ଆଜି ଟି-୨୦ ବିଶ୍ୱକପ ୨୦୨୪ ର ୨୪ ତମ ମ୍ୟାଚରେ ଅଷ୍ଟ୍ରେଲିଆ ନାମିବିଆକୁ ଏକ ବଡ ବ୍ୟବଧାନରେ ପରାସ୍ତ କରିଛି । ଆଣ୍ଟିଗୁଆର ସାର ଭିଭିଆନ୍ ରିଚାର୍ଡସ ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚରେ ନାମିବିଆ ପ୍ରଥମେ ବ୍ୟାଟିଂ କରିଥିଲା ଏବଂ ୧୭ ଓଭରରେ ୭୨ ରନ ସଂଗ୍ରହ କରିଥିଲା। ଏହାର ଜବାବରେ ଅଷ୍ଟ୍ରେଲିଆ ମାତ୍ର ୩୪ ବଲରେ ଗୋଟିଏ ୱିକେଟ୍ ହରାଇ ଲକ୍ଷ୍ୟ ହାସଲ କରିଛି। ବର୍ତ୍ତମାନର ଟୁର୍ନାମେଣ୍ଟରେ ଏହା ଅଷ୍ଟ୍ରେଲିଆର କ୍ରମାଗତ ତୃତୀୟ ବିଜୟ ଏବଂ ଏହା ସହ ଅଷ୍ଟ୍ରେଲିଆ ସୁପର-୮ ରେ ପ୍ରବେଶ କରିଛି । ଅଷ୍ଟ୍ରେଲିଆ ବ୍ୟତୀତ କେବଳ ଦକ୍ଷିଣ ଆଫ୍ରିକା ସୁପର-୮ ରେ ସ୍ଥାନ ସୁରକ୍ଷିତ କରିବାରେ ସକ୍ଷମ ହୋଇଛି।
ତେବେ ଅଷ୍ଟ୍ରେଲିଆ ଓ ନାମିବିଆ ମଧ୍ୟରେ ଏକ ରେକର୍ଡ ସୃଷ୍ଟି ହୋଇଛି। ଅଷ୍ଟ୍ରେଲିଆ ମାତ୍ର ୩୪ ବଲରେ ମ୍ୟାଚ ଶେଷ କରି ଏକ ରେକର୍ଡ ସୃଷ୍ଟି କରିଛି। ପାୱାରପ୍ଲେରେ ମ୍ୟାଚକୁ ଶେଷ କରିବାରେ ଅଷ୍ଟ୍ରେଲିଆ ଦ୍ଵିତୀୟ ଦଳ ହୋଇଛି । ୨୦୨୪ ବିଶ୍ୱକପରେ ଶ୍ରୀଲଙ୍କା ନେଦରଲ୍ୟାଣ୍ଡକୁ ପାୱାରପ୍ଲେରେ ପରାସ୍ତ କରିଥିଲା । ଏହା ସହ ଟି-୨୦ ବିଶ୍ୱକପ ଇତିହାସରେ ଅଷ୍ଟ୍ରେଲିଆ ସର୍ବାଧିକ ବଲ ବ୍ୟବଧାନରେ ବିଜୟ ହାସଲ କରିଛି । ଏହା ସହ ଅଷ୍ଟ୍ରେଲିଆର ଲେଗ୍ ସ୍ପିନର ଆଡାମ ଜାମ୍ପା ୪ ଓଭରରେ ୪ ଟି ୱିକେଟ୍ ନେବା ସହ ମ୍ୟାଚର ଶ୍ରେଷ୍ଠ ଖେଳାଳି ରୂପେ ବିବେଚିତ ହୋଇଥିଲେ ।
ମ୍ୟାଚରେ ଜାମ୍ପା ୪ ଟି ୱିକେଟ୍ ନେଇଥିବାବେଳେ ହାଜେଲଉଡ଼ ଓ ଷ୍ଟୋଇନିସ ଦୁଇଟି ଲେଖାଏଁ ୱିକେଟ୍ ନେଇଥିଲେ । କମିନ୍ସ ଓ ନାଥନ ଇଲିସଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଥିଲା । ଅଷ୍ଟ୍ରେଲିଆ ବ୍ୟାଟିଂ କରିବାକୁ ଆସି ୫.୪ ଓଭରରେ ଗୋଟିଏ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା । ଡେଭିଡ ୱାର୍ନର ୮ ବଲରେ ୨୦ ରନ କରିଥିଲେ । ଟ୍ରାଭିସ ହେଡ଼ ୧୭ ବଲରେ ୩୪ ଓ ମିଚିଲ ମାର୍ଶ ୯ ବଲରେ ୧୮ ରନ କରିଥିଲେ । ଅଷ୍ଟ୍ରେଲିଆ ବିଜୟ ସହ ସୁପର-୮ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛି ।
ଅଧିକ ପଢନ୍ତୁ : ଲଗାତାର ପରାଜୟ ପରେ ବିଜୟ ହାସଲ କଲା ପାକିସ୍ତାନ