ନୂଆଦିଲ୍ଲୀ: ପାକିସ୍ତାନ କ୍ରିକେଟ୍ ଦଳ ଚାମ୍ପିଅନ୍ସ ଟ୍ରଫିରେ ଶୋଚନୀୟ ପ୍ରଦର୍ଶନ କରି ସେମି ଫାଇନାଲରୁ ବାଦ ପଡିଛି । ଘରୋଇ ମାଟିରେ ଦଳର ଏମିତି ପ୍ରଦର୍ଶନକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି ପାକ୍ କ୍ରିକେଟ୍ ପ୍ରେମୀ । ନ୍ୟୁଜିଲାଣ୍ଡ ଓ ଭାରତଠୁ ହାରିବା ପରେ ଦଳ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡିଛି । ପାକିସ୍ତାନ କ୍ରିକେଟ୍ ଖେଳାଳିଙ୍କୁ ଚାରି ଆଡୁ ସମାଲୋଚନାର ଶିକାର ହେବାକୁ ପଡୁଛି । ଦଳର ପ୍ରଦର୍ଶନକୁ ନେଇ ପିସିବି ବି ଖପ୍ପା । ପରାଜୟରେ ନିରାଶ ପିସିବି ଦଳର ମୁଖ୍ୟ କୋଚ୍ ଆକିବ ଜାଭେଦଙ୍କୁ ବରଖାସ୍ତ କରିବାକୁ ପ୍ରସ୍ତୁତି କରିଛି ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଲଜ୍ଜାଜନକ ପ୍ରଦର୍ଶନ ଓ ଗ୍ରୁପ ପର୍ଯ୍ୟାୟରୁ ବାଦ୍ ପଡିବା ପରେ ପାକିସ୍ତାନକୁ ସମାଲୋଚନା ହେବାକୁ ପଡିଛି । ପୂର୍ବତନ ଖେଳାଳି ଦଳର ପରାଜୟ ପାଇଁ କେବଳ ଖେଳାଳି ନୁହେଁ ବରଂ କୋଚିଂ ଷ୍ଟାଫ ଓ ଚୟନକର୍ତ୍ତାଙ୍କୁ ବଡ ଦୋଷୀ ମାନୁଛନ୍ତି । ଗତ ବର୍ଷ ଗ୍ୟାରି କର୍ଷ୍ଟନଙ୍କୁ ବରଖାସ୍ତ କରିବା ପରେ ପିସିବି ଆକିବ ଜାଭେଦଙ୍କୁ ମୁଖ୍ୟ କୋଚ୍ ନିଯୁକ୍ତ କରିଥିଲା । ଆଉ ଏବେ ଆକିବଙ୍କୁ ବିଦା କରିବ ପିସିବି ।
ତେବେ ବୋର୍ଡ ଏହା ସ୍ଥିର କରିନାହିଁ ଯେ, ଦଳର ପରବର୍ତ୍ତୀ ମୁଖ୍ୟ କୋଚ୍ କିଏ ହେବ । ମାତ୍ର ଏହା ସ୍ପଷ୍ଟ ଯେ, ଚାମ୍ପିଅନ୍ସ ଟ୍ରଫିର ଖରାପ ପ୍ରଦର୍ଶନ ପରେ ମୁଖ୍ୟ କୋଚ୍ ଓ ସପୋର୍ଟ ଷ୍ଟାଫ ପରିବର୍ତ୍ତନ ହେବେ । ଗତ କିଛି ବର୍ଷ ହେବ ପାକିସ୍ତାନ କ୍ରିକେଟ୍ ବହୁତ କଷ୍ଟକର ସମୟ ଦେଇ ଗତି କରୁଛି । ଦଳର ପ୍ରଦର୍ଶନ ନିମ୍ନଗାମୀ ହେବା ସହ ଦଳ ମ୍ୟାନେଜମେଣ୍ଟର ପରିଚାଳନା ସନ୍ତୋଷଜନକ ରହିନାହିଁ । ଚାମ୍ପିଅନ୍ସ ଟ୍ରଫିରେ ଦଳ ନା ବୋଲିଂରେ ଭଲ ପ୍ରଦର୍ଶନ କରିଛି ନା ବ୍ୟାଟିଂରେ ।