ରାଓ୍ଵଲପିଣ୍ଡି: ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସପ୍ତମ ମ୍ୟାଚ୍ ମଙ୍ଗଳବାର ରାଓ୍ଵଲପିଣ୍ଡିରେ ଖେଳାଯିବାର ଥିଲା। କିନ୍ତୁ ବର୍ଷା ଯୋଗୁଁ ମ୍ୟାଚ୍ ସଂପୂର୍ଣ୍ଣ ଧୋଇ ହୋଇ ଯାଇଛି। ଏପରିକି ଟସ୍ ବି ପଡ଼ି ପାରିନି। ଲଗାତାର ବର୍ଷା ଲାଗି ରହିବା କାରଣରୁ ଶେଷରେ ମ୍ୟାଚ୍ ରଦ୍ଦ କରାଯାଇଛି। ଦୁଇ ଦଳ ନିଜ ନିଜର ପ୍ରଥମ ମ୍ୟାଚ୍ ଜିତିଥିଲେ। ମ୍ୟାଚ୍ ବାତିଲ ହେବାରୁ ଉଭୟ ଦଳକୁ ଗୋଟିଏ ଲେଖାଏଁ ପଏଣ୍ଟ ମିଳିଛି। ଫଳରେ ବୁଧବାର ଇଂଲଣ୍ଡ ଓ ଆଫଗାନିସ୍ତାନ ହେବାକୁ ଥିବା ମୁକାବିଲା ନକ ଆଉଟ୍ ପରି ହୋଇ ଯାଇଛି। ଏହି ମ୍ୟାଚ୍ ହାରିବା ଦଳ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡ଼ିବ।
ଅଷ୍ଟ୍ରେଲିଆ ବନାମ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ସେମି ଫାଇନାଲ୍ ଦୃଷ୍ଟିରୁ ବହୁତ ଗୁରୁତ୍ଵପୂର୍ଣ୍ଣ ଥିଲା। ଏହି ମ୍ୟାଚ୍ ଜିତିବା ଦଳ ପ୍ରାୟତଃ ସେମି ଫାଇନାଲ୍ରେ ନିଜର ସ୍ଥାନ ସୁନିଶ୍ଚିତ କରିଥାନ୍ତା। ମାତ୍ର ଏହି ମ୍ୟାଚ୍ ଡ୍ର ହେବାରୁ ଇଂଲଣ୍ଡ ଓ ଆଫଗାନିସ୍ତାନ ପାଇଁ ସେମି ଫାଇନାଲ୍ ଯବିାର ରାସ୍ତା ଖୋଲି ହୋଇ ଯାଇଛି।
ରୋଚକ ହୋଲ ଗ୍ରୁପ ବିର ସେମି ଫାଇନାଲ୍ ଦୌଡ଼
ଦକ୍ଷିଣ ଆଫ୍ରିକା ଓ ଅଷ୍ଟ୍ରେଲିଆ ଗ୍ରୁପ ବିରେ ତିନି ତିନି ପଏଣ୍ଟ ପାଇଁ କ୍ରମଶଃ ପ୍ରଥମ ଓ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ଅଷ୍ଟ୍ରେଲିଆକୁ ଆଫଗାନିସ୍ତାନ ବିପକ୍ଷରେ ମ୍ୟାଚ୍ ଖେଳିବାର ଅଛି। ଏହି ମ୍ୟାଚ୍ ଜିତି କଙ୍ଗାରୁ ଦଳ ସିଧାସଳଖ ସେମି ଫାଇନାଲ ପ୍ରବେଶ କରି ପାରିବ। ଅନ୍ୟପଟେ ବୁଧବାର ଇଂଲଣ୍ଡ ବନାମ ଆଫଗାନିସ୍ତାନ ମ୍ୟାଚ୍ ଯଦି ଆଫଗାନିସ୍ତାନ ହାରିଯାଏ ତେବେ ଟୁର୍ଣ୍ଣାମେଣ୍ଟରୁ ବିଦା ହେବ।ଯଦି ଆସନ୍ତାକାଲି ଆଫଗାନିସ୍ତାନ ଇଂଲଣ୍ଡକୁ ହରାଇଦିଏ ତେବେ ସେମି ଦୌଡ଼ ଆହୁରି ରୋଚକ ହେବ।
ସୂଚନାଯୋଗ୍ୟ, ଗ୍ରୁପ ଏରେ ସେମି ଫାଇନାଲ୍ ଚିତ୍ର ସ୍ପଷ୍ଟ ହୋଇ ସାରିଛି। ଏହି ଗ୍ରୁପରୁ ଭାରତ ଓ ନ୍ୟୁଜିଲାଣ୍ଡ ନିଜ ନିଜର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ସେମି ଫାଇନାଲ୍ରେ ପ୍ରବେଶ କରି ସାରିଛନ୍ତି। ଅନ୍ୟପଟେ ବାଂଲାଦେଶ ଓ ପାକିସ୍ତାନ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛନ୍ତି।