ସାରଜା: ମହିଳା ଟି-୨୦ ବିଶ୍ଵକପ୍ରେ ନିଜର ଶେଷ ଲିଗ୍ ମ୍ୟାଚ୍ରେ ଭାରତ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆଠୁ ୯ ରନରେ ପରାଜିତ ହୋଇ ନିଜ ପାଇଁ ମୁସ୍କିଲ ପରିସ୍ଥିତି ସୃଷ୍ଟି କରିଛି। ଏହି ପରାଜୟ ସହ ଭାରତର ସେମି ଫାଇନାଲରୁ ବାଦ୍ ପଡ଼ିବାର ଆଶଙ୍କା ସୃଷ୍ଟି ହୋଇଛି। ଭାରତ ସେମିରେ ପହଞ୍ଚିବ କି ନାହିଁ ତାହା ଅନ୍ୟ ମ୍ୟାଚର ଫଳାଫଳ ଉପରେ ନିର୍ଭର କରେ। ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ୧୫୧ ରନ କରିଥିଲା । ଜବାବରେ ଭାରତ ୯ ୱିକେଟ୍ ହରାଇ ୧୪୨ ରନ କରି ପାରିଥିଲା । ଅଧିନାୟକ ହରମନପ୍ରୀତ କୌର କ୍ରିଜରେ ଶେଷ ପର୍ୟ୍ୟଞନ୍ତ ଥିଲେ ମଧ୍ୟ ଦଳକୁ ଜିତାଇ ପାରି ନ ଥିଲେ। ୪୭ ବଲ୍ରୁ ୫୪ ରନର ଅର୍ଦ୍ଧଶତକୀୟ ଇନିଂସ ବୃଥା ହୋଇଛି।
ମ୍ୟାଚ୍ରେ ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଦଳ ପକ୍ଷରୁ ଗ୍ରେସ ହାରିସ ୪୦ ରନର ଉଲ୍ଲେଖନୀୟ ଇନିଂସ ଖେଳିଥିଲେ। ଆଜିର ମ୍ୟାଚ୍ରେ ଅଧିନାୟକ ରହିଥିବା ତାହିଲା ମ୍ୟାକଗ୍ରା ୩୨ ରନ ଓ ଏଲିସ ପେରୀ ୩୨ ରନ କରିବାରୁ ଅଷ୍ଟ୍ରେଲିଆ ଏହି କଙ୍ଗାରୁ ଦଳ ୮ ଓ୍ଵିକେଟ୍ ହରାଇ ୧୫୧ ରନ କରିଥିଲା।
ଜବାବରେ ଭାରତ ୪୭ ରନରେ ୩ ଓ୍ଵିକେଟ୍ ହରାଇଥିଲା। ସ୍ମୃତି ମନ୍ଧାନା ନିଜର ଖରାପ ଫର୍ମ ବଜାୟ ରଖି ୬ ରନ କରି ଆଉଟ୍ ହୋଇଥିଲେ। ଶେଫାଳି ବର୍ମା ୨୦ ରନ କରିଥିଲେ ହେଁ ବଡ ଇନିଂସ କରିବାରେ ବିଫଳ ହୋଇଥିଲେ । ମଧ୍ୟକ୍ରମରେ ଅଧିନାୟକ ହରମନପ୍ରୀତ କୌର ଓ ଦୀପ୍ତି ଶର୍ମା ବ୍ୟାଟିଂ ମୋର୍ଚ୍ଚା ସମ୍ଭାଳିଥିଲେ । ଉଭୟ ଚତୁର୍ଥ ଓ୍ଵିକେଟ୍ ପାଇଁ ୬୩ ରନ ଯୋଡ଼ି ଦଳକୁ ବିଜୟ ଅଭିମୁଖେ ନେଇଥିଲେ ।
୧୧୦ ରନ ସ୍କୋରରେ ଦୀପ୍ତି ଶର୍ମା ୨୯ ରନ କରି ଆଉଟ୍ ହେବା ଦଳକୁ ବଡ ଝଟକା ଲାଗିଥିଲା । ଏକଦା ଭାରତ ୩ ଓ୍ଵିକେଟ୍ ହରାଇ ୧୧୦ ରନ କରିଥିବା ଭାରତ ନିୟମିୟ ବ୍ୟବଧାନରେ ଓ୍ଵିକେଟ୍ ହରାଇ ଚାଲିଥିଲା । ମାତ୍ର ପରବର୍ତ୍ତୀ ୩୧ ରନ ଭିତରେ ଦଳ ୬ ଓ୍ଵିକେଟ୍ ହରାଇବା ଦଳକୁ ପରାଜୟ ଆଡକୁ ନେଇଥିଲା। ବିଶେଷ କରି ଶେଷ ଓଭରର ପ୍ରଥମ ବଲ୍ରେ ହରମନପ୍ରୀତ କୌର ଏକ ରନ ନେବା ଦଳକୁ ମହଙ୍ଗା ପଡ଼ିଥିଲା। ଆଉ ଦଳ ୯ ଓ୍ଵିକେଟ୍ ହରାଇ ୧୪୨ ରନ କରିବାରେ ସକ୍ଷମ ହୋଇଥିଲା।
ସେମିରୁ ବାଦ୍ ପଡ଼ିଲା କି ଭାରତ ?
ଅଷ୍ଟ୍ରେଲିଆ ଗ୍ରୁପ ଏରେ ନିଜର ସମସ୍ତ ୪ ମ୍ୟାଚ୍ ଜିତି ସେମି ଫାଇନାଲ୍ରେ ନିଜର ସ୍ଥାନ ସୁନିଶ୍ଚିତ କରି ସାରିଛି । ଦ୍ଵିତୀୟ ସ୍ଥାନ ପାଇଁ ଭାରତ, ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ କଡ଼ା ଟକ୍କର ଚାଲିଛି। ପାକିସ୍ତାନର ନେଟ୍ ରନ ରେଟ୍ ମାଇନସ ଥିବାରୁ ଏହାର ସେମିକୁ ଯିବା ଆଶା ସମ୍ଭାବନା କମ। ଭାରତ ଓ ନ୍ୟୁଜିଲାଣ୍ଡ ଉଭୟ ୪ ପଏଣ୍ଟ ପାଇଥିଲେ ହେଁ ଉନ୍ନତ ରନ ରେଟ୍ ଆଧାରରେ ଭାରତ ଦ୍ୱିତୀୟ ସ୍ଥାନରେ ରହିଛି ।
ଭାରତର ନେଟ୍ ରନ ରେଟ୍ +୦.୩୨୨ ରହିଥିବା ବେଳେ ନ୍ୟୁଜିଲାଣ୍ଡର ନେଟ୍ ରନ ରେଟ୍ +୦.୨୮୨ ରହିଛି। ଗ୍ରୁପ ଏରେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ ମଧ୍ୟରେ ଖେଳା ଯିବାକୁ ଥିବା ଶେଷ ଲିଗ୍ ମ୍ୟାଚ୍ରେ ଯଦି ପାକିସ୍ତାନ ଜିତିଯାଏ ତେବେ ଭାରତ ସେମିରେ ପହଞ୍ଚିବ। ନ୍ୟୁଜିଲାଣ୍ଡ ଜିତିଲେ ଭାରତ ବିଶ୍ଵକପରୁ ବିଦା ହେବ। କହିବାକୁ ପାକିସ୍ତାନ ଭାରତ ପାଇଁ ଏବେ ସାହା ଭରସା ।