ନେପାଳ କ୍ରିକେଟ ଦଳ ପାଇଁ ଏକ ବଡ଼ ଖୁସି ଖବର । ନେପାଳ ଦଳରେ ଯୋଗ ଦେବେ ସନ୍ଦୀପ ଲମିଚନେ । ତେବେ ଆମେରିକା ପାଇଁ ତାଙ୍କ ଭିସା ଖାରଜ ହୋଇଥିବାବେଳେ ୱେଷ୍ଟଇଣ୍ଡିଜରେ ସେ ଦଳ ସହ ଯୋଗଦେବେ । ଅବଶିଷ୍ଟ ଦୁଇଟି ମ୍ୟାଚ ପାଇଁ ସେ ନେପାଳ ଦଳରେ ସାମିଲ ହେବେ । ଏଥିପାଇଁ ତାଙ୍କୁ ୱେଷ୍ଟଇଣ୍ଡିଜର ଭିସା ମିଳିସାରିଛି । ୱେଷ୍ଟଇଣ୍ଡିଜରେ ନେପାଳ ଦଳ ସହ ଯୋଗ ଦେବା ନେଇ ସୂଚନା ଦେଇଛନ୍ତି ନେପାଳ କ୍ରିକେଟ ଆସୋସିଏସନର ସଚିବ । ସେ କହିଛନ୍ତି ଯେ ସନ୍ଦୀପଙ୍କୁ ପୂର୍ବରୁ ଆମେରିକା ପଠାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ଭିସା ମିଳିନଥିଲା । ତେବେ ବର୍ତ୍ତମାନ ନେପାଳ ପାଇଁ ବିଶ୍ୱକପରେ ସାମିଲ ହେବାକୁ ଯାଉଥିବାରୁ ସନ୍ଦୀପ ଲାମିଚନେ ନିଜ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ କରି ଖୁସି ବ୍ୟକ୍ତ କରିଥିଲେ।
ସନ୍ଦୀପ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଲେଖିଛନ୍ତି, ''ମୁଁ ଦୁଇଟି ମ୍ୟାଚ ପାଇଁ ଜାତୀୟ ଦଳରେ ଯୋଗଦେବା ପାଇଁ ୱେଷ୍ଟଇଣ୍ଡିଜ୍ ଯାଉଛି। ସେଠାରେ ମୁଁ ଟି -୨୦ ବିଶ୍ୱକପରେ ଦଳ ପାଇଁ ଖେଳିବାର ସ୍ୱପ୍ନକୁ ପୂରଣ କରିବାକୁ ଚେଷ୍ଟା କରିବି । ଯାହା ପ୍ରତ୍ୟେକ କ୍ରିକେଟରଙ୍କ ସ୍ୱପ୍ନ ଥାଏ" । ତେବେ ସୂଚନା ଅନୁଯାୟୀ ବିଶ୍ୱକପ ପୂର୍ବରୁ ସନ୍ଦୀପଙ୍କ ଆମେରିକା ପାଇଁ ଭିସା ରଦ୍ଦ ହୋଇଥିଲା । ଦୁଇଥର ଚେଷ୍ଟା ପରେ ଭିସା ମିଳିନଥିଲା, କିନ୍ତୁ ୱେଷ୍ଟଇଣ୍ଡିଜ ପାଇଁ ଭିସା ମିଳିଥିବାରୁ ସେ ୱେଷ୍ଟଇଣ୍ଡିଜ ଯାଉଛନ୍ତି ନେପାଳ ଦଳରେ ଯୋଗ ଦେବା ପାଇଁ ।
ଅଧିକ ପଢନ୍ତୁ : ଟି-୨୦ ବିଶ୍ବକପ୍: ଭାରତର ରୋମାଞ୍ଚକର ବିଜୟ, ପାକିସ୍ତାନର ଶୋଚନୀୟ ପରାଜୟ