ନୂଆଦିଲ୍ଲୀ: ଆଜି ଚାମ୍ପିଅନ୍ସ ଟ୍ରଫିର ଷଷ୍ଠ ମୁକାବିଲାରେ ମୁହାଁମୁହିଁ ହେବେ ବାଂଲାଦେଶ ଓ ନ୍ୟୁଜିଲାଣ୍ଡ । ରାୱଲପିଣ୍ଡି କ୍ରିକେଟ୍ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ଏହି ମୁକାବିଲା ଉପରେ ପାକିସ୍ତାନର ବି ନଜର ରହିଛି । କାରଣ ଆଜିର ମ୍ୟାଚରେ ଯଦି ବାଂଲାଦେଶ ବିଜୟୀ ହୁଏ ତେବେ ପାକିସ୍ତାନର ସେମି ଆଶା ଉଜ୍ଜିବୀତ ରହିବ । ବାଂଲାଦେଶ ପରାଜିତ ହେଲେ ଉଭୟ ଦଳ ସେମି ଫାଇନାଲ୍ ଦୌଡରୁ ବାଦ୍ ପଡିବେ ।
ତେଣୁ ଆଜି ବାଂଲାଦେଶର ବିଜୟ ପ୍ରାର୍ଥନା କରୁଛିପାକିସ୍ତାନ । ଅନ୍ୟପଟେ ନ୍ୟୁଜିଲାଣ୍ଡ ବହୁତ ମଜବୁତ ଦଳ । ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୬୦ ରନରେ ହରାଇଛି ନ୍ୟୁଜିଲାଣ୍ଡ । ତେଣୁ ଆଜିର ମ୍ୟାଚରେ କିୱି ଦଳର ବିଜୟ ସମ୍ଭାବନା ଅଧିକ ରହିଛି । କିନ୍ତୁ ବାଂଲାଦେଶକୁ ଅଣଦେଖା କରାଯାଇ ପାରିବ ନାହିଁ । କାରଣ ଗତ ଥର ଯେବେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ ବାଂଲାଦେଶ ବିଜୟୀ ହୋଇଥିଲା । ଏପରିକି ଚାମ୍ପିଅନ୍ସ ଟ୍ରଫିରେ ଯେବେ ଦୁଇ ଦେଶ ମଧ୍ୟରେ ମ୍ୟାଚ୍ ଖେଳା ଯାଇଥିଲା, ବାଂଲାଦେଶ ବାଜିମାତ୍ କରିଥିଲା ।
୨୦୧୭ ଚାମ୍ପିଅନ୍ସ ଟ୍ରଫିରେ ବାଂଲାଦେଶ ବଡ ବିପର୍ଯ୍ୟୟ ଘଟାଇଥିଲା । ଦଳ ନ୍ୟୁଜିଲାଣ୍ଡ ଦ୍ୱାରା ଧାର୍ଯ୍ୟ ୨୬୬ ରନର ବିଜୟ ଲକ୍ଷ୍ୟକୁ ୧୬ ବଲ ବାକି ଥାଇ ଜିତି ନେଇଥିଲା । ଏହି ମ୍ୟାଚରେ ହିରୋ ସାକିବ ଅଲ ହସନ ଥିଲେ, ଯିଏ ୧୧୪ ରନର ମ୍ୟାଚ୍ ବିଜୟୀ ଶତକୀୟ ଇନିଂସ ଖେଳିଥିଲେ । ବାଂଲାଦେଶ ଏମିତି ଏକ ଦଳ ଯିଏ ବଡ ଟିମ ବିପକ୍ଷରେ ବିପର୍ଯ୍ୟୟ ଘଟାଇବାର କ୍ଷମତା ରଖିଛି ।
ଆଜିର ଚାମ୍ପିଅନ୍ସ ଟ୍ରଫି ମ୍ୟାଚ୍ ପୂର୍ବରୁ ୨୦୨୩ ଡିସେମ୍ବରରେ ଦୁଇ ଦଳ ମୁହାଁମୁହିଁ ହୋଇଥିଲେ । ଆଉ ଉକ୍ତ ମ୍ୟାଚକୁ ବାଂଲାଦେଶ ୯ ୱିକେଟରେ ଜିତି ନେଇଥିଲା । ତେବେ ମୋଟାମୋଟି ଭାବେ ଦେଖିଲେ ନ୍ୟୁଜିଲାଣ୍ଡର ପଲ୍ଲା ଭାରି ରହିଛି । ଦିନିକିଆରେ ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୋଟ୍ ୪୫ଟି ମ୍ୟାଚ୍ ଖେଳା ଯାଇଛି । ଏଥିରୁ ନ୍ୟୁଜିଲାଣ୍ଡ ୩୩ଟି ମ୍ୟାଚ୍ ଜିତିଥିବା ବେଳେ ବାଂଲାଦେଶ ମାତ୍ର ୧୧ଟି ଜିତି ପାରିଛି ।