କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ। ସେହିଭଳି ଖୁବ କମ ବର୍ଷ ବୟସରୁ ସମସ୍ତଙ୍କୁ ପ୍ରଭାବିତ କରି ଆସୁଛନ୍ତି ୧୩ ବର୍ଷୀୟ ବିହାରୀ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ। ଅଷ୍ଟ୍ରେଲିଆ ଏ ବିପକ୍ଷ ଟେଷ୍ଟ ମ୍ୟାଚରେ ଶତକ ହେଉ କି ୧୯ ବର୍ଷରୁ କମ ଏସିଆ କପ ପାରୀ ସବୁଠି ସଫଳତା ସାଉଁଟିଛନ୍ତି ଏହି ଅପକମିଙ୍ଗ ଷ୍ଟାର। ଏସିଆ କପରେ ଅନେକ ମ୍ୟାଚରେ ତାଙ୍କର ବିସ୍ଫୋରକ ଇନିଂସଙ୍କୁ ପ୍ରଂଶସା କରିଛନ୍ତି ଏକ୍ସପର୍ଟ। ତାଙ୍କର ଏହି ପ୍ରତିଭା ପାଇଁ ଏତେ କମ ବର୍ଷ ବୟସରୁ ବିହାର ପକ୍ଷରୁ ପ୍ରଥମ ଶ୍ରେଣୀ କ୍ରିକେଟ ଖେଳିବାକୁ ସୁଯୋଗ ମିଳିବା ସହ ଚଳିତ ବର୍ଷ ଆଇପିଏଲ ଅକ୍ସନରେ ତାଙ୍କୁ ୧.୧୦ କୋଟି ଟଙ୍କାରେ ନିଜ ଦଳରେ ସାମିଲ କରିଛି ରାଜସ୍ଥାନ ରୟାଲସ।
କେବଳ ସେତିକି ନୁହେଁ ଏସିଆ କପର ଅନେକ ମ୍ୟାଚରେ ସେ ଯେଉଁ ବିସ୍ଫୋରକ ଇନିଂସ ଖେଳିଛନ୍ତି ତାହା ଏବେ ସବୁଠି ଚର୍ଚ୍ଚାରେ। ଏକଦା ୧୫ବର୍ଷ ବୟସରେ ରଣଜୀ ଡେବ୍ୟୁ କରିଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଜି କ୍ରିକେଟର ଜଣେ ଗ୍ରେଟ। ତାଙ୍କ ପଥକୁ ଅନୁସରଣ କରିଥିବା ଏହି ଯୁବ କ୍ରିକେଟର ଯଦି ଶୃଙ୍ଖଳିତ ଭାବେ ଅଭ୍ୟାସ ଜାରି ରଖିବେ ସେ ମଧ୍ୟ ସାଉଁଟିବେ ଅନେକ ସଫଳତା। ରାଜସ୍ଥାନ ଦଳ ତାଙ୍କୁ ଆଇପିଏଲ ପାଇଁ ଦଳରେ ସାମିଲ କରିବା ପରେ ତାଙ୍କ ଆଇପିଏଲ ଡେବ୍ୟୁକୁ ସମସ୍ତଙ୍କ ଅପେକ୍ଷା। ଏମିତି କି ଜସ ବଟଲର ଏବେ ନଥିବାରୁ ଜୟସ୍ୱାଲଙ୍କ ସହ ବୈଭବ ଓପନିଙ୍ଗ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ତେବେ ଦେଖିବାକୁ ବାକି ରହିଲା ବୈଭବଙ୍କ ଠାରୁ ଯେତେ ଭାରତୀୟ ଫ୍ୟାନ ଆଶା ରଖିଛନ୍ତି ତାହା ପୂରଣ କରିବାରେ ସେ କେତେ ସକ୍ଷମ ହେଉଛନ୍ତି।