ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ(ଆଇସିସି) ବୁଧବାର ଦିନିକିଆ ଖେଳାଳିଙ୍କ ସଦ୍ୟତମ ମାନ୍ୟତା ଜାରି କରିଛି। ଭାରତର ତାରକା ବ୍ୟାଟର ବିରାଟ କୋହଲି, ଦ୍ରୁତ ବୋଲର ମହମ୍ମଦ ଶାମି ଓ ସ୍ପିନର କୁଲଦୀପ ଯାଦବଙ୍କୁ ଗୋଟିଏ ଗୋଟିଏ ସ୍ଥାନ ଫାଇଦା ମିଳିଛି। ଆଉ କୋହଲି ୭୪୩ ରେଟିଂ ପଏଣ୍ଟ ସହ ପୁଣି ଥରେ ଟପ୍-୫ରେ ପ୍ରବେଶ କରିଛନ୍ତି। ଆଇସିସି ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ପାକିସ୍ତାନ ବିପକ୍ଷରେ କୋହଲି ୧୦୦ ରନର ଅପରାଜିତ ଇନିଂସ ଖେଳିଥିଲେ। କୋହଲିଙ୍କ ଏହା ଦିନିକିଆରେ ୫୧ତମ ଓ ମୋଟ୍ ଉପରେ ୮୨ ଅନ୍ତର୍ଜାତୀୟ ଶତକ।
ଟପ୍-୧୦ ବ୍ୟାଟର ତାଲିକାରେ ଭାରତୀୟ ଖେଳାଳିଙ୍କ ଦବଦବା ଦେଖିବାକୁ ମିଳିଛି। ୪ ଖେଳାଳି ଟପ୍-୧୦ରେ ଥିବା ବେଳେ ଯୁବ ଓପନର ଶୁଭମନ ଗିଲ୍ ଶୀର୍ଷରେ ଅଛନ୍ତି। ତାଙ୍କର ରେଟିଂ ପଏଣ୍ଟ ୮୧୭ରେ ପହଞ୍ଚିଛି। ଅଧିନାୟକ ରୋହିତ ଶର୍ମା(୭୫୭) ସହ ତୃତୀୟ, ବିରାଟ କୋହଲି(୭୪୩) ପଞ୍ଚମ ଓ ଶ୍ରେୟସ ଆୟର(୬୭୯) ନବମରେ ରହିଛନ୍ତି। ପାକିସ୍ତାନର ତାରକା ବ୍ୟାଟର ବାବର ଆଜମ(୭୭୦) ଦ୍ଵିତୀୟରେ ରହିଛନ୍ତି। ଭାରତର ଓ୍ଵିକେଟ୍ କିପର ବ୍ୟାଟର କେଏଲ ରାହୁଲ ଦୁଇଟି ସ୍ଥାନ ଉପରକୁ ଉଠି ୧୫ତମ ସ୍ଥାନରେ ପହଞ୍ଚିଛନ୍ତି।
ସେହିପରି ବୋଲିଂରେ ମହମ୍ମଦ ଶାମି ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। ତାଙ୍କ ରେଟିଂ ପଏଣ୍ଟ ୫୯୯ ରହିଛି। ବାଂଲାଦେଶ ବିପକ୍ଷରେ ୫୩ ରନ ଦେଇ ୫ ଓ୍ଵିକେଟ୍ ନେଇଥିବା ଶାମିଙ୍କୁ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ କୌଣସି ଓ୍ଵିକେଟ୍ ମିଳି ନ ଥିଲା। କୁଲଦୀପ ଯାଦବ ୬୫୬ ପଏଣ୍ଟ ସହ ତୃତୀୟରେ ରହିଛନ୍ତି। ସେ ହିଁ ଏକମାତ୍ର ଭାରତୀୟ ବୋଲର ଭାବେ ଟପ୍-୧୦ରେ ରହିଛନ୍ତି।
ଶ୍ରୀଲଙ୍କାର ସ୍ପିନର ମହେଶ ତୀକ୍ଷଣା(୬୮୯) ଶୀର୍ଷରେ ରହିଛନ୍ତି। ଆଫଗାନିସ୍ତାନର ସ୍ପିନର ରଶିଦ ଖାନ(୬୫୮) ଦ୍ଵିତୀୟ ଓ ଦକ୍ଷିଣ ଆଫ୍ରିକାର କେଶବ ମହାରାଜ(୬୪୧) ଚତୁର୍ଥ ସ୍ଥାନରେ ରହିଛନ୍ତି। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ମ୍ୟାଟ ହେନରୀ ଦୁଇଟି ସ୍ଥାନ ଉପରକୁ ଚଢି ଷଷ୍ଠ ସ୍ଥାନକୁ ଉଠିଛନ୍ତି। ଅଷ୍ଟ୍ରେଲିଆର ସ୍ପିନର ଆଡମ ଜାମ୍ପା ଦୁଇଟି ସ୍ଥାନ ଉନ୍ନତି ଘଟାଇ ଟପ୍-୧୦ରେ ପ୍ରବେଶ କରିଛନ୍ତି।