ନୂଆଦିଲ୍ଲୀ: ମୋଦୀ ସରକାରଙ୍କ ବହୁ ପ୍ରତିକ୍ଷୀତ ‘ୱାନ୍ ନେସନ୍-ୱାନ୍ ଇଲେକ୍ସନ୍’ ବା ‘ଏକ ଦେଶ-ଏକ ନିର୍ବାଚନ’ ବିଲକୁ କେନ୍ଦ୍ର କ୍ୟାବେନଟର ଅନୁମୋଦନ ମିଳିଛି । ଏହି ବିଧେୟକକୁ ସରକାର ଚଳିତ ଶୀତ ଅଧିବେଶନ ତଥା ଆସନ୍ତା ସପ୍ତାହରେ ସଂସଦର ଉଭୟ ଗୃହରେ ଉପସ୍ଥାପନ କରି ପାରନ୍ତି ।
ଏହି ବିଲ୍ ଉପରେ ପ୍ରଥମେ ଚର୍ଚ୍ଚା କରିବାକୁ ସରକାର ଏହାକୁ ଯୁଗ୍ମ ସଂସଦୀୟ କମିଟି (ଜେପିସି)କୁ ପଠାଇ ପାରନ୍ତି । ସମସ୍ତ ରାଜନୈତିକ ଦଳ ପ୍ରତିନିଧିମାନେ ଏହା ଉପରେ ବିସ୍ତୃତ ଆଲୋଚନା କରି ନିଜର ମତ ଦେବେ । ଏହା ପରେ ଯାଇ ବିଲକୁ ଗୃହରେ ଆଗତ କରାଯିବ ବୋଲି ଜଣାପଡ଼ିଛି । ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ରିପୋର୍ଟ ପ୍ରସ୍ତୁତ କରି ଦାଖଲ କରିଥିଲେ ।
ସମ୍ପ୍ରତି ଦେଶରେ ଭିନ୍ନ ଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ଅନୁଷ୍ଠିତ ହେଉଛି । ଏହି ବିଲ୍ ପାରିତ ହେଲେ ଗୋଟିଏ ସମୟରେ ନିର୍ବାଚନ ହେବ । ତେବେ କେନ୍ଦ୍ର ସରକାରଙ୍କ ଏ ନିଷ୍ପତିକୁ ବିରୋଧୀ ଦଳଭାବେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟୀ ବିରୋଧ କରି ଆସୁଛନ୍ତି । ଏହା ଦ୍ୱାରା କେନ୍ଦ୍ରରେ ଥିବା ସରକାରୀ ଦଳକୁ ଫାଇଦା ହେବ । କିନ୍ତୁ ଏନଡିଏ ସମର୍ଥିତ ଦଳଗୁଡ଼ିକ ‘ୱାନ ନେସନ୍-ୱାନ୍ ଇଲେକ୍ସନ୍’ ପୂର୍ଣ୍ଣ ସହମତ ଦେଉଛନ୍ତି ।
ଏଠାର ଉଲ୍ଲେଖ ଯୋଗ୍ୟ, ଗତ ସେପ୍ଟେମ୍ବର 18 ତାରିଖରେ ବହୁ ପ୍ରତିକ୍ଷୀତ ‘ୱାନ୍ ନେସନ୍-ୱାନ୍ ଇଲେକ୍ସନ୍’ ବା ‘ଏକକ ନିର୍ବାଚନ’ ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ମଞ୍ଜୁରି ପ୍ରଦାନ କରିଥିଲା । ରାମନାଥ କୋବିନ୍ଦଙ୍କ କିମିଟି ବିଭିନ୍ନ ସମ୍ଭାବନା ପରେ ତର୍ଜମା କରି ମାର୍ଚ୍ଚ ମାସରେ ରିପୋର୍ଟ ଦାଖଲ କରିଥିଲେ । ଏହି କମିଟିର ରିପୋର୍ଟ ଆଧାରରେ ମୋଦୀ ସରକାର ପ୍ରଥମ ପଦକ୍ଷେପ ସ୍ୱରୁପ ପ୍ରସ୍ତାବକୁ ଅନୁମୋଦନ ଦେଇଥିଲେ । କମିଟି ଆହୁରି ମଧ୍ୟ ପ୍ରସ୍ତାବ ଦେଇଥିଲା ଯେ ଲୋକସଭା ଏବଂ ବିଧାନସଭା ନିର୍ବାଚନ ହେବାର 100 ଦିନ ମଧ୍ୟରେ ସ୍ଥାନୀୟ ସରପଞ୍ଚ ନିର୍ବାଚନ କରାଯିବା ଉଚିତ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୂର୍ବରୁ ଅନେକ ଥର ଏହି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛନ୍ତି । ନିକଟରେ ଲାଲକିଲାରେ ସ୍ୱାଧୀନତା ଦିବସ ଅବସରରେ ଦେଶବାସୀଙ୍କୁ ସମ୍ବୋଧନ କରୁଥିବାବେଳେ ଖୁବ ଶୀଘ୍ର ଦେଶରେ ‘ୱାନ୍ ନେସନ୍-ୱାନ୍ ଇଲେକ୍ସନ୍’ ଲାଗୁ ହେବା ବୋଲି କହିଥିଲେ । ଭିନ୍ନ ଭିନ୍ନ ସମୟରେ ନିର୍ବାଚନ ଦେଶର ପ୍ରଗତିରେ ବାଧା ସୃଷ୍ଟି କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ଗୋଟାଏ ଦେଶ ଗୋଟାଏ ନିର୍ବାଚନ ସଂକଳ୍ପକୁ ସମର୍ଥନ କରିବାକୁ ଏକା ସାଥିରେ ସମସ୍ତେ ଆଗକୁ ଆସନ୍ତୁ ବୋଲି ମୋଦୀ ଅନୁରୋଧ କରିଥିଲେ ।