଓହ୍ଲାଇବା ପରେ ଦିଲ୍ଲୀ ପୋଲିସ ତାଙ୍କୁ ସେଠାରେ ଗିରଫ କରିଛି । ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ୨୦୧୯ରେ ସମୀର ମୋଦୀଙ୍କ ନିଜ ଅଫିସରେ କାମ କରୁଥିବା ଜଣେ ମହିଳା କର୍ମଚାରୀ ନ୍ୟୁ ଫ୍ରେଣ୍ଡସ କୋଲନୀ ଥାନାରେ ଏଫଆଇଆର ଦେଇଥିଲେ । ଆଉ ଏହି କେସରେ ସମୀର ଦୀର୍ଘ ସମୟ ଧରି ଫେରାର ଥିଲେ ।
ସମୀର ମୋଦୀଙ୍କ ବିରୋଧରେ ଏଲଓସି ମଧ୍ୟ ଖୋଲା ଯାଇଥିଲା । ସମୀର ମୋଦୀ ଯେମିତି ଗୁରୁବାର ସକାଳେ ବିଦେଶରୁ ଆଇଜିଆଇ ବିମାନ ବନ୍ଦରରେ ପହଞ୍ଚିଲେ ପୂର୍ବରୁ ପ୍ରସ୍ତୁତ ନ୍ୟୁ ଫ୍ରେଣ୍ଡସ କଲୋନୀ ଥାନାର ପୋଲିସ ତାଙ୍କୁ ମାଡି ବସିଥିଲେ । ଏହା ପରେ ପୋଲିସ ତାଙ୍କୁ ସାକେତ କୋର୍ଟରେ ହାଜର କରାଇଛି ଏବଂ କୋର୍ଟ ତାଙ୍କୁ ଦିନିକିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି । ବର୍ତ୍ତମାନ ପୋଲିସ ଅଭିଯୁକ୍ତ ସମୀର ମୋଦୀଙ୍କୁ ଜେରା କରୁଛି ।
Also read: ରାଜଧାନୀ ରାଜରାସ୍ତାରେ ଆମ ବସ୍ କଣ୍ଡକରଙ୍କ ଦାଦାଗିରି; ଯୁକ୍ତିତର୍କରୁ ଯାତ୍ରୀଙ୍କୁ ଚାପୁଡା ମାରି ଚାଲିଗଲେ