ଆଡିଲେଡ: ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ଶୋଚନୀୟ ଭାବେ ୧୦ ୱିକେଟ୍ରେ ପରାଜିତ ହୋଇଛି । ଫଳରେ ମ୍ୟାଚ୍ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ୧-୧ରେ ବରାବର ରହିଛି । ଆଡିଲେଡ ଟେଷ୍ଟ ହାରିବା ପରେ ଡବ୍ଲ୍ୟୁଟିସି ଅଙ୍କ ତାଲିକାରେ ଭାରତକୁ ଜୋରଦାର ଝଟକା ଲାଗିଛି । ଅଷ୍ଟ୍ରେଲିଆ ୬୦.୭୧ ପ୍ରତିଶତ ସହ ପ୍ରଥମ ସ୍ଥାନରେ ପହଞ୍ଚିଛି । ଆଉ ଭାରତ କେବଳ ଏକ ନମ୍ବର ସ୍ଥାନ ହରାଇନି ଟପ୍-୨ରୁ ମଧ୍ୟ ବାହାରି ଯାଇଛି । ଶୋଚନୀୟ ପରାଜୟ ସହ ରୋହିତ ଶର୍ମା ଆଣ୍ଡ ବ୍ରିଗେଡର ବିଜୟ ପ୍ରତିଶତ ୫୭.୨୯କୁ ଖସି ଆସିଛି । ଦକ୍ଷିଣ ଆଫ୍ରିକା ୫୯.୨୬ ପ୍ରତିଶତ ଅଙ୍କ ସହିତ ଦ୍ୱିତୀୟ ସ୍ଥାନକୁ ଉଠିଛି ।
ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍ ଜାରି ରହିଛି । ଯଦି ଆୟୋଜକ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚ୍ ଜିତିଯାଏ ତେବେ ଅଷ୍ଟ୍ରେଲିଆକୁ ପଛରେ ପକାଇ ଡବ୍ଲ୍ୟୁଟିସି ଅଙ୍କ ତାଲିକାରେ ଶୀର୍ଷକୁ ଉଠିବ । ଆଡିଲେଡ୍ ଟେଷ୍ଟରେ ଭାରତ ପ୍ରଥମ ଇନିଂସରେ ୧୮୦ ରନରେ ଅଲଆଉଟ୍ ହୋଇଥିଲା । ଜବାବରେ ଅଷ୍ଟ୍ରେଲିଆ ଟ୍ରେଭିସ ହେଡଙ୍କ ଶତକ ବଳରେ ୩୩୭ ରନ କରିଥିଲା । ଏହା ସହିତ ଦଳ ଭାରତଠୁ ୧୫୭ ରନର ଅଗ୍ରଣୀ ହାସଲ କରିଥିଲା । ଏହା ପରେ ଭାରତୀୟ ବ୍ୟାଟରମାନେ ଆହୁରି ଶୋଚନୀୟ ବ୍ୟାଟିଂ କରି ୧୭୫ ରନରେ ଅଲଆଉଟ୍ ହୋଇଥିଲା । ମିଳିଥିବା ୧୯ ରନର ବିଜୟ ଲକ୍ଷ୍ୟକୁ ଘରୋଇ ଦଳ କୌଣସି ୱିକେଟ୍ ନ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା ।