ଭୁବନେଶ୍ୱର: ଆଜି ହେଉଛି ପବିତ୍ର ମହାଶିବରାତ୍ରୀ । ଦେବ ଦେବ ମହାଦେବଙ୍କ ଉପାସନାର ଏକ ସ୍ୱତନ୍ତ୍ର ଦିନ । ସାରା ଦେଶରେ ବିଭିନ୍ନ ଶିବ ମନ୍ଦିରରେ ଚାଲିଛି ଶିବ ଉପାସନା । ସଞ୍ଜ ନଇଁଲେ ଜାଗର ଜାଳି ମହାପ୍ରଭୁଙ୍କୁ ଆରଧନା କରିବେ ବ୍ରତଧାରୀ । ରାଜ୍ୟର ବିଭିନ୍ନ ଶୈବାଳୟରେ ଲାଗିଛି ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ହାତରେ ଅଛି କଞ୍ଚା କ୍ଷୀର, ମହାଦେବଙ୍କ ପ୍ରିୟ ଫୁଲ ଦୁଦୁରା, କନୀଅର, କେତକୀ, ପଳାଶ ଓ ଅରଖ । ଓଁ ନମଃ ଶିବାୟ ଧ୍ୱନୀ, ଶିବ ପଞ୍ଚାକ୍ଷର ଏବଂ ମହାମୃତ୍ୟୁଞ୍ଜୟ ମନ୍ତ୍ରରେ ଗୁଞ୍ଜରିତ ହେଉଛି ପରିବେଶ ।
ଭୁବନେଶ୍ୱରର ସ୍ଥିତ ଲିଙ୍ଗରାଜ ମନ୍ଦିରରେ ସକାଳୁ ସକାଳୁ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି । ଭକ୍ତମାନେ ଲମ୍ବା ଧାଡ଼ିରେ ଛିଡ଼ା ହୋଇ ମହାପ୍ରଭୁଙ୍କ ଦର୍ଶନ କରୁଛନ୍ତି । ତେବେ ଅତ୍ୟଧିକ ଭିଡ଼ ଯୋଗୁଁ ଲିଙ୍ଗରାଜ ମନ୍ଦିରରେ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇ ଜଣ ମହିଳା ଭକ୍ତ ଆହତ ହୋଇଥିବା ନେଇ ପ୍ରାଥମିକ ସୂଚନା ମିଳିଛି ।
ଅନ୍ୟପକ୍ଷରେ ଲିଙ୍ଗରାଜ ମନ୍ଦିରରେ ମହାଶିବରାତ୍ରୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାତି 10ଟାରେ ଲିଙ୍ଗରାଜ ମନ୍ଦିରରେ ଉଠିବ ମହାଦୀପ । ସେଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ୪୦ ପ୍ଲାଟୁନ ପୋଲିସ ଫୋର୍ସ ଓ ୧୦୦ ଅଧିକାରୀ ମୁତୟନ ହେବେ । ଏହାସହ ଶ୍ରଦ୍ଧାଳୁଙ୍କ ଗମାନଗମନ ପାଇଁ ଟ୍ରାଫିକ କଟକଣା ଜାରି କରାଯାଇଛି । ଭୋର ୪ଟା ୩୦ରୁ ଦିନ ୧୧ଟା ପର୍ୟ୍ୟନ୍ତ ସାହାଣ ମେଳା ଦର୍ଶନ । ୧୧ଟା ପରଠାରୁ ଆଡ଼କାଠି ଠାରେ ଦର୍ଶନ କରିବେ ଶ୍ରଦ୍ଧାଳୁ।
ସେହିପରି ପୁରୀର ଲୋକନାଥ, ଢେଙ୍କାନାଳର କପିଳାସ, ଆଠଗଡ଼ର ବାବା ଧବଳେଶ୍ୱର, ନୟାଗଡ଼ ଶରଣକୁଳ ଲଡୁବାବାଙ୍କ ପୀଠ ଏବଂ ଭଦ୍ରକ ଆଖଣ୍ଡଳମଣୀଙ୍କ ସ୍ଥଳରେ ମଧ୍ୟରେ ପ୍ରବଳ ଭକ୍ତଙ୍କ ସମାଗମ ହୋଇଛି ।
ତେବେ ଜାଣନ୍ତୁ ପ୍ରସିଦ୍ଧ ଶୈବ ପୀଠରେ ମହାଦୀପ ଉଠିବାର ସମୟ
- ଶ୍ରୀଲିଙ୍ଗରାଜ ମନ୍ଦିରରେ ରାତି ୧୦ଟା
- ପୁରୀ ଲୋକନାଥଙ୍କ ପୀଠରେ ଭୋର ୩ଟା
- ଆଠଗଡ଼ ଧବଳେଶ୍ୱର ପୀଠରେ ରାତି ୧ଟା
- କପିଳାସଙ୍କ ପୀଠରେ ଭୋର ୪ଟା ୨୦ରେ
- ନୟାଗଡ଼ରେ ଲଡୁବାବାଙ୍କ ପୀଠରେ ୧୦ଟା ୩୦ରୁ ରାତି ୧୨ଟା