ସୋମବାର, ଟି -୨୦ ବିଶ୍ୱକପର ୨୧ ତମ ମ୍ୟାଚରେ ଦକ୍ଷିଣ ଆଫ୍ରିକା ବାଂଲାଦେଶକୁ ୪ ରନରେ ପରାସ୍ତ କରିଛି। ନ୍ୟୁୟର୍କରେ ଖେଳାଯାଇଥିବା ମ୍ୟାଚରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ୍ ହରାଇ ୧୧୩ ରନ ସଂଗ୍ରହ କରିଥିଲା। ରନକୁ ଚେଜ କରି ବାଂଲାଦେଶ ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ୧୦୯ ରନ ସ୍କୋର କରିଥିଲା। ତେବେ ଏହି ମ୍ୟାଚରେ ଅମ୍ପାୟାରଙ୍କ ଭୁଲ ନିଷ୍ପତି ଓ ଆଇସିସିର ଅଜବ ନିୟମ ଅନୁଯାୟୀ ବାଂଲାଦେଶକୁ ଏକ ଚୌକା ମିଳିପାରିନାହିଁ। ଅମ୍ପାୟାରଙ୍କ ଏହି ଭୁଲ ନିଷ୍ପତ୍ତି ଯୋଗୁ ବାଂଲାଦେଶ ୪ ରନରେ ମ୍ୟାଚ ହାରିଛି। ତେବେ ଯଦି ସେହି ଚୌକା ବାଂଲାଦେଶକୁ ମିଳିଥାନ୍ତା ବୋଧ ହୁଏ ବାଂଲାଦେଶ ବିଜୟୀ ହୋଇଥାନ୍ତା । ଅମ୍ପାୟାରଙ୍କ ଭୁଲ ନିଷ୍ପତ୍ତି ଓ ଆଇସିସିର ଅଜବ ନିୟମକୁ ନେଇ ଅନେକ ସମାଲୋଚନା ଦେଖିବାକୁ ମିଳିଛି ।
ଦ୍ୱିତୀୟ ଇନିଂସରେ ଯେତେବେଳେ ବାଂଲାଦେଶ ଚେଜ କରୁଥିଲା ସେତେବେଳେ ୧୭ ତମ ଓଭରର ଦ୍ୱିତୀୟ ବଲରେ ଚାରି ରନ ଲେଗ୍ ବାଇ ଭାବରେ ଦିଆଯାଇ ନଥିଲା। ଯଦି ବାଂଲାଦେଶ ଏହି ଚାରି ରନ ମିଳିଥାନ୍ତା ତେବେ ଦଳର ଫଳାଫଳ ଅଲଗା ହୋଇଥାନ୍ତା। ତେବେ ଓଟନିଲ ବାର୍ଟମ୍ୟାନ୍ ବାଂଲାଦେଶ ବ୍ୟାଟ୍ସମ୍ୟାନ ମହମୁଦୁଲ୍ଲାଙ୍କୁ ୧୭ ତମ ଓଭରର ଦ୍ଵିତୀୟ ବଲରେ ଏଲବିଡ଼ବ୍ଲ୍ୟୁ କରିଥିଲେ । ଅମ୍ପାୟାର ଆଉଟ ଘୋଷଣା କରିଥିଲେ ଏବଂ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଡିଆରଏସ୍ ବ୍ୟବହାର କରିଥିଲେ ମହମୁଦୁଲ୍ଲା । ତେବେ ନିଷ୍ପତି ମହମୁଦୁଲ୍ଲାଙ୍କ ସପକ୍ଷରେ ଆସିଥିବାବେଳେ ତାଙ୍କୁ ନଟ ଆଉଟ ଘୋଷଣା କରାଯାଇଥିଲା । କିନ୍ତୁ ବଲ ପ୍ୟାଡ଼ରେ ବାଜି ସୀମା ରେଖା ପାର କରିଥିଲା । ଅମ୍ପାୟାର ଆଉଟ ଦେଇଥିବାରୁ ବଲ ଡେଡ଼ ହୋଇଯାଇଲା ଓ ବାଂଲାଦେଶକୁ ୪ ରନ ମିଳିପାରିନଥିଲା । ତେବେ ଏହି ଘଟଣା ପରେ ଆଇସିସିର ନିୟମକୁ ନେଇ ଅନେକ ଚର୍ଚ୍ଚା ଚାଲିଛି ଏବଂ ନିୟମରେ ପରିବର୍ତ୍ତନ ଆଣିବାକୁ ମଧ୍ୟ ଅନେକ କ୍ରୀଡା ସମୀକ୍ଷକ ମତ ପ୍ରକାଶ କରିଛନ୍ତି ।
ଅଧିକ ପଢନ୍ତୁ : ୱେଷ୍ଟଇଣ୍ଡିଜ ପାଇଁ ମିଳିଲା ଭିସା : ଖେଳିବେ ସନ୍ଦୀପ ଲମିଚନେ