ନୂଆଦିଲ୍ଲୀ: ଦେଶରେ ଇଂ ଅତୁଲ ସୁଭାଷଙ୍କ ଆତ୍ମହତ୍ୟା ମାମଲା ଏବେ ଆଲୋଡ଼ନ ସୃଷ୍ଟି କରିଛି । ତେବେ ଏହାରି ମଧ୍ୟରେ ସର୍ବୋଚ୍ଚ ଅଦାଲତଙ୍କର ଆତ୍ମହତ୍ୟାକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଆସିଛି । ଆତ୍ମହତ୍ୟା ପାଇଁ ଉସକାଉଥିବା ଲୋକଙ୍କୁ ଦୋଷୀ ସାବ୍ୟସ୍ତ କରିବାକୁ କେବଳ ନିର୍ଯ୍ୟାତନା ପର୍ଯ୍ୟାପ୍ତ କାରଣ ନୁହେଁ । ପ୍ରତ୍ୟେକ୍ଷ କିମ୍ବା ପରୋକ୍ଷରେ ଉସକାଉଥିବା ଲୋକ ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ମିଳିବା ଆବଶ୍ୟକ । ଗୁଜରାଟ ହାଇକୋର୍ଟଙ୍କ ଏକ ରାୟର ଶୁଣାଣୀ କରି ସୁପ୍ରିମକୋର୍ଟ ବିଚାରପତି ବିକ୍ରମ ନାଥ ଏବଂ ପି ବି ବରାଲେଙ୍କୁ ନେଇ ଖଣ୍ଡପୀଠ ଏହା କହିଛନ୍ତି ।
ଗୁଜରାଟର ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ବହୁତ ହଇରାଣ ହରକତ କରିଥିଲେ ଏବଂ ମହିଳା ଜଣକ ଆତ୍ମହତ୍ୟା କରିବାକୁ ବାଧ୍ୟ ହୋଇଥିଲେ । ତେଣୁ ସେମାନଙ୍କୁ ଗୁଜରାଟ ଦୋଷୀ ସାବ୍ୟସ୍ତ କରିଥିଲେ । ହାଇକୋର୍ଟଙ୍କ ରାୟକୁ ମହିଳାଙ୍କ ସ୍ୱାମୀ ଏବଂ ଶ୍ୱଶୁର ଘର ଲୋକେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।
ସୁପିମକୋର୍ଟ ମାମଲାର ଶୁଣାଣୀ କରି କହିଥିଲେ ଯେ ଆଇପିସି ଧାରା 306 ଅନୁସାରେ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଉଥିବା ବ୍ୟକ୍ତିର ଲକ୍ଷ୍ୟ ସ୍ପଷ୍ଟ ହେବା ଦରକାର । କେବଳ ନିର୍ଯ୍ୟାତନା କିମ୍ବା ଉତ୍ପୀଡ଼ନ ଆତ୍ମହତ୍ୟା କରିବାକୁ ପ୍ରବର୍ତ୍ତାଉଥିବା ବ୍ୟକ୍ତି ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନୁହେଁ । ଉକ୍ତ ବିରୋଧରେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବରେ କୌଣସି ପ୍ରମାଣ ରହିବା ନିହାତି ଆବଶ୍ୟକ ଅଟେ । କେବଳ ଅନୁମାନ ଲଗାଇ କାହାକୁ ଦୋଷୀ ସାବ୍ୟସ୍ତ କରି ହେବ ନାହିଁ ।
ତେବେ ସୁପ୍ରିମକୋର୍ଟ ଉକ୍ତ ମାମଲାରେ ତିନି ଜଣଙ୍କୁ ଧାରା 306 ଅନୁସାରେ ମୁକ୍ତ କରିଛନ୍ତି । କିନ୍ତୁ 498-ଏ (ବିବାହିତ ମହିଳାଙ୍କ ଉପରେ ନିର୍ଯ୍ୟାତନା) ଆଧାରରେ ତାଙ୍କ ବିରୋଧରେ ହୋଇଥିବା ମାମଲାକୁ କାୟମ ରଖିଛନ୍ତି । 2009ରେ ଉକ୍ତ ମହିଳାଙ୍କର ବିବାହ ହୋଇଥିଲା । 5 ବର୍ଷ ପର୍ଯ୍ୟନ୍ତ ଦମ୍ପତିଙ୍କର କୌଣସି ପିଲା ନ ଥିଲା । ଯେଉଁଥିପାଇଁ ମହିଳା ଜଣକୁ ଅନେକ ଶାରୀରିକ ଏବଂ ମାନସିକ ନିର୍ଯ୍ୟାତନାର ଶୀକାର ହେବାକୁ ପଡ଼ିଥିଲା । 2021 ଏପ୍ରିଲରେ ମହିଳା ଜଣକ ଆତ୍ମହତ୍ୟା କରିଥିଲେ ।