ନୂଆଦିଲ୍ଲୀ: ଆମେରିକାର ନସାଉ କାଉଣ୍ଟି ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ରବିବାର ରାତିରେ ଦର୍ଶକଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ପଡ଼ିଆରେ ଭାରତର ଚିରପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ମୁକାବିଲା କରୁଥିଲା। ଏହି ମ୍ୟାଚ୍ ରୋମାଞ୍ଚକର ହେବ ବୋଲି ଦର୍ଶକ, ପ୍ରଶଂସକ ଓ କ୍ରିକେଟ୍ପ୍ରେମୀ ଆଶା କରୁଥିଲେ ଏବଂ ଶେଷରେ ଏହା ହିଁ ହେଲା। କମ୍ ରନ୍ର ସ୍କୋର ରୋମାଞ୍ଚକର ହେବ ବୋଲି କେହି ଭାବି ନଥିଲେ। ଏକ ସମୟରେ ପ୍ରଶଂସକମାନେ ଅନୁମାନ କରୁଥିଲେ ଯେ, ଭାରତର ବିଜୟ ୮ ପ୍ରତିଶତ ରହିଛି। ଅପରପକ୍ଷେ ପାକିସ୍ତାନ ସପକ୍ଷରେ ମ୍ୟାଚ୍ ୯୨ ପ୍ରତିଶତ ଯାଉଥିଲା। କିନ୍ତୁ ଭାରତୀୟ ବୋଲରଙ୍କ ଶାଣିତ ବୋଲି ଏହି ପୂର୍ବାନୁମାନ ସତ ହେବାକୁ ଦେଲେ ନାହିଁ। ୧୨୦ ରନ୍ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ପାକିସ୍ତାନ ୬ ରନ୍ରେ ପରାସ୍ତ ହୋଇଥିଲା।
ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି-୨୦ ବିଶ୍ବକପ୍ର ୧୯ତମ ମ୍ୟାଚ୍ରେ ଭାରତ ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିବାର ସୁଯୋଗ ପାଇଥିଲା। ଭାରତୀୟ ଟିମ୍ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ପ୍ରଥମ ଥର ପାକିସ୍ତାନ ଠାରୁ ଅଲ୍ଆଉଟ୍ ହୋଇଥିଲେ। ପାକିସ୍ତାନ ଭଲ ଆରମ୍ଭ କରିଥିଲା। ପ୍ରଥମ ୱିକେଟ୍ ୨୬ ରନ୍ରେ ପଡ଼ିଥିଲା। କିନ୍ତୁ ୭୩ ରନ୍ ବେଳକୁ ୩ ଜଣ ପାକିସ୍ତାନୀ ଖେଳାଳି ଆଉଟ୍ ହୋଇସାରିଥିଲେ।
ମହମ୍ମଦ ରିଜୱାନ୍(୩୧)ଙ୍କୁ ଯସପ୍ରୀତ ବୁମରା ବୋଲ୍ଡ କଲା ପରେ ଭାରତର ବିଜୟ ଆଶା ବଢ଼ିଲା। ଭାରତ ଏଥର ପୂର୍ଣ୍ଣ ବିଶ୍ବାସର ସହିତ ଖେଳିଲା। ଦେଖୁଦେଖୁ ସମୀକରଣ ବଦଳିଗଲା। ଭାରତୀୟ ଟିମ୍ ଚାଳକ ସିଟରେ ବସିଲା। ମ୍ୟାଚର ଶେଷ ଓଭର ପର୍ଯ୍ୟନ୍ତ ପାକିସ୍ତାନ ଚାପରେ ରହିଥିଲା। ପାକିସ୍ତାନକୁ ଶେଷ ଓଭରରେ ମ୍ୟାଚ ଜିତିବା ପାଇଁ ୧୮ ରନ୍ ଦରକାର ଥିଲା। ହାତରେ ୪ଟି ୱିକେଟ ମଧ୍ୟ ଥିଲା। ଆଧୁନିକ ଟି-୨୦ କ୍ରିକେଟ୍ରେ ୬ ବଲ୍ରେ ୧୮ ରନ୍ ସଂଗ୍ରହ କରିବା କଠିନ ନୁହେଁ, କିନ୍ତୁ ଅର୍ଶଦୀପ ସଂହଙ୍କ ଯୋଜନା ଅଲଗା ଥିଲା, ଯିଏକି ଶେଷ ଓଭରର ଦାୟିତ୍ବକୁ ଭଲ ଭାବରେ ତୁଲାଇଥିଲେ।
ଅର୍ଶଦୀପ ପ୍ରଥମ ବଲରେ ଇମାମ ୱାସୀମଙ୍କୁ ଆଉଟ୍ କରିଥିଲେ। ଦ୍ବିତୀୟ ଓ ତୃତୀୟ ବଲରୁ ନସୀମ ଓ ଶାହୀନ ଆଫ୍ରଦୀ ଯଥାକ୍ରମେ ଗୋଟିଏ ଲେଖାଏର୍ ରନ୍ ସଂଗ୍ରହ କରିଥିଲେ। ଚତୁର୍ଥ ଓ ପଞ୍ଚମ ବଲରୁ ନସୀମ ଶାହ ଦୁଇଟି ଚୌକା ମାରିଥିଲେ। ସେ ଶେଷ ବଲରୁ ଗୋଟିଏ ରନ୍ ସଂଗ୍ରହ କରିଥିଲେ। ମୋଟାମୋଟି ଭାବେ ପାକିସ୍ତାନ ଶେଷ ଓଭରରୁ ୧୧ ରନ୍ ସଂଗ୍ରହ କରିଥିଲା ଏବଂ ଗୋଟିଏ ୱିକେଟ୍ ହରାଇଥିଲା।
ଭାରତ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ୧୧୯ ରନ୍ ସଂଗ୍ରହ କରିଥିଲା। ଯୁବ ବ୍ୟାଟର ଋଷଭ ପନ୍ତ ଦଳ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର ୪୨ ରନ୍ କରିଥିଲେ। ଅଲରାଉଣ୍ଡର ଅକ୍ଷର ପଟେଲ ୨୦ ରନ୍, ଅଧିନାୟକ ରୋହିତ ଶର୍ମା ୧୩ ରନ୍ କରିଥିଲେ। ସେହିପରି ଭାରତୀୟ ବୋଲର ଯଶପ୍ରୀତ ବୁମରା ୩ଟି ୱିକେଟ୍ ନେଇଥିବା ବେଳେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୨ଟି ଓ ଅର୍ଶଦୀପ ସିଂହଙ୍କୁ ଗୋଟିଏ ୱିକେଟ୍ ମିଳିଥିଲା।