ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଆୟୋଜକ ପାକିସ୍ତାନ ଲଗାତାର ଦୁଇଟି ମ୍ୟାଚରେ ଶୋଚନୀୟ ପରାଜୟ ଭୋଗିଛି । ଭାରତ ପାକିସ୍ତାନକୁ ୬ ୱିକେଟରେ ହରାଇ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ପାକିସ୍ତାନର ସେମି ଆଶାକୁ ଶକ୍ତ ଧକ୍କା ଲାଗିଛି । ଏହା ପୂର୍ବରୁ ପାକିସ୍ତାନ ନ୍ୟୁଜିଲାଣ୍ଡ ନିକଟରୁ ୬୦ ରନରେ ପରାଜିତ ହୋଇଥିଲା । ଏବେ ଭାରତଠୁ ହାରିବା ପରେ ପ୍ରଶ୍ନ ଉଠିଛି ଯେ କଣ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ପଡିଲା ? ଏବେ ବି ପାକିସ୍ତାନର ସେମି ଫାଇନାଲ୍ ଯିବାର ସମ୍ଭାବନା ରହିଛି । କିନ୍ତୁ ପାକିସ୍ତାନକୁ ଅନ୍ୟ ଦଳର ପ୍ରଦର୍ଶନ ଉପରେ ନିର୍ଭର ରହିବାକୁ ପଡିବ ।
ପାକିସ୍ତାନକୁ ଯଦି ସେମି ଫାଇନାଲ୍ ପାଇଁ ଯୋଗ୍ୟତା ଅର୍ଜନ କରିବାର ଅଛି ତେବେ ସର୍ବପ୍ରଥମେ ଦଳ ପ୍ରାର୍ଥନା କରୁଛି ଯେ, ଫେବୃଆରୀ ୨୪ ତାରିଖ ବାଂଲାଦେଶ ବନାମ ନ୍ୟୁଜିଲାଣ୍ଡ ମ୍ୟାଚରେ ବାଂଲାଦେଶ ବିଜୟୀ ହେଉ । ଏହା ପରେ ଦଳ ବାଂଲାଦେଶକୁ ହରାଇବାକୁ ପଡିବ । ନେଟ ରନ ରେଟକୁ ଧ୍ୟାନରେ ରଖି ପାକିସ୍ତାନକୁ ବାଂଲାଦେଶ ବିରୋଧରେ ବଡ ବିଜୟ ହାସଲ କରିବାକୁ ପଡିବ । ଏହା ବ୍ୟତୀତ ମହମ୍ମଦ ରିଜୱାନ ଓ ସାଥୀ ଖେଳାଳି ଏହି କାମନା କରିବେ ଯେ, ଭାରତ ନିଜର ଶେଷ ଲିଗ୍ ମ୍ୟାଚରେ ନ୍ୟୁଜିଲାଣ୍ଡକୁ ବଡ ବ୍ୟବଧାନରେ ହରାଉ ।
ଯଦି କିୱି ଦଳ ଆଗାମୀ ମ୍ୟାଚରେ ବାଂଲାଦେଶ ଓ ଭାରତଠୁ ପରାଜିତ ହୁଏ ଏବଂ ପାକିସ୍ତାନ ବାଂଲାଦେଶକୁ ହରାଇଦିଏ ତେବେ ତିିନି ଦଳର ପଏଣ୍ଟ ସମାନ ରହିବ । ଏମିତି ସ୍ଥିତିରେ ନେଟ୍ ରନ ରେଟ୍ ଆଧାରରେ ସେମି ଫାଇନାଲ୍ ନିଷ୍ପତ୍ତି ହେବ । ବର୍ତ୍ତମାନ ପାକିସ୍ତାନର ନେଟ୍ ରନ ରେଟ୍ ବିଯୁକ୍ତ ୧.୦୮୭ ରହିଛି । ଏଥିପାଇଁ ଦଳକୁ ବାଂଲାଦେଶ ବିପକ୍ଷରେ ବଡ ବିଜୟ ଦରକାର ।
ଚାମ୍ପିଅନ୍ସ ଟ୍ରଫି ୨୦୨୫ର ଗ୍ରୁପ ଏରେ ଭାରତ, ପାକିସ୍ତାନ, ନ୍ୟୁଜିଲାଣ୍ଡ ଓ ବାଂଲାଦେଶ ରହିଛି । ଏହି ଗ୍ରୁପରେ ତିନୋଟି ମ୍ୟାଚ୍ ଖେଳ ସରିଥିବା ବେଳେ ଆଉ ତିନୋଟି ବାକି ରହିଛି । ଫେବୃଆରୀ ୨୪ରେ ବାଂଲାଦେଶ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୁକାବିଲା ହେବ । ଏହା ପରେ ଫେବୃଆରୀ ୨୭ରେ ବାଂଲାଦେଶ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍ ଖେଳାଯିବ । ଗ୍ରୁପର ଶେଷ ମ୍ୟାଚ୍ ମାର୍ଚ୍ଚ ୨ ତାରିଖ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବ ।