ଭୁୁବନେଶ୍ୱର: ରାତି ପାହିଲେ ମହାଶିବରାତ୍ରି । ଚଳଚଞ୍ଚଳ ହେଲାଣି ସମସ୍ତ ଶୈବପୀଠ। ପ୍ରସ୍ତୁତି ପ୍ରାୟ ସରିଥିବା ବେଳେ ସକାଳୁ ସକାଳୁ ମନ୍ଦିରରେ ଭକ୍ତଙ୍କ ଗହଳି ଲାଗିବ । ସନ୍ଧ୍ୟା ହେଲେ ଶୈବପୀଠରେ ହଜାର ହଜାର ଶ୍ରଦ୍ଧାଳୁ ଦୀପ ଜାଳିବେ । ଜାଗର ପାଇଁ ଭୁବନେଶ୍ବରର ଏକାମ୍ର କ୍ଷେତ୍ରଠୁ ନେଇ ଝଲସୁଛି ପୁରପଲ୍ଲୀରେ ଥିବା ଶିବ ମନ୍ଦିର । ନିର୍ଦ୍ଧାରିତ ସମୟରେ ସମସ୍ତ ନୀତିକାନ୍ତି ସାରିବା ସହ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠାଇବାକୁ ସେବାୟତଙ୍କ ପକ୍ଷରୁ କୁହାଯାଇଛି।
ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୪୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ ଅଧିକାରୀ ମୁତୟନ ହେବେ । ଏହାସହ ଶ୍ରଦ୍ଧାଳୁଙ୍କ ଗମାନଗମନ ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଛି । ଭୋର ୪ଟା ୩୦ରୁ ଦିନ ୧୧ଟା ପର୍ୟ୍ୟନ୍ତ ସାହାଣ ମେଳା ଦର୍ଶନ । ୧୧ଟା ପରଠାରୁ ଆଡ଼କାଠି ଠାରେ ଦର୍ଶନ କରିବେ ଶ୍ରଦ୍ଧାଳୁ।
ସେହିପରି ପୁରୀର ଲୋକନାଥ, ଢେଙ୍କାନାଳର କପିଳାସ, ଆଠଗଡ଼ର ବାବା ଧବଳେଶ୍ବର, ନୟାଗଡ଼ ଶରଣକୁଳର ଲଡୁବାବାଙ୍କ ପୀଠରେ ସମସ୍ତ ପ୍ରସ୍ତୁତି ଶେଷ ପର୍ୟ୍ୟାୟରେ ପହଞ୍ଚିଛି। ଲୋକନାଥ ପୀଠରେ ସୁରକ୍ଷା ଦାୟିତ୍ବରେ ୧୧ ପ୍ଲାଟୁନ ପୋଲିସ ଫୋର୍ସ, ୧୪ ଇନ୍ସପେକ୍ଟର, ୬ ଡିଏସପି, ଜଣେ ଅତିରିକ୍ତ ଏସପି ମୁତୟନ ହେବେ। କପିଳାଶ ପୀଠରେ ୧୨ପ୍ଲାଟୁନ ପୋଲିସ ଫୋର୍ସ ମୃତୟନହେବେ।
ପୁରୀ ଲୋକନାଥଙ୍କ ପୀଠରେ ରାତି ୩ଟାରେ , ଧବଳେଶ୍ବରଙ୍କ ପୀଠରେ ରାତି ୧ଟାରେ, କପିଳାସଙ୍କ ପୀଠରେ ଭୋର ୪ଟା ୨୦ରେ ଓ ଲଡୁବାବାଙ୍କ ପୀଠରେ ୧୦ଟା ୩୦ରୁ ରାତି ୧୨ଟା ମଧ୍ୟରେ ମହାଦୀପ ଉଠିବାକୁ ନୀତିନିର୍ଘଣ୍ଟ ହୋଇଛି।