ନୂଆଦିଲ୍ଲୀ: ଚାମ୍ପିଅନ୍ସ ଟ୍ରଫି ୨୦୨୫କୁ ନେଇ ଏବେ ମଧ୍ୟ ସସପେନ୍ସ ଲାଗି ରହିଛି । ଫଳରେ ଟୁର୍ଣ୍ଣାମେଣ୍ଟର ସିଡ୍ୟୁଲ୍ ଓ ଆୟୋଜନସ୍ଥଳ ଘୋଷଣା ହୋଇ ପାରିନି । ପାକିସ୍ତାନକୁ ଏହାର ଆୟୋଜନ ପାଇଁ ମୋଟା ଅଙ୍କର ଫଣ୍ଡ ମଧ୍ୟ ଆବଣ୍ଟିତ କରାଯାଇଛି । ଆଇସିସି ଏ ପର୍ଯ୍ୟନ୍ତ ଦୁଇ ଥର ବୈଠକ ସ୍ଥଗିତ କରି ସାରିଛି । ଆଉ ଆଜି ଚାମ୍ପିଅନ୍ସ ଟ୍ରଫି ଉପରେ ଅନ୍ତିମ ନିଷ୍ପତ୍ତି ଶୁଣାଇପାରେ ଆଇସିସି ।
ଚାମ୍ପିଅନ୍ସ ଟ୍ରଫିରେ ବ୍ରଡକାଷ୍ଟର୍ସଙ୍କ କୋଟି କୋଟି ଟଙ୍କା ଫସି ରହିଛି । ଏମିତିରେ ଭାରତୀୟ ଦଳର ବ୍ରାଣ୍ଡ ଭେଲ୍ୟୁ ଓ ଫେନ୍ୟାସକୁ ଦେଖି ଆଇସିସି ପାଖରେ ବିକଳ୍ପ ନ ଥିଲା ଯେ, ଭାରତୀୟ ଦଳକୁ ଚାମ୍ପିଅନ୍ସ ଟ୍ରଫିରୁ ବାଦ୍ ଦିଆଯାଉ । ଫଳରେ ମାମଲା ଏବେ ହାଇବ୍ରିଡ ମଡେଲରେ ଅଟକି ରହିଛି । ପାକିସ୍ତାନ ପଛକୁ ହଟିବାକୁ ବି ପ୍ରସ୍ତୁତ ନୁହେଁ । ପାକିସ୍ତାନ କ୍ରିକେଟ୍ ବୋର୍ଡ ହାଇବ୍ରିଡ ମଡେଲ୍ ସ୍ୱୀକାର କରିବାକୁ ପ୍ରସ୍ତୁତ । ମାତ୍ର ଏହାର ଗୋଟିଏ ସର୍ତ୍ତ ଆଇସିସି ପାଇଁ ଚିନ୍ତାର କାରଣ ପାଲଟିଛି ।
ପାକିସ୍ତାନର ସର୍ତ୍ତ ଏହା ଯେ, ଯଦି ଚାମ୍ପିଅନ୍ସ ଟ୍ରଫି ହାଇବ୍ରିଡ ମଡେଲରେ ଆୟୋଜନ କରାଯିବ, ତେବେ ୨୦୩୧ ପର୍ଯ୍ୟନ୍ତ ଭାରତରେ ଯେତେ ଆଇସିସି ଇଭେଣ୍ଟ ହେବ,ଓ ସେଥିରେ ମଧ୍ୟ ପାକିସ୍ତାନ ପାଇଁ ହାଇବ୍ରିଡ ମଡେଲ୍ ଲାଗୁ ହେବା ଉଚିତ୍ । ପିସିବି ହାଇବ୍ରିଡ ମଡେଲ ଆଧାରରେ ନିଜର ମ୍ୟାଚ୍ ଦୁବାଇରେ ଖେଳିବ । ଏହାର ଅର୍ଥ ଭାରତ ଓ ପାକିସ୍ତାନ ପରସ୍ପର ଦେଶକୁ ଗସ୍ତ କରିବେ ନାହିଁ ଏବଂ ମ୍ୟାଚ୍ ଦୁବାଇରେ ଖେଳାଯିବ ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ଯଦି ବିସିସିଆଇ ୨୦୨୭ ପର୍ଯ୍ୟନ୍ତ ଭାରତରେ ହେବାକୁ ଥିବା ଆଇସିସି ଇଭେଣ୍ଟରେ ହାଇବ୍ରିଡ ମଡେଲ୍ ଲାଗୁ କରିବାକୁ ସହମତି ହୁଏ ତେବେ ପାକିସ୍ତାନ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ହାଇବ୍ରିଡ ମଡେଲରେ କରିବାକୁ ରାଜି ହୋଇପାରେ । କିନ୍ତୁ ଅନେକ ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଯେ, ବିସିସିଆଇ ଦ୍ୱାରା ଏହି ପ୍ରସ୍ତାବ ସ୍ୱୀକାର କରିବା ସମ୍ଭାବନା ବହୁତ କମ ରହିଛି ।