ଭୁବନେଶ୍ୱର: ଆସନ୍ତାକାଲି ମହାଶିବରାତ୍ରୀ । ଏଥିପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ରାଜଧାନୀରେ ଲାଗୁ ହୋଇଛି ଟ୍ରାଫିକ କଟକଣା। ମହାଶିବରାତ୍ରୀ ପାଇଁ ଲିଙ୍ଗରାଜ ସମେତ ବିଭିନ୍ନ ଶୈବପୀଠରେ ଭକ୍ତ ଭିଡ଼ ଜମିବ। ଏଥିପାଇଁ ଯାନବାହନ ଚଳାଚଳ ଓ ପଥଚାରୀଙ୍କ ସୁବିଧା ପାଇଁ କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଏହି ସମୟରେ ଯେଭଳି ରାସ୍ତାରେ ଭିଡ଼ ନହୁଏ କିମ୍ବା ଜାମ୍ କୁ ନେଇ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହୁଏ, ତାହା ଉପରେ କମିଶନରେଟ୍ ପୋଲିସ ପକ୍ଷରୁ କଡ଼ା ନଜର ରଖାଯାଇଛି।
ରଥ ରୋଡ୍ ଏବଂ ପୁନମାଗେଟ୍ ପଟୁ ଲିଙ୍ଗରାଜ ମନ୍ଦିର ଆଡ଼କୁ ଆସୁଥିବା ଗାଡ଼ି ଗୁଡ଼ିକ ବଢ଼େଇବାଙ୍କ ଛକଠାରୁ ଆଗକୁ ନଯାଇ ବିଏମ୍ ହାଇସ୍କୁଲ ପଡ଼ିଆରେ ପାର୍କିଂ କରିବେ। ଅନ୍ୟପକ୍ଷରେ ପାର୍କିଂ ପାଇଁ ୧୨ଟି ସ୍ଥାନ ଚିହ୍ନଟ ହୋଇଛି। ସମସ୍ତ ନୀତିକାନ୍ତି ଯେପରି ସୂଚାରୁ ରୂପେ ସଂପନ୍ନ ହେବ ଏବଂ ଭକ୍ତ ଯେଭଳି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ଓ ଦୀପ ଜାଳିବେ, ସେନେଇ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।
ଶ୍ରଦ୍ଧାଳୁଙ୍କ ସୁରକ୍ଷା ଦୃଷ୍ଟିରେ ରଖି ୩୫ ପ୍ଲାଟୁନ ପୋଲିସ ଫୋର୍ସ ଓ ୨ଶହରୁ ଅଧିକ ପୋଲିସ ଅଧିକାରୀ ମୁତୟନ କରାଯିବ ।