ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫ରେ ଭାରତୀୟ ଦଳ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ ସେମି ଫାଇନାଲର ଦ୍ୱାର ଦେଶରେ ପହଞ୍ଚି ଯାଇଛି । ବିରାଟ କୋହଲିଙ୍କ ଅପରାଜିତ ବଳରେ ଭାରତ ପାକିସ୍ତାନକୁ ୬ ୱିକେଟରେ ମାତ୍ ଦେଇଛି । ଭାରତର ଏହି ବିଜୟ ସହିତ ଆଇଆଇଟି ବାବାଙ୍କ ଭବିଷ୍ୟତବାଣୀ ଫେଲ୍ ମାରିଛି । ସ୍ୱୟଂଭୁ ବାବା ଭୟ ସିଂ ଏହି ହାଇଭୋଲଟେଜ୍ ମ୍ୟାଚକୁ ନେଇ ଭବିଷ୍ୟତବାଣୀ କରିଥିଲେ ଯେ, ଭାରତ ପାକିସ୍ତାନ ବିପକ୍ଷ ମ୍ୟାଚରେ ପରାଜିତ ହେବ । ସେ ଏହା ମଧ୍ୟ କହିଥିଲେ, ବିରାଟ କୋହଲି ଯେତେ ଭଲ ପ୍ରଦର୍ଶନ କଲେ ମଧ୍ୟ ଭାରତ ମ୍ୟାଚ୍ ଜିତି ପାରିବ ନାହିଁ । ହେଲେ ବାବାଙ୍କ ଏହି ଭବିଷ୍ୟତବାଣୀ ଫେଲ୍ ମାରିଛି ।
ମହାକୁମ୍ଭରେ ନିଜର ଉପସ୍ଥିତି କାରଣରୁ ଚର୍ଚ୍ଚାରେ ରହିଥିବା ସ୍ୱୟଂଭୁ ବାବା ଅଭୟ ସିଂ ନିକଟରେ ଆଶ୍ଚର୍ଯ୍ୟକର ଭବିଷ୍ୟତବାଣୀ କରିଥିଲେ । ଇନଷ୍ଟାଗ୍ରାମ ଲାଇଭରେ ସେ ଦାବି କରିଥିଲେ ଯେ, ଭାରତ ରବିବାର ଖେଳା ଯିବାକୁ ଥିବା ପାକିସ୍ତାନ ବିପକ୍ଷ ମ୍ୟାଚ୍ ହାରିଯିବ । କେବଳ ଏତିକି ନୁହେଁ ଆଇଆଇଟି ବାବା ଭବିଷ୍ୟତବାଣୀ କରିଥିଲେ ଯେ, ଭାରତୀୟ ଦଳର ସୁପରଷ୍ଟାର ବିରାଟ କୋହଲି ନିଜର ପୂରା ଶକ୍ତି ଖଟାଇ ଦେଲେ ମଧ୍ୟ ଭାରତ ଜିତି ପାରିବ ନାହିଁ । ଯେବେ ମୁଁ କହି ଦେଲି ତ ଭାରତ ମ୍ୟାଚ୍ ଜିତି ପାରିବ । ଆଉ ଏବେ ଆଇଆଇଟି ବାବାଙ୍କ ଏମିତ ଦାବି ସଂପୂର୍ଣ୍ଣ ମିଛ ସାବ୍ୟସ୍ତ ହୋଇଛି ।
ଚାମ୍ପିଅନ୍ସ ଟ୍ରଫି ୨୦୧୭ ଫାଇନାଲ୍ ପରାଜୟର ମଧୁର ପ୍ରତିଶୋଧ ନେଇଛି ଭାରତ। ଦୁବାଇର ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଖେଳା ଯାଇଥିବା ହାଇଭୋଲଟେଜ୍ ମ୍ୟାଚରେ ବିରାଟ କୋହଲିଙ୍କ ଆକର୍ଷଣୀୟ ଶତକ ବଳରେ ଭାରତ ପାକିସ୍ତାନକୁ ୬ ଓ୍ଵିକେଟ୍ରେ ହରାଇ ସହଜ ବିଜୟ ହାସଲ କରିବା ସହ ଚାମ୍ପିଅନ୍ସ ଟ୍ରଫି ୨୦୨୫ର ସେମି ଫାଇନାଲ ପ୍ରବେଶ ସୁନିଶ୍ଚିତ କରିଛି। ଅନ୍ୟପଟେ ପରାଜୟ ସହ ପାକିସ୍ତାନ ସେମି ଦୌଡ଼ରୁ ଆପାତତଃ ବାଦ୍ ପଡିଛି। ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ସଉଦ ସକିଲଙ୍କ ୬୨ ରନ, ମହମ୍ମଦ ରିଜଓ୍ଵାନଙ୍କ ୪୬ ରନ ଓ ଖୁଶଦିଲ ଶାହଙ୍କ ୩୮ ରନ ବଳରେ ୨୪୧ ରନ କରିଥିଲା। ଜବାବରେ ଭାରତ ୪ ଓ୍ଵିକେଟ୍ ହରାଇ ୪୨.୩ ଓଭରରେ ସହଜରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଛି। ଭାରତ ପକ୍ଷରୁ କୋହଲି ୧୦୦ ରନର ଅପରାଜିତ ଇନିଂସ ଖେଳିଥିବା ବେଳେ ଆୟର ୫୬ ଓ ଗିଲ୍ ୪୬ ରନ କରିଥିଲେ।