ଚଳିତ ଟି-୨୦ ବିଶ୍ୱକପରେ ପାକିସ୍ତାନ ପ୍ରଥମ ବିଜୟ ହାସଲ କରିଛି । ଏହା ସହ ସୁପର ୮ ଦୌଡ଼ରେ ଏବେ ମଧ୍ୟ ପାକିସ୍ତାନ ଜୀବିତ ରହିଛି । ତେବେ ଟସ୍ ଜିତି ବୋଲିଂର ନିଷ୍ପତି ନେଇଥିଲା ପାକିସ୍ତାନ । ବୋଲିଂରେ ଉତ୍ତମ ପ୍ରଦର୍ଶନ କରି ପାକିସ୍ତାନ କାନାଡାକୁ ୨୦ ଓଭରରେ ୧୦୬ ରନରେ ସୀମିତ ରଖିଥିଲା। ମହମ୍ମଦ ଆମିର ଓ ହରିଶ ରାଉଫ ୨ ଟି ଲେଖାଏଁ ୱିକେଟ୍ ନେଇଥିଲାବେଳେ ଶାହୀନ ଆଫ୍ରିଦି ଓ ନସିମ ଶାହା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । କାନାଡ଼ାର ଆରନ ଜନସନ ୪୪ ବଲରେ ୫୨ ରନ ସଂଗ୍ରହ କରିଥିଲେ । ଏହା ବ୍ୟତୀତ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିନଥିବାରୁ କାନାଡ଼ାର ଦଳୀୟ ସ୍କୋର ୧୦୬ ରେ ପହଞ୍ଚିଥିଲା ।
ଦ୍ଵିତୀୟ ଇନିଂସରେ ପାକିସ୍ତାନ ରକ୍ଷଣାତ୍ମକ ଶୈଳୀରେ ବ୍ୟାଟିଂ କରି ୧୭.୩ ଓଭରରେ ବିଜୟ ହାସଲ କରିଥିଲେ । ଦ୍ଵିତୀୟ ଇନିଂସ ଆରମ୍ବରେ ମନ୍ଥର ଆରମ୍ଭ ହୋଇଥିଲା । ପାକିସ୍ତାନର ସଇମ ଆୟୁବ ପଞ୍ଚମ ଓଭରରେ ୬ ରନ କରି ଦିଲୋନଙ୍କ ଶିକାର ହୋଇଥିଲେ । ପରେ ମହମ୍ମଦ ରିଜୱାନ ଓ ବାବର ଆଜମଙ୍କ ମଧ୍ୟରେ ୬୩ ରନର ସହଭାଗୀତା ହୋଇଥିଲା । ପରେ ବାବର ଆଜମ ୩୩ ରନ କରି ନିଜ ୱିକେଟ୍ ହରାଇଥିଲେ । ଅନ୍ୟପଟେ ରିଜୱାନ ଅପରାଜିତ ରହି ଅର୍ଦ୍ଧଶତକ ହାସଲ କରିବା ସହ ଦଳକୁ ପ୍ରଥମ ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲେ । ମ୍ୟାଚରେ ଚମତ୍କାର ପ୍ରଦର୍ଶନ କରିଥିବା ମହମ୍ମଦ ଆମିରଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ଚୟନ କରାଯାଇଥିଲା ।
ଅଧିକ ପଢନ୍ତୁ : ଭୁଲ ନିଷ୍ପତ୍ତି ପାଇଁ ମ୍ୟାଚ ହାରିଲା ବାଂଲାଦେଶ, ନିୟମକୁ ନେଇ ଅସନ୍ତୋଷ ଖେଳାଳି