ନୂଆଦିଲ୍ଲୀ: ଆଇସିସି ଦ୍ଵାରା ବୁଧବାର ଜାରି ସଦ୍ୟତମ ଟେଷ୍ଟ ବ୍ୟାଟିଂ ମାନ୍ୟତାରେ ଶୀର୍ଷକୁ ଉଠିଛନ୍ତି ଇଂଲଣ୍ଡର ବ୍ୟାଟର ହ୍ୟାରି ବ୍ରୁକ। ସେ ନିଜ ଦେଶର ସାଥୀ ଖେଳାଳି ଜୋ ରୁଟ୍ ଙ୍କୁ ପଛରେ ପକାଇ ପ୍ରଥମ ଥର ଶୀର୍ଷ ଏହି ସ୍ଥାନ ଅକ୍ତିକାର କରିଛନ୍ତି । ରୁଟ୍ ଦୀର୍ଘ ସମୟ ଧରି ଟେଷ୍ଟର ନମ୍ବର ୱାନ୍ ଆସନରେ ବସିଥିଲେ । ଭାରତର ଯଶପ୍ରୀତ ବୁମରା ବୋଲିଂରେ ଓ ରବୀନ୍ଦ୍ର ଜାଡ଼େଜା ଅଲରାଉଣ୍ଡରରେ ଏକ ନମ୍ବର ସ୍ଥାନରେ ରହିଛନ୍ତି ।
ହ୍ୟାରି ବ୍ରୁକ ୨୭ ମାସ ପୂର୍ବେ ଇଂଲଣ୍ଡ ପକ୍ଷରୁ ଟେଷ୍ଟରେ ପଦାର୍ପଣ କରିଥିଲେ। ଆଉ ନିରନ୍ତର ଦମଦାର ପ୍ରଦର୍ଶନ କରି ଆଜି ଶୀର୍ଷ ସ୍ଥାନ ଅକ୍ତିକାର କରିଛନ୍ତି । ହ୍ୟାରି ବ୍ରୁକ ୮୯୮ ରେଟିଂ ପଏଣ୍ଟ ପାଇଥିବା ବେଳେ ଜୋ ରୁଟ୍ ତାଙ୍କଠୁ କେବଳ ଗୋଟିଏ ରେଟିଂ ପଛରେ ଅର୍ଥାତ ୮୯୭ ପଏଣ୍ଟ ପାଇଛନ୍ତି। ରୁଟ୍ ଚଳିତ ବର୍ଷ ଜୁଲାଇରେ ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ କେନ ଓ୍ଵିଲିୟମସନଙ୍କୁ ପଛରେ ପକାଇ ଏକ ନମ୍ବର ମାନ୍ୟତାକୁ ଉଠିଥିଲେ।
ବ୍ରୁକ ଏ ପର୍ଯ୍ୟନ୍ତ ମୋଟ୍ ୨୩ ଟେଷ୍ଟ ମ୍ୟାଚ୍ରେ ୬୧.୬୨ ହାରରେ ଆଠ ଶତକ ସହ ୨୨୮୦ ରନ କରିଛନ୍ତି। ସେ ୨୦୨୪ରେ ୧୧ଟି ଟେଷ୍ଟରେ ୪ ଶତକ ସହ ୧୦୯୯ ରନ କରିଛନ୍ତି। ଏହି ଖେଳାଳି ୨୦୨୨ ସେପ୍ଟେମ୍ବରରେ ଇଂଲଣ୍ଡ ପାଇଁ ପଦାର୍ପଣ କରିଥିଲେ। ବୋଲିଂରେ ବୁମରା ୮୯୦ ରେଟିଂ ପଏଣ୍ଟ ସହ ଟେଷ୍ଟ ବୋଲିଂ ମାନ୍ୟତାରେ ନିଜର ଶୀର୍ଷ ସ୍ଥାନ ବଳବତ୍ତର ରଖିଛନ୍ତି। ତାଙ୍କ ପରେ ଦକ୍ଷିଣ ଆଫ୍ରିକାର ଦ୍ରୁତ ବୋଲର କାଗିସୋ ରାବଡ଼ା(୮୫୬) ଓ ଅଷ୍ଟ୍ରେଲିଆର ଦ୍ରୁତ ବୋଲର ଜୋଶ ହେଜେଲଉଡ(୮୫୧) ତୃତୀୟରେ ସ୍ଥାନରେ ରହିଛନ୍ତି।
ଅଲରାଉଣ୍ଡର ମାନ୍ୟତାରେ ଜାଡ଼େଜା ୪୧୫ ଅଙ୍କ ସହ ନିଜର ଶୀର୍ଷ ସ୍ଥାନ ଜାରି ରଖିଛନ୍ତି। ବାଂଲାଦେଶର ଅଧିନାୟକ ମେହଦି ହସନ ମିରାଜ ୨୮୫ ପଏଣ୍ଟ ସହ ଏହି ତାଲିକାରେ ଦ୍ଵିତୀୟ ସ୍ଥାନରେ ରହିଛନ୍ତି।