ଭୁବନେଶ୍ୱର: ଓଡ଼ିଶା ପୋଲିସରେ ଏସଆଇ ଏବଂ ଅନ୍ୟ ପଦରେ ନିଯୁକ୍ତି ପାଇଁ ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ମାର୍ଚ୍ଚ ୮ ଏବଂ ମାର୍ଚ୍ଚ ୯, ୨୦୨୫ରେ ଲିଖିତ ପରୀକ୍ଷା ଅନୁଷ୍ଠିତ ହେବ । ଓଏମ୍ଆର୍ ଆଧାରିତ ଲିଖିତ ପରୀକ୍ଷା ହେବ । ଏ ନେଇ ଓଡ଼ିଶା ପୋଲିସ ରିକ୍ୟୁରିମେଣ୍ଟ୍ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।
ଏଥିପାଇଁ ଆଶାୟୀ ପରୀକ୍ଷାର୍ଥୀମାନେ ଅନଲାଇନରେ ଆଡମିଟ୍ କାର୍ଡ ଡାଉନଲୋଡ୍ କରିପାରିବେ । ମାର୍ଚ୍ଚ ୧ ତାରିଖଠାରୁ ରାଜ୍ୟ ପୋଲିସର ୱେବ୍ ସାଇଟ୍ (https://odishapolice.gov.in) ରୁ ଆଡମିଟ୍ କାର୍ଡ ଡାଉନଲୋଡ୍ କରି ପାରିବେ ।
କେତେକ ଜରୁରୀ ନିୟମ...
- ଏହା ସହିତ ପରୀକ୍ଷାର୍ଥୀଙ୍କ ପାଇଁ ନିର୍ଦ୍ଦେଶାବଳୀ ମଧ୍ୟ ଜାରି କରାଯାଇଛି । ପରୀକ୍ଷା ହଲରେ ଶାନ୍ତି ବଜାୟ ରଖିବା ସହିତ ସାଥିରେ ଆଡମିଟ୍ କାର୍ଡ, ଅସଲି ପରିଚୟ ପତ୍ର ଏବଂ ପରିଚୟ ପତ୍ରର ଏକ ଫଟୋ କପି ଆଣିବାକୁ ବାଧ୍ୟ ।
- ଯଦି ପରିଚୟ ପତ୍ର ସାଥିରେ ନ ଆଣିବେ ତେବେ ସେମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ ।
- ସେହିପରି ପରୀକ୍ଷା ପାଇଁ ସାଥିରେ ବ୍ଲ୍ୟୁ ଏବଂ ବ୍ଲାକ୍ ( ନୀଳ ଏବଂ କଳା) ରଙ୍ଗର ପେନ୍ ଆଣିବେ । କେବଳ ଏହି ଦୁଇଟି ରଙ୍ଗର ବଲ୍ ପଏଣ୍ଟ ପେନ ବ୍ୟବହାର କରିହେବ ।
- ଷ୍ଟେସନ ଅଫିସର (ଅଗ୍ନିଶମ) ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କ ବ୍ୟତୀତ ଅନ୍ୟ ପ୍ରାର୍ଥୀମାନେ ପେପର-୨ ପରୀକ୍ଷା ସମାପ୍ତ ହେବା ପରେ ପ୍ରବେଶପତ୍ର ଏବଂ ଫଟୋ ପରିଚୟପତ୍ରର କପି ନିରୀକ୍ଷକଙ୍କୁ ପ୍ରଦାନ କରିବେ । ଷ୍ଟେସନ ଅଫିସର (ଅଗ୍ନିଶମ) ପାଇଁ ଆବେଦନ କରିଥିବା ପ୍ରାର୍ଥୀମାନେ ୦୯.୦୩.୨୦୨୫ ରେ ପ୍ରବେଶପତ୍ରର କପି ପ୍ରଦାନ କରିବେ।
- ପରୀକ୍ଷା କେନ୍ଦ୍ରକୁ ମୋବାଇଲ୍, ବୈଦ୍ୟୁତିକ ଉପକରଣ, କାଲକୁଲେଟର୍, ଡିଜିଟାଲ୍ ହାତ ଘଣ୍ଟା, ଖାତା ବହି ଆଦି ନେଇ ପାରିବେ ନାହିଁ । ପରୀକ୍ଷାର ୩୦ ମିନିଟ୍ ପୂର୍ବରୁ କେନ୍ଦ୍ର ଭିତରକୁ ପ୍ରବେଶ କରିବେ ।
- ପରୀକ୍ଷା ସମୟ ଶେଷ ନ ହେବା ଯାଏଁ କୌଣସି ପରୀକ୍ଷାର୍ଥୀଙ୍କୁ ବାହାରକୁ ଯିବା ପାଇଁ ଅନୁମତି ମିଳିବ ନାହିଁ ।
ଓଡ଼ିଶା ପୋଲିସରେ ୯୩୩ ସବ୍ ଇନସ୍ପେକ୍ଟର୍ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୬୦୯ ସବ୍ ଇନସ୍ପେକ୍ଟର୍, ୨୫୩ ସବ୍ ଇନସ୍ପେକ୍ଟର୍ (ଆର୍ମଡ), ୪୭ ଷ୍ଟେସନ ଅଫିସର (ଫାୟାର ସର୍ଭିସ) ଓ ୨୪ ଆସିଷ୍ଟାଣ୍ଟ ଜେଲର ପଦବୀ ପାଇଁ ଦରଖାସ୍ତ ଆହ୍ୱାନ କରାଯାଇଥିଲା ।