ଭୁବନେଶ୍ୱର: ରାଜ୍ୟରେ ଏବେ ଧାନ କିଣି ପ୍ରକ୍ରିୟା ଆରମ୍ଭ ହୋଇଛି । ଧାନ ସଂଗ୍ରହ ପ୍ରକ୍ରିୟାକୁ ତ୍ଵରାନ୍ୱିତ କରିବା ଏବଂ ସୋସାଇଟି ସ୍ତରୀୟ ଧାନ କିଣା କମିଟି ଗୁଡିକୁ ଆହୁରି ସକ୍ରୀୟ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ପରାମର୍ଶ ଦେଇଛନ୍ତି । ଏହା ସହିତ ଚାଷୀମାନଙ୍କୁ ଅଧିକ ସଚେତନ କରିବା ଓ ସେମାନଙ୍କ ପାଇଁ ସବୁ ପ୍ରକାର ସୁବିଧାର ବ୍ୟବସ୍ଥା କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି ।
ଆଜି ଲୋକସେବା ଭବନରେ ଧାନ ସଂଗ୍ରହ ବ୍ୟବସ୍ଥାର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଯେ ରାଜ୍ୟ ସରକାର ଆଜି ଛଅ ମାସ ପୂରଣ କରିଛି । ଏହାରି ମଧ୍ୟରେ ଅନେକ ଯୋଜନା ସଫଳତାର ସହ କାର୍ଯ୍ୟକାରୀ କରିଛନ୍ତି । ମହିଳାମାନଙ୍କ ପାଇଁ ସୁଭଦ୍ରା ଯୋଜନା ସହିତ ଆହୁରି ଅନେକ କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ ହେଉଛି। ପିଏମ୍ କିଷାନ ଓ ସିଏମ୍ କିଷାନ ସହିତ ୮୦୦ ଟଙ୍କା ଇନ୍ପୁଟ ସହାୟତାରେ ଧାନ କିଣା ବ୍ୟବସ୍ଥା ଚାଷୀଙ୍କ ସଶକ୍ତିକରଣ କ୍ଷେତ୍ରରେ ଏକ ଗୁରୁତ୍ଵପୂର୍ଣ୍ଣ ପଦକ୍ଷେପ, ଏହା ଦ୍ୱାରା ୧୭ ଲକ୍ଷରୁ ଅଧିକ ଚାଷୀ ଲାଭବାନ ହୋଇପାରିବେ । ଏଣୁ, ଧାନ ସଂଗ୍ରହ କାର୍ଯ୍ୟକ୍ରମକୁ ସମ୍ପୂର୍ଣ୍ଣ ଭାବେ ଦକ୍ଷତାର ସହିତ ତ୍ରୁଟିଶୂନ୍ୟ ଭାବେ କାର୍ଯ୍ୟକାରୀ କରାଯିବା ଆବଶ୍ୟକ । କୌଣସି ପରିସ୍ଥିତିରେ ଚାଷୀମାନେ କୌଣସି ଅସୁବିଧାର ସମ୍ମୁଖୀନ ହେବା ଉଚିତ୍ ନୁହେଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।
ଚାଷୀମାନଙ୍କୁ ଅଧିକ ସଚେତନ କରିବା ଓ ସେମାନଙ୍କ ପାଇଁ ସବୁ ପ୍ରକାର ସୁବିଧାର ବ୍ୟବସ୍ଥା କରିବାକୁ ସେ ପରାମର୍ଶ ଦେଇଥିଲେ। କଳାହାଣ୍ଡି ଜିଲ୍ଲାରେ ଚାଷୀ ମାନଙ୍କ ପାଇଁ ମଣ୍ଡି ନିକଟରେ କ୍ୟାଣ୍ଟିନ୍, ପାନୀୟ ଜଳ ଓ ଟଏଲେଟ୍ର ବ୍ୟବସ୍ଥା କରିଛନ୍ତି । ଅନ୍ୟ ଜିଲ୍ଲାମାନେ ମଧ୍ୟ ସେହିପରି ବ୍ୟବସ୍ଥାକୁ ନିଜ ଜିଲ୍ଲାରେ କାର୍ଯ୍ୟକାରୀ କରିବାକୁ ସେ ମୁଖ୍ୟମନ୍ତ୍ରୀ କହିଛନ୍ତି । ଆହୁରି ମଧ୍ୟ ବରଗଡରେ ମଣ୍ଡିରେ ଧାନ ସଂଗ୍ରହର ସୁନ୍ଦର ମନିଟରିଂ ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ କଣ୍ଟ୍ରୋଲ ରୁମ୍କୁ ଧାନକିଣାର ଲାଇଭ୍ ଫିଡ୍ ମଧ୍ୟ ଆସୁଛି । ଏପରି ବ୍ୟବସ୍ଥାକୁ ଅନ୍ୟ ସମସ୍ତ ଜିଲ୍ଲା ଭଲ ଭାବେ କାର୍ଯ୍ୟକାରୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି ।
ସେହିପରି ସବୁ ଜିଲ୍ଲାରେ ମଣ୍ଡିରେ ନୋଡାଲ୍ ଅଫିସର ଓ ମଣ୍ଡି ସୁପରଭାଇଜର ଅଛନ୍ତି । ସେମାନେ ଯେପରି ଚାଷୀଙ୍କର ଯଦି କିଛି ଅଭିଯୋଗ ଥାଏ, ତାକୁ ଶୁଣାଣି କରି ସମସ୍ୟାର ସମାଧାନ କରିବେ, ତେବେ ସେମାନଙ୍କର ବ୍ୟବସ୍ଥା ଉପରେ ଭରସା ବଢିବ। ଏହା ସହିତ ଦଲାଲ ମାନେ ଯେପରି କୌଣସି ପରିସ୍ଥିତିରେ ଚାଷୀଙ୍କ ଫାଇଦା ନଉଠାଇ ପାରିବେ, ସେଥିପାଇଁ ସେମାନଙ୍କ ଉପରେ ତୀକ୍ଷ୍ଣ ନଜର ରଖିବାକୁ ସେ ନିର୍ଦ୍ଦେଶ ଦେଇଥିଲେ । ଟୋକେନ୍ ବ୍ୟବସ୍ଥା, ଟ୍ୟାଗିଙ୍ଗ ବ୍ୟବସ୍ଥା, ମିଲର ମାନଙ୍କ ସହଯୋଗ ଏବଂ ଅନ୍ୟାନ୍ୟ ବିଷୟ ଉପରେ ଆଲୋଚନା ହୋଇଥିଲା।
ଡିସେମ୍ବର ୧୧ ତାରିଖ ସୁଦ୍ଧା ବରଗଡ, ନୂଆପଡା, ସମ୍ବଲପୁର, କଳାହାଣ୍ଡି, ବଲାଙ୍ଗିର, ଝାରସୁଗୁଡା, ନବରଙ୍ଗପୁର, ସୁବର୍ଣ୍ଣପୁର ଓ କୋରାପୁଟ ଆଦି ୯ଟି ଜିଲ୍ଲାରେ ଧାନ ସଂଗ୍ରହ ଆରମ୍ଭ ହୋଇଛି । ବର୍ତ୍ତମାନ ସୁଦ୍ଧା ଏହି ୯ଟି ଜିଲ୍ଲାର ୩୭,୦୭୯ ଜଣ ଚାଷୀ ୧,୮୧,୧୯୬ ମେଟ୍ରିକଟନ୍ ଧାନ ବିକ୍ରି କରିଛନ୍ତି । ଏହି ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟଭାବେ ୩୨୩.୭୩ କୋଟି ଓ ଇନ୍ପୁଟ୍ ସହାୟତା ଭାବେ ୧୧୨.୬୧ କୋଟି ଟଙ୍କା ପ୍ରଦାନ କରାଯାଇଛି । ଆଉ ୪୮ ଘଣ୍ଟା ମଧ୍ୟରେ ୯୩ କୋଟି ଟଙ୍କା ସର୍ବନିମ୍ନ ସହାୟକ ମୂଲ୍ୟ ଓ ୩୨.୩୫ କୋଟି ଟଙ୍କା ଇନ୍ପୁଟ ସହାୟତା ପ୍ରଦାନ କରାଯିବ ।
ସମୀକ୍ଷାରେ ଭର୍ଚୁଆଲ ମୋଡ୍ରେ ଯୋଗଦେଇଥିବା ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳମାନଙ୍କ ସହିତ ଧାନ ସଂଗ୍ରହ ବ୍ୟବସ୍ଥା ଉପରେ ଆଲୋଚନା କରାଯାଇଥିଲା ।