ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲା ଏବଂ ନେପାଳୀ ଛାତ୍ରଛାତ୍ରୀଙ୍କୁ ତଡ଼ାଯିବା ମାମଲାରେ ପୁଣି ୬ ଜଣଙ୍କୁ ନୋଟିସ୍ ଜାରି ହୋଇଛି । ଆସନ୍ତା ୨୭ ତାରିଖରେ ଉଚ୍ଚ ସ୍ତରୀୟ କମିଟି ପାଖରେ ହାଜର ହେବାକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । କିଟ୍ ଚିଫ୍ ପ୍ରୋକ୍ଟର୍ ପିକେ ପଟ୍ଟନାୟକ, ୪ ନମ୍ବର ହଷ୍ଟେଲର ସିନିୟର ସୁପରିଣ୍ଟେଣ୍ଡେଣ୍ଟ୍ ସଂହିତା ମିଶ୍ର, ସହକାରୀ ନିର୍ଦ୍ଦେଶକ ସ୍ମରିକା ପତି, ଇନଚାର୍ଜ ହେଡ୍ ଇପସିତା ଶତପଥୀ ଏବଂ ଆଡମିନିଷ୍ଟ୍ରେଟର୍ ଅଧିକାରୀ ସିଦ୍ଧାର୍ଥ ରାୟ । ରାଜ୍ୟ ଅତିଥି ଭବନରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି । ଏହା ପୂର୍ବରୁ ୟୁଜିସି ପକ୍ଷରୁ କିଟକୁ ନୋଟିସ୍ ଜାରି ହୋଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, କିଟ୍ ବିଶ୍ୱ ବିଦ୍ୟାଳୟରେ ନେପାଳି ଛାତ୍ରୀଙ୍କ ମୃତ୍ୟୁ ଘଟଣାରେ ଶୀଘ୍ର ତଦନ୍ତ ସାରି ନ୍ୟାୟ ଦେବାକୁ ନେପାଳ ମାନବାଧିକାର କମିଶନ ଭାରତୀୟ ମାନବାଧିକାର କମିଶନଙ୍କୁ ଚିଠି ଲେଖି ଦାବି କରିଛନ୍ତି । ବିଶ୍ୱ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦୁର୍ବ୍ୟବହାର ନେଇ କାର୍ୟ୍ୟାନୁଷ୍ଠାନ ଦାବି ମଧ୍ୟ କରିଛି ନେପାଳ ଏନଏଚଆରସି । ଛାତ୍ରଛାତ୍ରୀଙ୍କ ସୁରକ୍ଷା ସହ ଭୟମୁକ୍ତ ବାତାବରଣ ସୁନିଶ୍ଚିତ କରିବାକୁ କହିଛି ନେପାଳ ।
କିଟ୍ ବିଶ୍ୱବିଦ୍ୟାଳୟରେ ଛାତ୍ରୀ ନିବାସରେ ଜଣେ ନେପାଳୀ ଛାତ୍ରୀଙ୍କୁ ଆତ୍ମହତ୍ୟାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା । ଏହା ପରେ କିଟ୍ କର୍ତ୍ତୃପକ୍ଷ ସମସ୍ତ ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ ସାଇନ୍ ଏ ଡାଏ ଘୋଷଣା କରି କଲେଜରୁ ବାହାର କରିଦେଇଥିଲେ । ଏହା ସହିତ କିଛି ଛାତ୍ରଙ୍କୁ ମାଡ଼ ମରାଯାଉଥିବାର ମଧ୍ୟ ଭିଡ଼ିଓ ଭାଇରାଲ ହୋଇଥିଲା । ପୋଲିସ ମାଡ଼ ମାରିବା ଅଭିଯୋଗରେ ପାଞ୍ଚ ଜଣଙ୍କୁ ଗିରଫ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ସେମାନଙ୍କୁ ଜାମିନ ପ୍ରଦାନ କରାଯାଇଥିଲା ।