ଆଡିଲେଡ: ପ୍ରଥମ ଇନିଂସ ପରି ଦ୍ୱିତୀୟ ଇନିଂସରେ ବି ନିରାଶ କରିଛନ୍ତି ଭାରତୀୟ ବ୍ୟାଟର । ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସରେ ୩୩୭ ରନ କରି ଭାରତଠୁ ୧୫୭ ରନର ଗୁରୁତ୍ୱପୂର୍ଣ୍ଣ ଅଗ୍ରଣୀ ହାସଲ କରିଛି । ଜବାବରେ ଭାରତ ଦ୍ୱିତୀୟ ଇନିଂସରେ ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୧୨୮ ରନ କରି ୫ ବ୍ୟାଟର ହରାଇ ସାରିଛି । ଏବେ ବି ଭାରତ ୨୯ ରନ ପଛରେ ରହିଛି । କ୍ରିଜରେ ଋଷଭ ପନ୍ତ ୨୮ ରନ ଓ ନୀତିଶ ରେଡ୍ଡୀ ୧୫ ରନ କରି ଅପରାଜିତ ଅଛନ୍ତି । ଆଡିଲେଡ୍ ପିଙ୍କ ବଲ୍ ଦିବାରାତ୍ର ଟେଷ୍ଟ ମ୍ୟାଚରେ ଘରୋଇ ଅଷ୍ଟ୍ରେଲିଆ ନିଜର ଦବଦବା ବଜାୟ ରଖିଛି । ଭାରତ ଉପରେ ଏବେ ପରାଜୟର ବାଦଲ ଖେଳି ଯାଇଛି ।
ଦ୍ୱିତୀୟ ଇନିଂସ ଆରମ୍ଭ କରିଥିବା ଭାରତ ୧୨ ରନ ସ୍କୋରରେ କେଏଲ ରାହୁଲ(୭)ଙ୍କ ୱିକେଟ୍ ହରାଇଥିଲା । ଏହା ପରେ ଜୟସ୍ୱାଲ ଓ ଶୁଭମନ ଗିଲ୍ ଦ୍ୱିତୀୟ ୱିକେଟ୍ ପାଇଁ ୩୦ ରନ ଯୋଡିଥିଲେ । ଜୟସ୍ୱାଲ ମିଳିଥିବା ଆରମ୍ଭକୁ ଆଗକୁ ବଢାଇ ପାରି ନ ଥିଲେ । ସେ ୩୧ ବଲରୁ ୪ ଚୌକା ସହ ୨୪ ରନ କରି ପାଭିଲିୟନ ଫେରିଥିଲେ । ବିରାଟ କୋହଲି(୧୧ ରନ) ପୁଣି ଥରେ ନିରାଶ କରିଛନ୍ତି । ଶୁଭମନ ଗିଲ୍ ମଧ୍ୟ ଭଲ ବ୍ୟାଟିଂ କରିଥିଲେ ହେଁ ଇନିଂସକୁ ଆଗକୁ ବଢାଇ ପାରି ନ ଥିଲେ । ଗିଲ୍ ୨୮ ରନ କରି ପାଭିଲିିୟନ ଫେରିଥିଲେ । ଭାରତୀୟ ଦଳ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଥିବା ଖୋଦ୍ ଅଧିନାୟକ ରୋହିତ ଶର୍ମା(୬ ରନ) ପୁଣି ଥରେ ନିରାଶ କରିଥିଲେ । ଋଷଭ ପନ୍ତ ୨୮ ରନ ଓ ନୀତିଶ କୁମାର ରେଡ୍ଡୀ ୧୫ ରନ କରି ଅପରାଜିତ ଅଛନ୍ତି । ଦ୍ୱିତୀୟ ଦିନର ଷ୍ଟମ୍ପ ଅପସାରଣ ସୁଦ୍ଧା ୫ ୱିକେଟ୍ ହରାଇ ୧୨୮ ରନ କରିଛି । ଦଳ ଏବେ ବି ୨୯ ରନ ପଛରେ ରହିଛି । ଆଉ ଭାରତ ଉପରେ ପରାଜୟର ବାଦଲ ଘନେଇଛି ।
ଏହା ପୂର୍ବରୁ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୩୩୭ ରନ କରିଥିଲା । ଟ୍ରେଭିସ ହେଡ ୧୪୦ ରନର ଦମଦାର ଇନିଂସ ଖେଳି ଦଳକୁ ମ୍ୟାଚରେ ଆଗରେ ରଖିଛନ୍ତି । ଲାବୁସେନ ୬୪ ରନ ଓ ମ୍ୟାକସ୍ୱିନି ୩୯ ରନର ଛୋଟ ପାଳି ଖେଳିଛନ୍ତି । ଭାରତ ପକ୍ଷରୁ ଯଶପ୍ରୀତ ବୁମରା ୬୧ ରନ ଦେଇ ୪ ୱିକେଟ୍ ଓ ମହମ୍ମଦ ସିରାଜ ୯୮ ରନ ବ୍ୟୟ କରି ସମାନ ୪ ୱିକେଟ୍ ନେଇଛନ୍ତି ।