ଭୁବନେଶ୍ୱର: ସିବିଆଇ ରେଡ୍ ପ୍ରସଙ୍ଗରେ ବିଷ୍ଣୁପଦ ସେଠୀଙ୍କୁ ହାଇକୋର୍ଟରୁ ମିଳିଲା ସାମୟିକ ଆଶ୍ୱସ୍ତି । ବିଷ୍ଣୁପଦଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଇଛନ୍ତି କୋର୍ଟ। ପରବର୍ତ୍ତୀ ଶୁଣାଣି ଯାଏଁ କାର୍ୟ୍ୟାନୁଷ୍ଠାନ ଉପରେ ରୋକ୍ ଲଗାଯାଇଛି। ମାର୍ଚ୍ଚ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। ସିବିଆଇ ରେଡ୍କୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବିଷ୍ଣୁପଦ ।
ତାଙ୍କ ନାଁରେ ଦୁର୍ନୀତିର ଅଭିଯୋଗ ଆସିବା ଏବଂ ଚାପ ବଢିବା ପରେ କିଛି ଦିନ ତଳେ ପ୍ରଶାସନିକ ପଦରୁ ଇସ୍ତଫା ଦେଇଥିଲେ ବିଷ୍ଣୁପଦ । ସେ ନିଜର ଇସ୍ତଫା ପତ୍ର ମୁଖ୍ୟ ଶାସନ ସଚିବଙ୍କୁ ପଠାଇଥିଲେ। ଇସ୍ତଫା ପତ୍ରରେ ଲେଖିଥିଲେ ଯେ, ୧୯୯୫ ବ୍ୟାଚର ଜଣେ ପ୍ରଶାସନିକ ଅଧିକାରୀ ଭାବେ ନିରନ୍ତର ଓ ନିସ୍ୱାର୍ଥପର ସେବା ଯୋଗାଇଆସିଛି। କିନ୍ତୁ ଆଜି ହଠାତ୍ ମୋ ଘରେ ସିବିଆଇ ଚଢାଉ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।
ବିଷ୍ଣୁପଦ ସେଠୀ କହିଥିଲେ ଯାଞ୍ଚ ବ୍ୟୁରୋ ରେଡ୍ ତରିକା ଠିକ୍ ନଥିଲା । ବିନା ଏଫଆଇଆରରେ କିପରି ମୋ ଘରେ ରେଡ୍ କରାଗଲା ସେ ପ୍ରଶ୍ନ କରିଥିଲେ। ସେ ଆହୁରି କହିଛନ୍ତି ଏସବୁ ଉଦ୍ଦେଶ୍ୟ ପ୍ରଣୋଦିତ। ଏସବୁରେ ଅତିଷ୍ଠ ହୋଇ ମୁଁ ଆଜି ମୋ ପଦରୁ ଇସ୍ତଫା ଦେଉଛି।
ସୂଚନା ଥାଉକି, ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍ ମାମଲାରେ ବିଷ୍ଣୁପଦ ସେଠୀଙ୍କ ଘରେ ସିବିଆଇ ଚଢାଉ କରିଥିଲା । ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଲିଙ୍କ୍କୁ ନେଇ ୮ ଜଣିଆ ଟିମ୍ର ଖୋଳତାଡ କରିଥିଲା। ବିଷ୍ଣୁପଦ ସେଠୀଙ୍କ ସରକାରୀ ବାସଭବନରେ ଚଢାଉ କରାଯାଇଥିଲା। ତେବେ ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଗଣମାଧ୍ୟମ ଆଗରେ ଖଣ୍ଡନ କରିଥିଲେ ଖୋଦ୍ ବିଷ୍ଣୁପଦ।